ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ହେଉଛି ଏକ ଅମୂଲ୍ୟ ସମ୍ପଦ । ମଣିଷ ଜୀବନରେ ସୁଖ ଆଉ ଦୁଃଖ ମୁଦ୍ରାର ଦୁଇଟି ଧାର ଭଳି ହୋଇଥାଏ । ସଙ୍କଟ ସମୟ ମନୁଷ୍ୟ ପାଇଁ ଅସଲ ପରୀକ୍ଷା ହୋଇଥାଏ । ଯେଉଁମାନେ ଏହି ସମୟରେ ନିଜର ମନୋବଳ ଓ ଧୈର୍ଯ୍ୟ ହରାଇ ବସନ୍ତି, ସେମାନେ ଜୀବନରେ କେବେ କିଛି କରି ପାରନ୍ତି ନାହିଁ । ତେବେ ବିପଦ ସମୟରେ ପରିସ୍ଥିତିକୁ କିପରି ମୁକାବିଲା କରିବେ, ସେଥିପାଇଁ ଅନେକ ନୀତିକୁ ନିହାତି ମନେରଖିବା ଆବଶ୍ୟକ ।
- ସମସ୍ତଙ୍କ ଜୀବନରେ ସଙ୍କଟ ସମୟ ଆସିଥାଏ । ଏହା ହେଉଛି ରାତି ଦିନ ପରି ପରିବର୍ତ୍ତନଶୀଳ । ଏହି ସମୟ ମଣିଷର ଦକ୍ଷତାକୁ ବିକାଶ କରିବାରେ ସହାୟକ ହୋଇଥାଏ ।
- ମୂଲ୍ୟବାନ ଧାତୁ ସୁନା ନିଆଁରେ ଜଳିବା ଦ୍ୱାର ତାର ଉଜ୍ଜ୍ୱଳତା ବୃଦ୍ଧି ପାଏ । ସେହିପରି ମଣିଷ କଷ୍ଟ ସହିଲେ ହିଁ ତା’ର ପ୍ରକୃତ ପ୍ରତିଭାର ବିକାଶ ଘଟିଥାଏ । ବିପଦ ସମୟ ହେଉଛି ପ୍ରତ୍ୟେକ ମନୁଷ୍ୟ ପାଇଁ ଏକ ସାମାନ୍ୟ ପରୀକ୍ଷା ।
- ସଙ୍କଟ ସମୟରେ କେବେ ବି ଧୈର୍ଯ୍ୟ ହରାଇବା ଅନୁଚିତ । କାରଣ ଧୈର୍ଯ୍ୟ ହରାଇଲେ ଆପଣ ଯୁଦ୍ଧ କ୍ଷେତ୍ର ଛାଡ଼ି ପଳାୟନ କରିବା ସହିତ ସମାନ । ପରିସ୍ଥିତିକୁ ଠିକ ଭାବେ ବୁଝି ବିଚାରି ନିଷ୍ପତ୍ତି ହେଲେ, ଆପଣ ନିଶ୍ଚିତ ଭାବେ ଜିତି ପାରିବେ ଓ ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଯିବେ ।
- ବିପଦ ସମୟରେ କିଏ ନିଜର କିଏ ପର ତାର ପ୍ରମାଣ ମିଳିଥାଏ । ସେଥିପାଇଁ କଥାରେ ଅଛି- ବିପଦର ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ଯେ ପର୍ଯ୍ୟନ୍ତ ଜଣେ ବ୍ୟକ୍ତିଙ୍କ ଜୀବନରେ ସଙ୍କଟ ନ ଆସିଛି, ସେ ଜୀବନର ଅଙ୍କାବଙ୍କା ରାସ୍ତା ମଧ୍ୟରୁ ପ୍ରକୃତ ରାସ୍ତାକୁ ଖୋଜି ପାରନ୍ତି ନାହିଁ ।
- ସଙ୍କଟ ସମୟରେ ଆପଣଙ୍କୁ ସାହାଯ୍ୟ କରିଥିବା ଲୋକଙ୍କୁ କେବେ ବି ଭୁଲିବା ଅନୁଚିତ । କୁହାଯାଏ, ପ୍ରକୃତ ବନ୍ଧୁମାନେ ହେଉଛନ୍ତି ଗୋଟିଏ ମୂଲ୍ୟବାନ ଧାତୁ ସଦୃଶ । ଶହ ଶହ ଲୋକଙ୍କ ସଂସ୍ପର୍ଶରେ ଆସିବା ପରେ ହିଁ ଏମାନେ ମିଳିଥାନ୍ତି ।