ମୁମ୍ୱାଇ: ନଭେମ୍ବର ୧୫ରେ ଶେଷ ହୋଇଥିବା ସପ୍ତାହରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ୧୭.୭୬ ବିଲିୟନ ଡଲାର ହ୍ରାସ ପାଇ ୬୫୭.୮୯ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି। ରିଜର୍ଭ ବ୍ୟାଙ୍କର ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ସପ୍ତାହରେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ପ୍ରାୟ ୧୮ ବିଲିୟନ ଡଲାର ହ୍ରାସ ପାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଶୁକ୍ରବାର ଏହି ସୂଚନା ଦେଇଛି। ଗତ ସପ୍ତାହରେ ଭଣ୍ଡାର ୬.୪୭ ବିଲିୟନ ଡଲାର ହ୍ରାସ ପାଇ ୬୭୫.୬୫ ବିଲିୟନ ଡଲାରରେ ପହଞ୍ଚିଥିଲା। ସେପ୍ଟେମ୍ବର ଶେଷ ସୁଦ୍ଧା ଏହି ଭଣ୍ଡାର ସର୍ବକାଳୀନ ସର୍ବୋଚ୍ଚ ସ୍ତର ୭୦୪.୮୮ ବିଲିୟନ ଡଲାରଛୁଇଁଥିଲା।
ସେବେଠାରୁ ଗତ କିଛି ସପ୍ତାହ ହେବ ଏହା ହ୍ରାସ ପାଇବାରେ ଲାଗିଛି। ସର୍ବୋଚ୍ଚ ସ୍ତରକୁ ଦେଖିଲେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ୪୭ ବିଲିୟନ ଡଲାର (୪୬.୯୯ ବିଲିୟନ ଡଲାର) ହ୍ରାସ ପାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ତଥ୍ୟ ଅନୁଯାୟୀ, ନଭେମ୍ବର ୧୫ରେ ଶେଷ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରା ସମ୍ପତ୍ତି ୧୫.୫୫ ବିଲିୟନ ଡଲାର ହ୍ରାସ ପାଇ ୫୬୯.୮୩ ବିଲିୟନ ଡଲାରରେ ପହଞ୍ଚିଛି। ଡଲାର ହିସାବରେ ପ୍ରକାଶିତ ବିଦେଶୀ ମୁଦ୍ରା ସମ୍ପତ୍ତି ମଧ୍ୟରେ ବିଦେଶୀ ମୁଦ୍ରା ଭଣ୍ଡାରରେ ଥିବା ୟୁରୋ, ପାଉଣ୍ଡ ଏବଂ ୟେନ୍ ଭଳି ଅଣ-ଆମେରିକୀୟ ମୁଦ୍ରାର ମୂଲ୍ୟବୃଦ୍ଧି କିମ୍ବା ଅବନତିର ପ୍ରଭାବ ଅନ୍ତର୍ଭୁକ୍ତ।
ଏହି ସପ୍ତାହରେ ସୁନା ଭଣ୍ଡାର ମୂଲ୍ୟ ୨.୦୭ ବିଲିୟନ ଡଲାର ହ୍ରାସ ପାଇ ୬୫.୭୫ ବିଲିୟନ ଡଲାରରେ ପହଞ୍ଚିଛି । ସ୍ପେଶାଲ ଡ୍ରଇଂ ରାଇଟ୍ସ (ଏସଡିଆର) ୯୪ ନିୟୁତ ଡଲାର ହ୍ରାସ ପାଇ ୧୮.୦୬ ବିଲିୟନ ଡଲାରରେ ପହଞ୍ଚିଛି । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ ଏଫ୍ ) ନିକଟରେ ଭାରତର ରିଜର୍ଭ ସ୍ଥିତି ନଭେମ୍ବର ୧୫ରେ ଶେଷ ହୋଇଥିବା ସପ୍ତାହରେ ୫୧ ନିୟୁତ ଡଲାର ହ୍ରାସ ପାଇ ୪.୨୫ ବିଲିୟନ ଡଲାରରେ ପହଞ୍ଚିଛି। ସେପ୍ଟେମ୍ବର ଶେଷ ସୁଦ୍ଧା ଏହି ଭଣ୍ଡାର ୭୦୪.୮୮ ବିଲିୟନ ଡଲାରର ସର୍ବୋଚ୍ଚ ସ୍ତରଛୁଇଁଥିଲା। ସେବେଠାରୁ ଗତ କିଛି ସପ୍ତାହ ହେବ ଏହା ହ୍ରାସ ପାଇବାରେ ଲାଗିଛି।