ଭୁବନେଶ୍ୱର: ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କ ଦେହାନ୍ତ । ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ସେ ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ତେବେ ଗତ ଫେବୃୁଆରୀ ୨୨ ତାରିଖରେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତିକରାଯାଇଥିଲା । ତେବେ ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ୮୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ହେମାନନ୍ଦ ବିଶ୍ୱାଳଙ୍କ ପରଲୋକ ନେଇ ସୂଚନା ଦେଇଛନ୍ତି ତାଙ୍କ ଝିଅ ସୁନୀତା ବିଶ୍ୱାଳ ।
ସୂଚନାଯୋଗ୍ୟ ଯେ, ହେମାନନ୍ଦ ୧୯୮୯ ମସିହା ଡିସେମ୍ବର ୭ରୁ ୧୯୯୦ ମସିହା ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଓ ୧୯୯୯ ମସିହା ଡିସେମ୍ବର ମାସ ୬ରୁ ୨୦୦୦ ମସିହା ମାର୍ଚ୍ଚ ମାସ ୫ ତାରିଖ ପର୍ୟ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଥିଲେ । ସେ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ସୁନ୍ଦରଗଡ଼ ସାଂସଦ ରହିଥିଲେ । ସେ ହେଉଛନ୍ତି ରାଜ୍ୟର ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ।
ଏମିତି ଥିଲା ତାଙ୍କର ରାଜନୈତିକ କ୍ୟାରିୟର:
ଝାରସୁଗୁଡ଼ାର ଠାକୁରପଡ଼ା ଗ୍ରାମରେ ୧୯୩୯ ଡିସେମ୍ବର ୧ ରେ ଜନ୍ମଗ୍ରହଣ କରିଥିଲେ ହେମାନନ୍ଦ ବିଶ୍ୱାଳ । ସୁନ୍ଦରଗଡ଼ ସରକାରୀ କଲେଜରୁ କୃଷବିଜ୍ଞାନରେ ଡିଗ୍ରୀ ହାସଲ କରିଥିଲେ । ୭୦ ଦଶକରେ ପଞ୍ଚାୟତ ରାଜନୀତିରୁ ଆରମ୍ଭ ହୋଇଥିଲା ତାଙ୍କର ରାଜନୈତିକ କ୍ୟାରିୟର । ଏହାପୂର୍ବରୁ ୧୯୬୭ ରୁ ୭୧ ପର୍ଯ୍ୟନ୍ତ କିରିମିରା ପଞ୍ଚାୟତ ସମିତିର ଚେୟାରମ୍ୟାନ ଭାବେ ଦାୟିତ୍ୱ ତୁଲାଇଥିଲେ । ଏହାପରେ ସେ ଯୋଗ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଇଥିଲେ ।
୧୯୭୪ ରେ ପ୍ରଥମ ଥର ପାଇଁ ହୋଇଥିଲେ ବିଧାୟକ । ୧୯୭୪ ରୁ ୧୯୭୭ ଏବଂ ୧୯୮୦ ରୁ ୨୦୦୪ ପର୍ଯ୍ୟନ୍ତ ୬ ଥର ବିଧାୟକ ହୋଇଥିଲେ । ଏହାପରେ ୧୯୮୫ରୁ-୧୯୮୬ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ୧୯୯୫-୯୮ ପର୍ଯ୍ୟନ୍ତ ଉପମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଥିଳେ । ୨୦୦୯-୧୪ ପର୍ଯ୍ୟନ୍ତ ସୁନ୍ଦରଗଡ଼ ସାଂସଦ ହୋଇଥିଲେ । ଏହା ସହ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ, ରାଜ୍ୟ ଅନୁସୂଚିତ ଜାତି ଏବଂ ଜନଜାତି ବିଧାନ ପରିଷଦର ଅଧ୍ୟକ୍ଷ ଭଳି ଅନେକ ଗରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଛନ୍ତି ।