Asia Cup Trophy: ‘ମୋର ଟ୍ରଫି, ମୋର ଇଚ୍ଛା…’ PCB ମୁଖ୍ୟ ମହସିନ ନକଭି ଟ୍ରଫି ନେଇ ପଳାଇବା ଘଟଣା, ବଡ଼ ଆକ୍ସନ ନେବ BCCI
PCB ମୁଖ୍ୟ ମହସିନ ନକଭି ଟ୍ରଫି ନେଇ ପଳାଇବା ଘଟଣା । ବଡ଼ ଆକ୍ସନ ନେବ BCCI ।

ନୂଆଦିଲ୍ଲୀ: ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ୫ ଓ୍ଵିକେଟରେ ହରାଇ ନବମ ଥର ଏସିଆ କପ୍ ଟାଇଟଲ୍ ଜିତିଛି ଭାରତୀୟ ଦଳ। ହେଲେ ପୁରସ୍କାର ସମାରୋହ ସମୟରେ ଦେଖିବାକୁ ମିଳିଥିଲା ଅଜବ ଡ୍ରାମା।
ଭାରତୀୟ ଦଳ ପିସିବି ମୁଖ୍ୟ ମହସିନ ନକଭିଙ୍କଠୁ ଏସିଆ କପ୍ ଟ୍ରଫି ଗ୍ରହଣ କରିବାକୁ ମନା କରି ଦେଇଥିଲା। ବିନା ଟ୍ରଫିରେ ଭାରତୀୟ ଦଳ ସେଲିବ୍ରେସନ କରିଥିଲା।
ଦୁବାଇରେ ଭାରତୀୟ ଦଳ ଏସିଆ କପ୍ ଟ୍ରଫି ଗ୍ରହଣ କରିବାକୁ ମନା କରିବା ପରେ ଟ୍ରଫି ନେଇ ଚାଲିଯାଇଥିଲେ ପିସିବି ମୁଖ୍ୟ ମୋହସିନ ନକଭି । ଏନେଇ ତାଙ୍କ ବିରୋଧରେ ନଭେମ୍ବରରେ ହେବାକୁ ଥିବା ଆଗାମୀ ICC ବୈଠକରେ BCCI “ଅତ୍ୟନ୍ତ ଦୃଢ଼ ପ୍ରତିବାଦ” କରିବ। କେବଳ ଏତିକି ନୁହେଁ, ସେମାନେ ମୋହସିନ ନକଭିଙ୍କୁ ଯଥାଶୀଘ୍ର ଟ୍ରଫି ଫେରାଇବା ପାଇଁ ଏକ ଅଲଟିମେଟମ୍ ମଧ୍ୟ ଦେଇଥିଲେ।
ବିସିସିଆଇ ସଚିବ ଦେବଜିତ ସାଇକିଆ ଦଳର ମନାକୁ ଯଥାର୍ଥ କରି କହିଛନ୍ତି ଯେ ଭାରତ ଏପରି ଜଣେ ବ୍ୟକ୍ତିଙ୍କଠାରୁ ଟ୍ରଫି ଗ୍ରହଣ କରିପାରିବ ନାହିଁ ଯିଏ “ଦେଶ ବିରୁଦ୍ଧରେ ଯୁଦ୍ଧ କରୁଛନ୍ତି।”
ରବିବାର ରାତିରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ହରାଇ ଏସିଆ କପ୍ ଟ୍ରଫି ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠୁ ନେଇ ଅନେକ ମନ୍ତ୍ରୀ, ନେତା ଏବଂ ବିଶିଷ୍ଟ ବ୍ୟକ୍ତି ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ଏହି ବିଜୟକୁ କ୍ରୀଡା ମଇଦାନରେ ଅପରେସନ ସିନ୍ଦୂରର ଆଖ୍ୟା ଦେଇଥିଲେ।
ଟ୍ରଫି ଦେବା ନେଇ ପୁରସ୍କାର ସମାରୋହରେ ଡ୍ରାମା ଦେଖିବାକୁ ମିଳିଥିଲା। ଗୋଟିଏ ପଟେ ଟିମ୍ ଇଣ୍ଡିଆ ପିସିବି ମୁଖ୍ୟ ତଥା ଏସିଆନ କ୍ରିକେଟ୍ କାଉନସିଲର ଅଧ୍ୟକ୍ଷ ମୋହସିନ ନକଭିଙ୍କଠୁ ଟ୍ରଫି ନେବାକୁ ମନା କରିଥିବା ବେଳେ ଅନ୍ୟପଟେ ଟ୍ରଫି ଦେବାକୁ ଅଡି ବସିଥିଲେ ନକଭି। ଶେଷରେ ନକଭି ଟ୍ରଫି ଧରି ଚାଲି ଯାଇଥିଲେ।
ବିଜେତା ପଦକ ଏବଂ ଟ୍ରଫି ନ ଦିଆଯିବାରୁ ଭାରତୀୟ ଖେଳାଳି ଖାଲି ହାତରେ ସେଲିବ୍ରେସନ କରିଥିଲା।ଏହା ଉପରେ ପ୍ରତିକ୍ରିୟା ଦେଇ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲଭିୟ ଖେଳାଳିଙ୍କ ନିଷ୍ପତ୍ତିକୁ ପ୍ରଶଂସା କରି କହିଛନ୍ତି, ଏହା ନୂଆ ଭାରତ।
ସେପଟେ ବିସିସିଆଇ ସଚିବ ଦେବଜିତ୍ ସାଇକିଆ କହିଛନ୍ତି, “ଆମେ ପୂର୍ବରୁ ନିଷ୍ପତ୍ତି ନେଇଥିଲୁ ଯେ ଆମେ ଏସିସି ଅଧ୍ୟକ୍ଷଙ୍କଠାରୁ ଟ୍ରଫି ଗ୍ରହଣ କରିବୁ ନାହିଁ, ଯିଏ ପାକିସ୍ତାନର ସବୁଠାରୁ ପ୍ରମୁଖ ନେତାମାନଙ୍କ ମଧ୍ୟରୁ ଜଣେ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେ ଟ୍ରଫି ଏବଂ ପଦକ ନେଇ ଚାଲିଯିବେ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଖେଳର ଆତ୍ମା ବିରୁଦ୍ଧରେ। ଆମେ ଆଶା କରୁଛୁ ଯେ ଟ୍ରଫି ଏବଂ ପଦକ ଖୁବ୍ ଶୀଘ୍ର ଭାରତକୁ ଫେରସ୍ତ କରାଯିବ। ଆମେ ନଭେମ୍ବରରେ ICC ସମ୍ମିଳନୀରେ ଏହାର ପ୍ରତିବାଦ କରିବୁ।”
ମୋହସିନଙ୍କଠାରୁ ଟିମ୍ ଇଣ୍ଡିଆ କାହିଁକି ଟ୍ରଫି ଗ୍ରହଣ କଲା ନାହିଁ?
ବିସିସିଆଇ ସଚିବ ଦେବଜିତ୍ ସାଇକିଆ ଏହା ମଧ୍ୟ ବ୍ୟାଖ୍ୟା କରିଛନ୍ତି ଯେ, ଟିମ୍ ଇଣ୍ଡିଆ ପିସିବି ଅଧ୍ୟକ୍ଷ ମୋହସିନ ନକଭିଙ୍କଠାରୁ ଟ୍ରଫି କାହିଁକି ଗ୍ରହଣ କଲା ନାହିଁ। ସେ କହିଛନ୍ତି ଯେ ଭାରତ ବିରୁଦ୍ଧରେ ଯୁଦ୍ଧ କରୁଥିବା ବ୍ୟକ୍ତିଙ୍କଠାରୁ ଟିମ୍ ଇଣ୍ଡିଆ କେବେବି ଟ୍ରଫି ଗ୍ରହଣ କରିପାରିବ ନାହିଁ।