fbpx

ପ୍ରେମ କରିବା ପଡିଲା ମହଙ୍ଗା, ଝିଅର ଗଳା କାଟି ଅତି ନିର୍ମମ ଭାବେ ହତ୍ୟାକଲେ ପରିବାର ଲୋକ

ଓଡିଶା ଭାସ୍କର ବିହାରର ଦରଭଙ୍ଗା ଜିଲ୍ଲାରେ ସାମ୍ନାକୁ ଆସିଛି ଏକ ଅନର କିଲିଂ ଘଟଣା । ଘଟଣାଟି ବିଶ୍ୱବିଦ୍ୟାଳୟ ଥାନା ଅଧୀନ ଆଜମନଗରର ଲୁଚିବାଡା ଅଞ୍ଚଳର । ପ୍ରେମ ଜନିତ କାରଣକୁ ନେଇ ଜଣେ ଯୁବତୀଙ୍କୁ ପରିବାର ଲୋକେ ଗଳା କାଟି ନିର୍ମମ ଭାବେ ହତ୍ୟା କରିଛନ୍ତି । ଗଳା କାଟି ନାବାଳିକାଙ୍କୁ ଘରେ ବନ୍ଦ କରି ଫେରାର ହୋଇଯାଇଥିଲେ । ଖବର ପାଇ ସଦର ଏସଡିପିଓ ନିଜ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଘରର ତାଲା ଭାଙ୍ଗି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

ସୂଚନା ଅନୁଯାୟୀ, ସୁରଜ ମହତୋଙ୍କ ଝିଅ ଅର୍ଚ୍ଚନା କୁମାରୀଙ୍କ ପ୍ରେମ ସମ୍ପର୍କ ଥିଲା । ଏ ସମ୍ପର୍କରେ ନାବାଳିକାଙ୍କ ପରିବାର ଲୋକ ଜାଣିବା ପରେ ଏହାକୁ ବିରୋଧ କରିବା ସହ ନାବାଳିକାଙ୍କୁ ମାଡ଼ ମାରି ଏକ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ଗଳା କାଟି ହତ୍ୟା କରିଥିଲେ । ପରେ ପରିବାରର ସମସ୍ତ ସଦସ୍ୟ ଘରୁ ତାଲା ପକାଇ ଫେରାର ହୋଇଯାଇଛନ୍ତି । ଘରର ତାଲା ବନ୍ଦ ଥିବା ଦେଖି ଆଖପାଖ ଲୋକେ କିଛି ଅପ୍ରୀତିକର ଆଶଙ୍କା କରି ପୋଲିସକୁ ଖବର ଦେଇଥିଲେ । ସଦର ଏସଡିପିଓ ଅମିତ କୁମାର କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ଥାନା ଅନ୍ତର୍ଗତ ଲୁଚିବାଡାରେ ଜଣେ ଯୁବତୀଙ୍କୁ ହତ୍ୟା କରି ଏକ ଘରେ ଲୁଚାଇ ରଖାଯାଇଥିବା ଗୁପ୍ତ ସୂଚନା ମିଳିଥିଲା । ହତ୍ୟାକାରୀ ଅନ୍ଧାର ହେବା ପାଇଁ ଅପେକ୍ଷା କରିଥିଲା, ଯାହା ପରେ ମୃତଦେହକୁ ନଷ୍ଟ କରିବାକୁ ଯୋଜନା କରାଯାଉଥିଲା ।

Get real time updates directly on you device, subscribe now.