fbpx

ସତରେ କ’ଣ ଚଷମା ନୀଳ ଲାଇଟ୍ କବଳରୁ ଆମର ଆଖିକୁ ସୁରକ୍ଷିତ ରଖିଥାଏ: ରିସର୍ଚ୍ଚରୁ ମିଳିଲା ନୂଆ ତଥ୍ୟ

ନୂଆଦିଲ୍ଲୀ: କମ୍ପ୍ୟୁଟର ଆଗରେ ବସି କାମ କରିବା ସମୟରେ ଚଷମା ପିନ୍ଧିଲେ ତାହା ଆମର ଆଖିକୁ ନୀଳ ଲାଇଟ୍ କବଳରୁ ରକ୍ଷା କରିଥାଏ ବୋଲି କୁହାଯାଏ । ଏଥିସହିତ ଚଷମା ଆମକୁ ଚାପମୁକ୍ତ ରଖିବା, ନିଦ୍ରାରେ ସୁଧାର ଆଣିବା ସହିତ ଆଖିର ସ୍ୱାସ୍ଥ୍ୟ ଠିକ୍ ରଖିଥାଏ ବୋଲି ମଧ୍ୟ ଅନେକ କହିଥାନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ଏହି ଚଷମା ବ୍ୟବହାର କରିବା ଆମ ସ୍ୱାସ୍ଥ୍ୟ ଫାଇଦା ନା କ୍ଷତିକାରକ ।

ଚଷମା ନୀଳ ଲାଇଟକୁ କିପରି ଫିଲ୍ଟର କରେ ତାହା ଜାଣିବା ପାଇଁ ମେଲବର୍ଣ୍ଣ ବିଶ୍ୱବିଦ୍ୟାଳୟର ଏକ ଟିମ୍ ତା’ ଉପରେ ରିସର୍ଚ୍ଚ କରିଥିଲେ । ତେବେ ଉକ୍ତ ରିସର୍ଚ୍ଚର ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ନୀଳ ଲାଇଟ କବଳରୁ ସୁରକ୍ଷିତ ରଖିବାରେ ସହାୟକ ହେଉଥିବା ଚଷମା ବାସ୍ତବରେ କୌଣସି କାମ କରେ ନାହିଁ ବୋଲି ରିସର୍ଚ୍ଚରୁ ଜଣାପଡ଼ିଥିଲା ।

ନୀଳ ଲାଇଟ ଆମର ପରିବେଶର ଚାରିପାଖରେ ରହିଥିବା ବେଳେ ସୂର୍ଯ୍ୟକିରଣ ହେଉଛି ଏହାର ମୁଖ୍ୟ ସ୍ରୋତ । ଘର ମଧ୍ୟରେ ରହିଥିବା ସମସ୍ତ ଆଲୋକ ସହ ଜଡ଼ିତ ଉପକରଣ ନୀଳ ଲାଇଟର ସ୍ରୋତ ଅଟନ୍ତି । ଏଲଇଡି, ଡିଜିଟାଲ ଉପକରଣର ସ୍କ୍ରିନରୁ ଅଲଗା ଅଲଗା ଲାଇଟ୍ ବାହାରିଥାଏ । ସୂର୍ଯ୍ୟକିରଣ ଅପେକ୍ଷା ଏହି ଉପକରଣରୁ କମ୍ ନୀଳ ଲାଇଟ୍ ବାହାରିଥାଏ । ମାତ୍ର ଆମେ ଏହି ଉପକରଣ ସହ ଅଧିକ ସମୟ ବିତାଉଥିବାରୁ ତାହା ଆମ ପାଇଁ ଅଧିକ କ୍ଷତିକାରକ ହୋଇଥାଏ ।

ଟିମ୍ ପକ୍ଷରୁ ୬ଟି ଦେଶର ୬୧୯ ଜଣ ବୟସ୍କଙ୍କ ଉପରେ ରିସର୍ଚ୍ଚ କରାଯାଇଥିଲା । ସେଥିପାଇଁ ୧୭ ପ୍ରକାରର ଅଲଗା ଅଲଗା ପରୀକ୍ଷା କରାଯାଇଥିଲା । ଆଖିର ଚାପକୁ ହ୍ରାସ କରିବା ପାଇଁ ମାନକ ଲେନସ ତୁଳନାରେ ନୀଳ ଲାଇଟ- ଫିଲ୍ଟରିଂ ଲେନସର ଉପଯୋଗରେ କୌଣସି ଫାଇଦା ମିଳିନଥାଏ । ଦୁଇ ଘଣ୍ଟାରୁ ନେଇ ୫ ଦିନ ପର୍ଯ୍ୟନ୍ତ ଆଖିର ଚାପକୁ ମୂଲ୍ୟାଙ୍କନ କରାଯାଇଥିଲା । ଏଥିସହିତ ଚଷମା ପିନ୍ଧିବା ଫଳରେ ମୁଣ୍ଡବ୍ୟଥା, ମୁଡ଼ ଖରାପ ଆଦି ସମସ୍ୟା ଦେଖିବାକୁ ମିଳିଥିଲା । ତେବେ ଏହି ରିସର୍ଚ୍ଚ ସୀମିତ ସମୟ ପାଇଁ କରାଯାଇଥିବାରୁ ଏହାର ବ୍ୟାପକ ପ୍ରଭାବ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରି ନାହିଁ । ତେବେ ଲେନ୍ସର ପ୍ରଭାବ ଓ ସୁରକ୍ଷା ଅଲଗା ଅଲଗା ବୟସର ଲୋକଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଭିନ୍ନ ହୋଇପାରେ ବୋଲି ସ୍ପଷ୍ଟ ହୋଇଛି ।

Get real time updates directly on you device, subscribe now.