fbpx

ଓଡ଼ିଶାରେ ସୁନା ଦର ଉପରମୁହାଁ; ଚିନ୍ତାରେ ଗ୍ରାହକ, ୭୨ ହଜାର…

ଭୁବନେଶ୍ୱର: ଓଡ଼ିଶାରେ ଉପରମୁହାଁ ହୋଇ ଚାଲିଛି ସୁନା ଦର। ଗୋଟିଏ ପଟେ ବିବାହ ସିଜନ ଜାରି ରହିଥିବା ବେଳେ ଆଉ ଗୋଟିଏ ପଟେ ସୁନା ଦର ହୁ ହୁ ହୋଇ ବଢିଚାଲିଛି। ଯାହାକୁ ନେଇ ଏବେ ସାଧାରଣ ପରିବାରର ଲୋକଟିଏ ଚିନ୍ତାରେ ପଡିଛି । କିଏ ଝିଅ ବାହାଘର କରିବା ପାଇଁ ତ ଆଉ କିଏ ବନ୍ଧୁବାନ୍ଧବଙ୍କୁ ସୁନା ଉପହାର ଦେବା ଯୋଜନାରେ ରହିଛନ୍ତି। କିନ୍ତୁ ଲଗାତାର ଦର ବୃଦ୍ଧି ଦେଖି ସୁନା କିଣିବାକୁ ସମସ୍ତେ ଭୟ କଲେଣି।

ଭୁବନେଶ୍ବରରେ ୨୪ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ମୂଲ୍ୟ ହଜାରେ ଟଙ୍କାରୁ ଅଧିକ ବୃଦ୍ଧି ପାଇ ରେକର୍ଡ ୬୭,୪୮୦ ଟଙ୍କା ଛୁଇଁଛି। ସେହିଭଳି ୨୨ କ୍ୟାରେଟ୍‌ ସୁନା ମୂଲ୍ୟ ୧୦ ଗ୍ରାମ ପିଛା‌ ହଜାରେ ଟଙ୍କା ବଢ଼ି ୬୧,୮୦୦ ଟଙ୍କା ଛୁଇଁଛି। କେବଳ ସୁନା ନୁହେଁ ରୁପା ମୂଲ୍ୟ ମଧ୍ୟ ଆଜି କିଲୋଗ୍ରାମ ପିଛା ୧୫୦୦ ଟଙ୍କା ବୃଦ୍ଧି ଘଟି ଭୁବନେଶ୍ବରର କେତେକ ପ୍ରମୁଖ ସୋ’ରୁମ୍‌ରେ ୮୧,୫୦୦ ଟଙ୍କା ଛୁଇଁଛି। ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାର ଅପରିବର୍ତ୍ତିତ ରଖିଥିଲେ ମଧ୍ୟ ୨୦୨୪ରେ ୩ ଥର ସୁଧ ହାର ଘୋ‌ଷଣା ସମ୍ଭାବନା ରହିଥିବା ଚର୍ଚ୍ଚା ହେଉଛି।

ଆଜିର ସୁନା ମୂଲ୍ୟ ବୃଦ୍ଧିର ଏହା ସବୁଠୁ ବଡ଼ କାରଣ ବୋଲି କୁହାଯାଉଛି। ଏଥିସହିତ ରୁଷ-ୟୁକ୍ରେନ ଯୁଦ୍ଧ ଏବଂ ଇସ୍ରାଏଲ ହମାସ୍‌ ଯୁଦ୍ଧ କାରଣରୁ ସୁନା ଓ ରୁପା ମୂଲ୍ୟରେ ବୃଦ୍ଧି ଦେଖାଦେଉଛି। କେବଳ ସେତିକି ନୁହେଁ, ଚଳିତବର୍ଷ ବିଶ୍ବ ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେବାର ଆଶଙ୍କା ମଧ୍ୟ ସୁନା ମୂଲ୍ୟ ବୃଦ୍ଧିର ଅନ୍ୟତମ କାରଣ। ଏଥିସହିତ ବିଶ୍ବର ପ୍ରମୁଖ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଅଧିକ ମାତ୍ରାରେ ସୁନା କିଣୁଛନ୍ତି। ଏଥିଯୋଗୁ ସୁନା ଚାହିଦା ବଢ଼ିଯାଇଛି। ନିବେଶକମାନେ ଅଧିକ ମାତ୍ରାରେ ଇଟିଏଫ୍‌ କିଣୁଥିବାରୁ ସୁନା ଦାମ ବଢ଼ୁଛି ବୋଲି ମତ ପ୍ରକାଶ ପାଇଛି।

Get real time updates directly on you device, subscribe now.