ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ବିଶ୍ୱବିଜୟୀ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଜଣେ ଖାସ୍ ଫାନ୍ ଜୀବନ ହାରିଛନ୍ତି । ଗତ ୧୮ ତାରିଖରେ ଗୋପୀ କୃଷ୍ଣନ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଏକ ବିବାଦ କାରଣରୁ ସେ ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି । ଗତ ୨୦୨୦ ମସିହାରେ ଚେନ୍ନାଇ ସୁପର କିଙ୍ଗସ (ସିଏସକେ) ଗୋପୀଙ୍କର ଏକ ଫଟୋ ଶେୟାର କରିଥିଲା ।
ସୂଚନା ମୁତାବକ, କ୍ୟାପଟେନ କୁଲ ଧୋନୀଙ୍କର ଫ୍ୟାନ ଫଲୋଇଙ୍ଗ ଜବରଦସ୍ତ ରହିଥିବା ବେଳେ ଗୋପୀ ତାଙ୍କର ଜଣେ ଖାସ୍ ଫ୍ୟାନ ଥିଲେ । ବିଶେଷ କରି ସେ ଧୋନୀ ଓ ଚେନ୍ନାଇର ଜଣେ ବଡ଼ ଫ୍ୟାନ୍ ଥିଲେ । ହଳଦିଆ ଚେନ୍ନାଇର ପାରମ୍ପରିକ ରଙ୍ଗ ହୋଇଥିବା ବେଳେ ଗୋପୀ ତାଙ୍କର ସମ୍ପୂର୍ଣ୍ଣ ଘରକୁ ହଳଦିଆ ରଙ୍ଗରେ ସଜାଇଥିଲେ । କେବଳ ଏତିକି ନୁହେଁ ଗୋପୀ ତାଙ୍କର ଘରର ନାମ ‘ହୋମ ଅଫ୍ ଧୋନୀ ଫ୍ୟାନ’ ରଖିଥିଲେ । ଗତ ୨୦୨୦ ମସିହାରେ ଚେନ୍ନାଇ ଫ୍ରାଞ୍ଚାଇଜ ଗୋପୀଙ୍କର ଏକ ଫଟୋ ସୋସିଆଲ ମିଡ଼ିଆରେ ଶେୟାର କରିଥିଲା । ଉକ୍ତ ଭିଡିଓକୁ ଦେଖିବା ପରେ ଧୋନୀ ବହୁତ ଖୁସି ହୋଇଥିଲେ ।
ପଡ଼ୋଶୀ ଗାଁର କିଛି ଲୋକଙ୍କ ସହିତ ଗୋପୀଙ୍କର ବିବାଦ ଚାଲିଥିଲା । କିଛିଦିନ ତଳେ ସେମାନଙ୍କ ସହ ଗୋପୀଙ୍କର ଝଗଡ଼ା ହୋଇଥିଲା । ସେହି ଘଟଣାରେ ଗୋପୀ ଗୁରୁତର ହୋଇଥିଲେ । ସେହି ଘଟଣା ପରେ ଗୋପୀ ଚାପରେ ରହିବା ସହିତ ନିଜର ଜୀବନ ହାରିଦେଇଥିଲେ । ଗୋପୀଙ୍କ ଭାଇ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପୋଲିସ ଏହି ମାମଲାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।