fbpx

ଏ କେମିତିକା କଥା ହେଲା?; ସରକାର ବଦଳିଲା, ଶ୍ରୀମନ୍ଦିରରୁ ଲାଇଟ୍ ଖୋଲି ନେଇଗଲା ଠିକା ସଂସ୍ଥା

ଆଉ ତିନି ଦୁଆରେ ମିଳୁନି ମାଗଣା ମହାପ୍ରସାଦ

Advertisement

ପୁରୀ: (ଓଡ଼ିଶା ଭାସ୍କର) ରାଜ୍ୟରେ ସରକାର ବଦଳିବା ପରେ ହଠାତ୍‌ ଶ୍ରୀମନ୍ଦିରରୁ ଲାଇଟ୍ ଖୋଲି ନେଇଗଲା ଠିକା ସଂସ୍ଥା । ଏବେ ଆଉ ଆଗ ଭଳି ଶ୍ରୀମନ୍ଦିର ଲାଇଟରେ ସୁନ୍ଦର ଦେଖାଯାଉନି କି ଝଲସି ଉଠୁଥିବା ଆଲୋକ ମାଳା ଆଉ ଦେଖିବାକୁ ମିଳୁନି । ଶ୍ରୀମନ୍ଦିର ଚାରିପଟେ ଲଗାଯାଇଥିବା ୫୦୦ଟି ଫୋକସ ଲାଇଟକୁ କାଢ଼ିନେଇଛି ସମ୍ପୃକ୍ତ ଠିକା ସଂସ୍ଥା । ଖାଲି ଚାରିପଟେ ଠିଆ ହୋଇ ରହିଛି ଲାଇଟର ଷ୍ଟାଣ୍ଡ । ଅପରପକ୍ଷେ ଏହାକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ଦେଖାଦେଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପଲକ୍ଷେ ସଜ୍ଜିତ ହୋଇଥିବା ସେହି ଲାଇଟ ସବୁକୁ ନେଇ ଯାଇଛି ସମ୍ପ୍ରୁକ୍ତ ଠିକା ସଂସ୍ଥା ।

ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତ ବା ଶ୍ରଦ୍ଧାଳୁ ଏବେ ଶ୍ରୀମନ୍ଦିରର ଏପରି ଅବସ୍ଥା ଦେଖି ମନ ଦୁଃଖ କରୁଛନ୍ତି । ଖାଲି ସେତିକି ନୁହେଁ ବରଂ ଶ୍ରୀମନ୍ଦିରର ଚାରିପଟେ ସୌନ୍ଦର୍ଯ୍ୟକରଣ ପାଇଁ ଲଗାଯାଇଥିବା ଗଛ ଗୁଡିକରେ ଆଉ ପାଣି ଦିଆ ଯାଉ ନଥିବା ଅଭିଯୋଗ ଆସିଛି । ପ୍ରବଳ ଖରାରେ ଗଛ ଶୁଖି ଯାଇଥିବା ଅଭିଯୋଗ ଆସିଛି । ଲେକେ କହିଲେଣି- ଏ କେମିତିକା କଥା ହେଲା, ସରକାର ବଦଳିଲା ବୋଲି ଶ୍ରୀମନ୍ଦିରରୁ ଲାଇଟ୍ ଖୋଲି ନେଇଗଲେ। ସେପଟେ ଆଗରୁ ଅର୍ପଣ ରଥ ଚାଉଳରେ ପ୍ରସ୍ତୁତ ହେଉଥିବା ମହାପ୍ରସାଦ ବଣ୍ଟନ ବନ୍ଦ କରାଯାଇଛି। ଅର୍ପଣ ଚାଉଳରେ ତିଆରି ହେଉଥିଲା କାନିକା, ଖେଚେଡ଼ି ଆଦି ମହାପ୍ରସାଦ।

ସୁଆର ମହାସୁଆର ନିଯୋଗ ଏହାକୁ ଶ୍ରୀମନ୍ଦିର ରୋଷଶାଳାରେ ପ୍ରସ୍ତୁତ କରି ଶ୍ରୀମନ୍ଦିରର ତିନି ଦ୍ବାରରେ ଭକ୍ତଙ୍କୁ ମାଗଣାରେ ବାଣ୍ଟୁଥିଲା। ଚଳିତବର୍ଷ ଫେବ୍ରୁଆରି ମାସରୁ ଭକ୍ତମାନେ ଏହି ମାଗଣା ମହାପ୍ରସାଦ ପାଇପାରୁଥିଲେ। କେହି କେହି ଅନୁରୋଧ କରି ପରିବାର ଲୋକ ପାଇବା ପାଇଁ ମହାପ୍ରସାଦ ନେଇ ଯାଉଥିଲେ। କିନ୍ତୁ ରାଜ୍ୟରେ ସରକାର ବଦଳିବା ପରେ ହଠାତ୍‌ ଏହାକୁ ବନ୍ଦ କରି ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ଖୁବଶୀଘ୍ର ଏ ଉପରେ ଶ୍ରୀମନ୍ଦିର ପ୍ରଶାସକଙ୍କୁ ନିଯୋଗ ଭେଟିବ ବୋଲି ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସଂପାଦକ ନାରାୟଣ ମହାସୁଆର କହିଛନ୍ତି।

Get real time updates directly on you device, subscribe now.