ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ବର୍ଷ ଅର୍ଥାତ ୨୦୨୫ କ୍ୟାଲେଣ୍ଡର ବର୍ଷ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସରକାରୀ ଛୁଟି ତାଲିକା ଜାରି କରାଯାଇଛି । ବିଭିନ୍ନ ପୂଜା, ପାର୍ବଣ ସହ ଜାତୀୟ ଦିବସକୁ ମିଶାଇ ୨୬ଟି ସରକାରୀ ଛୁଟି ରହିଥିବା ବେଳେ ୮ଟି ଇଚ୍ଛାଧିନ ଛୁଟି ରହିଛି । ଏନେଇ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷର ଏକ ବିଜ୍ଞପ୍ତି ଜାରି କରାଯାଇଛି । ଆସନ୍ତା ବର୍ଷ ଜାନୁଆରୀ ମାସ ୧୪ରେ ମକର ସଂକ୍ରାନ୍ତି ଓ ୨୩ ତାରିଖରେ ନେତାଜୀ ସୁବାଷ ଚନ୍ଦ୍ର ଚନ୍ଦ୍ର ବୋଷଙ୍କ ଜୟନ୍ତୀ / ବୀର ସୁରେନ୍ଦ୍ରସାଏ ଜୟନ୍ତୀ ଅବସରରେ ସରକାରୀ ଛୁଟି ରହିଛି ।
ମହା ଶିବରାତ୍ରୀ, ପଞ୍ଚାୟତିରାଜ ଦିବସ, ହୋଲି, ଦୋଳ ପୂର୍ଣ୍ଣିମା, ଇଦ-ଉଲ-ଫିତର, ମହା ବିଷୁବ ସଂକ୍ରାନ୍ତି, ଗୁଡ ଫ୍ରାଇଡେ, ବୁଦ୍ଧ ପୂର୍ଣ୍ଣିମା, ସାବିତ୍ରୀ ଅମାବାତ୍ୟା, ଇଦ-ଉଲ-ଜୁହା, ରଥ ଯାତ୍ରା, ସ୍ୱାଧିନତା ଦିବସ, ଜନ୍ମାଷ୍ଟମୀ, ଗଣେଶ ପୂଜା, ନୂଆଖାଇ, ପ୍ରୋଫେଟ ମହମ୍ମଦଙ୍କ ଜନ୍ମତିଥି, ମହାସପ୍ତମୀ, ମହାଷ୍ଟମୀ, କୁମାର ପୂର୍ଣ୍ଣିମା, ଦୀପାବଳୀ, ଏକ୍ସ-ମାସ ଡେ’ରେ ଛୁଟି ରଖାଯାଇଛି । ଜାନୁଆରୀ ମାସରେ ଗୁରୁ ଗୋବିନ୍ଦ ସିଂହଙ୍କ ଜନ୍ମଦିନ ପଡ଼ୁଥିବା ବେଳେ ସେଥିପାଇଁ ଇଚ୍ଛାଧୀନ ଛୁଟି ରହିଛି । ଏହି ଛୁଟି ମଧ୍ୟରୁ ସରକାରୀ କର୍ମଚାରୀମାନେ ଯେ କୌଣସି ଗୋଟିଏ ଦିନ ଛୁଟି ନେଇପାରିବେ । ଏଥିପାଇଁ ସେମାନଙ୍କୁ ନିଜ ନିଜର ବିଭାଗୀୟ ମୁଖ୍ୟଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ । ତେବେ କିଛି ଉତ୍ସବ / ସ୍ମରଣୀୟ ଦିବସଗୁଡ଼ିକ ରବିବାର / ଦ୍ୱିତୀୟ କିମ୍ବା ଚତୁର୍ଥ ଶନିବାର ଦିନ ପଡ଼ୁଥିବାରୁ ସେହି ଦିନଗୁଡ଼ିକ ବିଶେଷ ଭାବରେ ଛୁଟିଦିନ ଘୋଷଣା କରାଯାଇ ନାହିଁ ।