ନୂଆଦିଲ୍ଲୀ : ଲୋକସଭାରେ ଆସନ୍ତାକାଲି ‘ଏକ ଦେଶ ଏକ ନିର୍ବାଚନ’ ସମ୍ପର୍କିତ ୨ଟି ବିଲ୍ ଆଗତ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି । ଆଇନ୍ମନ୍ତ୍ରୀ ଅର୍ଜୁନ ରାମ୍ ମେଘୱାଲ ଲୋକସଭାରେ ସମ୍ବିଧାନର ୧୨୯ତମ ସଂଶୋଧନ ବିଲ୍ ଏବଂ କେନ୍ଦ୍ରଶାସିତ ଅଂଚଳ ସଂଶୋଧନ ଆଇନ୍ ବିଲ୍ ଆଗତ କରିବେ । ସୂଚନାଯୋଗ୍ୟ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଏହି ପ୍ରସଙ୍ଗ ନେଇ ରିପୋର୍ଟ କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରିଛନ୍ତି ।
ବିଭିନ୍ନ ରାଜନୈତିକ ଦଳ, ବିଶେଷଜ୍ଞ ଏବଂ ଅନ୍ୟ ଅଂଶୀଦାରଙ୍କ ସହ ବିଚାରବିମର୍ଶ ପରେ କମିଟି ରିପୋର୍ଟ ଦାଖଲ କରିଛନ୍ତି । ‘ଏକ ଦେଶ ଏକ ନିର୍ବାଚନ’କୁ ୨ଟିପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯିବାକୁ କମିଟି ସୁପାରିଶ୍ କରିଛି । ପ୍ରଥମ ପର୍ଯ୍ୟାୟରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକାସମୟରେ ଅନୁଷ୍ଠିତ ହେବାକୁ ଥିବାବେଳେ ସାଧାରଣ ନିର୍ବାଚନର ୧୦୦ ଦିନ ମଧ୍ୟରେ ପଞ୍ଚାୟତ ଓ ପୌରପାଳିକା ଭଳି ସ୍ଥାନୀୟ ସଂସ୍ଥା ନିର୍ବାଚନ ଅନୁଷ୍ଠିତ ହେବା ନେଇ କମିଟି ରିପୋର୍ଟରେ ସୁପାରିଶ୍ କରିଛି ।