fbpx

ଖବରକାଗଜ ବିତରକଙ୍କୁ ମିଳିବ ଘର ଓ ସ୍ୱାସ୍ଥ୍ୟବୀମା, ରାଜ୍ୟ ସରକାରଙ୍କ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ଖବରକାଗଜ ବିତରକଙ୍କୁ ଘର ଓ ସ୍ୱାସ୍ଥ୍ୟବୀମା ସୁବିଧା ମିଳିବ । ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଢାଞ୍ଚାରେ ରାଜ୍ୟରେ ‘ଖବରକାଗଜ ବିତରକ କଲ୍ୟାଣ ବୋର୍ଡ’ ଗଠନ ହେବ । ବିତରକମାନଙ୍କୁ ସାମାଜିକ ସୁରକ୍ଷା ବଳୟ ଆଣିବାକୁ ସେମାନଙ୍କୁ ବାସଗୃହଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟବୀମା ପ୍ରଦାନ କରାଯିବ ବୋଲି ୫-ଟି ସଚିବ ଭି.କେ. ପାଣ୍ଡିଆନ ବୈଠକରେ ଘୋଷଣା କରିଛନ୍ତି । ତେବେ ରାଜ୍ୟ ସରକାର ଖୁବଶୀଘ୍ର ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିବେ ବୋଲି ଜଣାପଡ଼ିଛି ।

ତେବେ ଖବରକାଗଜ ବିତରକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହେବାକୁ ଯାଉଛି । ଏହି ଅବସରରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବିତରକମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ସହ ଶ୍ରୀ ପାଣ୍ଡିଆନଙ୍କ ସହ ଏନେଇ ଆଲୋଚନା କରିଥିଲେ । ବିତରକଙ୍କୁ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ସାମିଲ, ପରିଚୟପତ୍ର ପ୍ରଦାନ, ଗୃହହୀନଙ୍କୁ ଆବାସ ଯୋଜନାରେ ସାମିଲ୍, ସଂଘର କାର୍ଯ୍ୟାଳୟ ପାଇଁ ଜମି ପ୍ରଦାନ କରିବାକୁ ସେମାନେ ପ୍ରସ୍ତାବ ରଖିଥିଲେ । ତେବେ ବୋର୍ଡ ମାଧ୍ୟମରେ ବିତରକଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ଶ୍ରୀ ପାଣ୍ଡିଆନ ପ୍ରତିଶ୍ରୁତି ଦେଇଛନ୍ତି । ଦିନେ ଦୁଇଦିନ ମଧ୍ୟରେ ସରକାର ‘ଖବରକାଗଜ ବିତରକ କଲ୍ୟାଣ ବୋର୍ଡ’ ଗଠନ ନେଇ ବିଜ୍ଞପ୍ତି ପ୍ରକାଶ କରିବେ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ସୁଦୃଢ଼ କରିବାରେ ହକରଙ୍କ ଭୂମିକାକୁ ଅଣଦେଖା କରାଯାଇ ପାରିବନି । ଦେଶର ପ୍ରଥମ ରାଜ୍ୟ ଭାବେ ହକରଙ୍କ ହକ ପାଇଁ ରାଜ୍ୟ ସରକାର ପ୍ୟାକେଜ୍ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.