‘ମୋ ନାତି ମତେ ଅଳିଆ ଗଦାରେ ଫୋପାଡ଼ିଦେଇ ଚାଲିଗଲା’, କାନ୍ଦି କାନ୍ଦି କହିଲେ ବୃଦ୍ଧା

70-80 ବର୍ଷୀୟା ବୃଦ୍ଧାଙ୍କୁ ମାରି ଅଳିଆ ଗଦାରେ ଫୋପାଡ଼ିଦେଲା ନାତି

ମୁମ୍ବାଇ: ପ୍ରାୟ 70-80 ବର୍ଷୀୟା ବୃଦ୍ଧାଙ୍କୁ ମାରି ଅଳିଆ ଗଦାରେ ଫୋପାଡ଼ିଦେଲା ନାତି। ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ମୁମ୍ବାଇର ଆରେ କଲୋନୀରେ। ସେଠାରେ ଏକ ଅଳିଆ ଗଦାରୁ ଜଣେ ବୃଦ୍ଧା ମହିଳାଙ୍କୁ ଉଦ୍ଧାର କରାଯାଇଥିଲା।

ଅଳିଆ ଗଦାରୁ ମିଳିଲେ ବୃଦ୍ଧା: ଆରେ କଲୋନିର ୟୁନିଟ୍ ନମ୍ବର 32 କୁ ଯାଉଥିବା ରାସ୍ତାରେ ଏକ ଅଳିଆ ଗଦାରେ ଜଣେ ବୃଦ୍ଧା ମହିଳାଙ୍କୁ ଦେଖିବାକୁ ମିଳିଥିଲା। ପୋଲିସ କଣ୍ଟ୍ରୋଲ ରୁମକୁ ସୂଚନା ଦିଆଯିବା ପରେ ଆରେ ପୋଲିସ ଷ୍ଟେସନର ଏକ ଦଳ ଘଟଣାସ୍ଥଳରେ ପହଞ୍ଚି ପଚିଯାଇଥିବା ଅଳିଆ ଗଦା ମଧ୍ୟରେ 60 ରୁ 70 ବର୍ଷ ବୟସର ଜଣେ ମହିଳାଙ୍କୁ ଉଦ୍ଧାର କରିଥିଲେ।

ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଅଧିକାରୀ: ମହିଳା ଜଣଙ୍କ ଗୋଲାପୀ ରଙ୍ଗର ନାଇଟ୍ ଡ୍ରେସ୍ ଏବଂ ଧୂସର ରଙ୍ଗର ପେଟିକୋଟ୍ ପିନ୍ଧିଥିଲେ। ତାଙ୍କ ମୁହଁରେ ଏକ ଚିକିତ୍ସାହୀନ କ୍ଷତ ଥିଲା ଏବଂ ତାଙ୍କ ଗାଲ ଆଉ ନାକରେ ସଂକ୍ରମଣ ହୋଇଥିବା ସ୍ପଷ୍ଟ ଭାବରେ ଦେଖାଯାଉଥିଲା। ଯେତେବେଳେ ଅଧିକାରୀମାନେ ତାଙ୍କ ଅବସ୍ଥା ଦେଖିଲେ ସେତେବେଳେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ହସ୍ପିଟାଲ ତାଙ୍କୁ ଫେରାଇ ଦେଇଥିଲା: କନଷ୍ଟେବଳ ରାଠୋର ଏବଂ ମହିଳା ପୋଲିସ କନଷ୍ଟେବଳ ନିକିତା କୋଲେକର ତୁରନ୍ତ ମହିଳାଙ୍କୁ ଏକ ପୋଲିସ ଭ୍ୟାନରେ ବସାଇ ଯୋଗେଶ୍ୱରୀ ଟ୍ରମା କେୟାର ହସ୍ପିଟାଲକୁ ନେଇଯାଇଥିଲେ। କିନ୍ତୁ ସୁବିଧା ଅଭାବରୁ ହସ୍ପିଟାଲ ତାଙ୍କୁ ଭର୍ତ୍ତି କରିବାକୁ ମନା କରିଦେଇଥିଲା।

ତା’ପରେ ଅଧିକାରୀମାନେ ତାଙ୍କୁ କୁପର ହସ୍ପିଟାଲକୁ ନେଇଯାଇଥିଲେ, ଯେଉଁଠାରେ ଡାକ୍ତରମାନେ ପ୍ରାରମ୍ଭିକ ଚିକିତ୍ସା କରି ଆଉ କରିପାରିବେନି ବୋଲି ମନା କରିଦେଇଥିଲେ ଏବଂ ତାଙ୍କୁ ଉନ୍ନତ ସୁବିଧା ଥିବା ହସ୍ପିଟାଲକୁ ନେବାକୁ ପରାମର୍ଶ ଦେଇଥିଲେ।

ମହିଳାଙ୍କ ଅବସ୍ଥା ଅତ୍ୟଧିକ ଖରାପ ହେଉଥିବାରୁ କୌଣସି ହସ୍ପିଟାଲ ତାଙ୍କୁ ଭର୍ତ୍ତି କରିବାକୁ ରାଜି ନଥିଲେ, ତେଣୁ ପୋଲିସ ଚେଷ୍ଟା ଜାରି ରଖିଥିଲା। ପ୍ରାୟ ଆଠ ଘଣ୍ଟା ପରେ, କୁପର ହସ୍ପିଟାଲ ଶେଷରେ ତାଙ୍କୁ ଭର୍ତ୍ତି କରିବାକୁ ରାଜି ହୋଇଥିଲେ।

ମୋ ନାତି ମୋତେ ଏଠାରେ ଛାଡି ଚାଲିଗଲା: ଚିକିତ୍ସା ପରେ ମହିଳା ନିଜକୁ ଯଶୋଦା ଗାୟକୱାଡ ବୋଲି ପରିଚୟ ଦେଇ ପୋଲିସକୁ କହିଥିଲେ ଯେ, ତାଙ୍କ ନାତି ତାଙ୍କୁ ଅଳିଆ ଗଦାରେ ଫୋପାଡ଼ି ଦେଇଥିଲା।

ତା ପରେ ପୋଲିସ ତାଙ୍କ ପରିବାରକୁ ଖୋଜାଖୋଜି ଆରମ୍ଭ କରିଥିଲା। ଯଶୋଦା ପୋଲିସକୁ ଦୁଇଟି ଠିକଣା ଦେଇଥିଲେ, ଗୋଟିଏ ମାଲାଡର ଏବଂ ଅନ୍ୟଟି କାନ୍ଦିଭାଲିର। ପୋଲିସ ଦଳ ଉଭୟ ସ୍ଥାନ ପରିଦର୍ଶନ କରି ବାସିନ୍ଦାଙ୍କୁ ପଚରାଉଚରା କରିଥିଲେ, କିନ୍ତୁ କେହି ତାଙ୍କ ପରିଚୟ ନିଶ୍ଚିତ କରିପାରିଲେ ନାହିଁ।

ତାଙ୍କ ପରିବାରକୁ ଖୋଜିବା ପାଇଁ, ତାଙ୍କ ଫଟୋ ସମସ୍ତ ମୁମ୍ବାଇ ପୋଲିସ ଷ୍ଟେସନକୁ ପ୍ରସାରିତ କରାଯାଇଛି। ପୋଲିସ ଅଧିକାରୀମାନେ ତାଙ୍କୁ କିପରି ଘଟଣାସ୍ଥଳକୁ ଅଣାଯାଇଥିଲା ତାହା ଜାଣିବା ପାଇଁ ଆରେ ନିକଟସ୍ଥ ପ୍ରତ୍ୟେକ ରାସ୍ତା ଏବଂ ଗଳିରୁ ସିସିଟିଭି ଫୁଟେଜ୍ ମଧ୍ୟ ସ୍କାନ କରୁଛନ୍ତି। କିନ୍ତୁ ଦୁର୍ଭାଗ୍ୟବଶତଃ, ଅଳିଆ ଗଦା ନିକଟରେ କୌଣସି କ୍ୟାମେରା ନାହିଁ। ତଥାପି ମଧ୍ୟ ପୋଲିସ ହାର ମାନିନି। ତଦନ୍ତ ଏବେ ବି ଜାରି ରହିଛି।