#Atmanirbhar ବର: ନିଜ ବାହାଘରରେ ନିଜେ ବାଜା ବଜାଇଲେ ବର, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ, ୧୩/୦୫ : ଦେଶରେ କୋଭିଡ୍ ସଂକ୍ରମଣ ବେକାବୁ ହେଉଥିବା ବେଳେ ବିବାହ, ଅନ୍ତ୍ୟୋଷ୍ଟି କ୍ରିୟା ଏବଂ ଅନ୍ୟାନ୍ୟ ଉତ୍ସବ ଉପରେ କଟକଣା ଲଗାଯାଇଛି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ରାଜ୍ୟ ସରକାର ଘୋଷଣା କରିଛନ୍ତି କୌଣସି ବାହାଘରରେ ବରଯାତ୍ରୀ ଯାଇ ପାରିବେ ନାହିଁ । କାରଣ ଏହାଦ୍ୱାରା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଥାଏ । ତେବେ ଏହାରି ଭିତରେ ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ବର ନିଜେ ନିଜ ବାହାଘରରେ ବାଜା ବଜାଉଥିବା ଦେଖିବାକୁ ମିଳିଛି । ଏହାକୁ ଏକ ଆଇପିଏସ୍ ଅଫିସର୍ ନିଜ ଟୁଇଟର୍ ହ୍ୟାଣ୍ଡେଲରେ ସେୟାର କରିଛନ୍ତି ।

ଏହି ୩୦ ସେକେଣ୍ଡର ଭିଡିଓରେ ଦେଖିବାକୁ ମିଳିଛି ଯେ, ବର କାନ୍ଧରେ ଗୋଟିଏ ଡ୍ରମ୍ ରହିଛି । ଆଉ ତା ପଛକୁ କନ୍ୟା ଠିଆ ହୋଇଛି । ଆଉ ବର ଜଣକ ବାଜା ବଜାଉଛି । କୋଭିଡ୍ ନିୟମ ପାଳନ କରିବାକୁ ଯାଇ ସେମାନେ ଏବଂ ତାଙ୍କ ପରିବାର ଲୋକେ ଅଳ୍ପ ଲୋକରେ ବିବାହ କରୁଥିବା ବର ନିଜେ ବାଜା ବଜାଉଛି । ଭିଡିଓଟିକୁ ସେୟାର କରି ଆଇପିଏସ୍ ଅଫିସର୍ କ୍ୟାପସନ୍ ରେ ଲେଖିଛନ୍ତି ଯେ, “ଆତ୍ମନିର୍ଭର ବର” । ତେବେ ଏହି ଭିଡିଓକୁ ଅନେକ ୟୁଜର୍ ଲାଇକ୍ ଏବଂ ସେୟାର କରିଥିବା ବେଳେ ମଜାଦାର କମେଣ୍ଟ ଦେଇଛନ୍ତି । ଜଣେ ୟୂଜର୍ ଲେଖିଛନ୍ତି ଯେ, “କରୋନା ନିୟମ ପାଳନ କରୁଥିବା ବର” । ସେହି ପରି ଆଉ ଜଣେ ଲେଖିଛନ୍ତି ଯେ, “ଆଜି ଢ଼ୋଲ ପିଟୁଛି, କାଲି ନିଜ ମୁଣ୍ଡ ପିଟିବ” ।