ସୁନା ବ୍ୟବସାୟୀଙ୍କ ହାତରୁ ଝାମ୍ପିନେଲେ ଅଧ କିଲୋର ସୁନା ଅଳଙ୍କାର

ରାୟଗଡା- ଦୋକାନ ନ ଖୋଲୁଣୁ ହାତରୁ ଝାମ୍ପିନେଲେ ଅଧ କିଲୋ ଓଜନର ସୁନା । ସୁନା ଦୋକାନୀଙ୍କ ହାତରୁ ସୁନା ଝାମ୍ପିନେଲେ ଲୁଟେରା । ଏମିତି ଘଟଣା ଘଟିଛି ଦେବଗଡରେ । ରାୟଗଡାର ଜନୈକ ସୁନା ଦୋକାନୀ ସକାଳୁ ସକାଳୁ ପ୍ରତି ଦିନ ପରି ଆଜି ନିଜ ଦୋକାନ ଖୋଲିବାକୁ ଆସିଥିବା ବେଳେ ଦୋକାନ ଆଗରୁ ତାଙ୍କ ହାତରେ ଥିବା ସୁନା ବ୍ୟାଗକୁ ଦୁଇ ଜଣ ଲୁଟେରା ଝାମ୍ପି ଚମ୍ପଟ ମାରିଛନ୍ତି ।

ରାୟଗଡାର ଅମ୍ବାଦୋଳା ଥାନା ନିକଟ ରାସ୍ତା କଡରେ ରହିଛି ଦୋକାନ । ସୋମବାର ପୂର୍ବାହ୍ନରେ ଦୋକାନୀ ସୁନା ବ୍ୟାଗ ନେଇ ଆସିଥିଲେ ।ଦୋକନ ଆଗରେ ପହଞ୍ଚି ଦୋକାନ ସଟର ଖୋଲିବା ବେଳକୁ କୁଆଡୁ କେଜାଣି ଦୁଇ ଜଣ ଦୁର୍ବୃତ୍ତ ଆସି ତାଙ୍କ ହାତରେ ଥିବା ସୁନା ବ୍ୟାଗ ଲୁଟି ନେଇଛନ୍ତି । ଏନେଇ ସମ୍ପୃକ୍ତ ଦୋକାନୀ ଥାନାରେ ଅଭିଯୋଗ କରିଛନ୍ତି । ଦୋକାନୀ ଥାନାରେ ଅଭିଯୋଗ କରିଛନ୍ତି କି, ସେ ବ୍ୟାଗରେ ଅଧା କିଲୋ ଓଜନର ସୁନା ଅଳଙ୍କାର ନେଇ ଆସିଥିଲେ । ଯାହାକୁ ଦୁର୍ବୃତ୍ତମାନେ ଲୁଟ କରି ନେଇଛନ୍ତି ।

ଦୋକାନୀଙ୍କ ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଦୋକାନରେ ଲାଗିଥିବା ସିସିଟିଭି ସହ ଆଖପାଖରେ ଥିବା ସିସିଟିଭି କ୍ୟାମେରା ଯାଞ୍ଚ କରୁଛି ପୋଲିସ । ଦୁଇ ଦୁର୍ବୃତ୍ତ ବାଇକରେ ଆସି ସୁନା ଲୁଟିନେବା ଘଟଣା କ୍ୟାମେରାରେ କଏଦ ହୋଇଛି । ପୋଲିସ ସେମାନଙ୍କୁ ଧରିବାକୁ ଚାରିଆଡେ ଖୋଜା ଆରମ୍ଭ କରିଛି।