fbpx

ସୁନା କିଣୁଥିବା ଗ୍ରାହକଙ୍କ ପାଇଁ ବଡ଼ ଖବର, ଆଜିଠୁ ସୁନା ହଲମାର୍କିଂ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଆଜିଠାରୁ ଦେଶରେ ସୁନା ହଲମାର୍କିଂ ବାଧ୍ୟତାମୂଳକ କରାଯାଇଛି । ଭାରତୀୟ ମାନକ ବ୍ୟୁରୋ (ବିଆଇଏସ) ପକ୍ଷରୁ ଏହି ନିୟମ ପ୍ରଣୟନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ସମଗ୍ର ଭାରତବର୍ଷରେ ମୋଟ ୨୫୬ଟି ଜିଲ୍ଲାରେ ଏହା ଲାଗୁ କରାଯିବ । ଆସନ୍ତା ଅଗଷ୍ଟ ମାସ ପର୍ଯ୍ୟନ୍ତ ଖିଲାପକାରୀଙ୍କ ଠାରୁ କୌଣସି ଜରିମାନା ଆଦାୟ କରାଯିବ ନାହିଁ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପିୟୂଷ ଗୋୟଲ ।

ସୂଚନାଯୋଗ୍ୟ ଯେ, ଗତବର୍ଷ ନଭେମ୍ବର ମାସରେ କେନ୍ଦ୍ର ସରକାର ଘୋଷଣା କରିଥିଲେ ଯେ, ସୁନା ଗହଣାରେ ହଲମାର୍କଂ ବାଧ୍ୟତାମୂଳକ କରାଯିବ । ଫଳରେ ଗ୍ରାହକମାନେ ଠକାମିର ଶିକାର ହେବେ ନାହିଁ । ଏଥିପାଇଁ ୨୦୨୧ ଜାନୁଆରୀ ମାସ ୧୫ ତାରିଖ ପର୍ଯ୍ୟନ୍ତ ଡେଡଲାଇନ୍ ଧାର୍ଯ୍ୟ ହୋଇଥିଲା । ମାତ୍ର କୋଭିଡ୍ କାରଣରୁ ଏହି ଅବଧିକୁ ବୃଦ୍ଧି କରାଯାଇଥିଲା । ଆଜି ପର୍ଯ୍ୟନ୍ତ ଦେଶରେ ସୁନା ଗହଣାରେ ଉପରେ ହଲମାର୍କିଂ ଇଚ୍ଛାଧୀନ ରହିଥିଲା । ଏଥିପାଇଁ କମ୍ ଗୁଣବତ୍ତାର ସୁନା ଦେଇ ଦୋକାନୀମାନେ ଲୋକଙ୍କୁ ସହଜରେ ଠକି ଆସୁଥିଲେ । ସୁନାର ଶୁଦ୍ଧତା ଜାଣିବା ପାଇଁ ହଲମାର୍କିଂ ବ୍ୟବହାର କରାଯାଇଥାଏ । ଯଦି କୌଣସି ବ୍ୟବସାୟୀ ଏହି ନିୟମ ପାଳନ କରିବେ ନାହିଁ, ତେବେ ବିଏସଆଇ ଆକ୍ଟ ୨୦୧୬ ସେକ୍ସନ ୨୯ ଅଧୀନରେ ୧ ବର୍ଷ ଜେଲ୍ କିମ୍ବା ୧ ଲକ୍ଷ ଜରିମାନା ଆଦାୟ କରାଯିବ । ଘରେ ରହିଥିବା ସୁନା ଉପରେ ହଲମାର୍କିଂ ବାଧ୍ୟତାମୂଳକ ନୁହେଁ, ଏହା ବିନା ହଲମାର୍କିଂରେ ବିକ୍ରି କରିହେବ ବୋଲି କୁହାଯାଇଛି ।

Get real time updates directly on you device, subscribe now.