ସ୍ନେହର ଅସରନ୍ତି ଭଣ୍ଡାର ମା’

ଆଜି ହେଉଛି ମାତୃ ଦିବସ । ଅର୍ଥାତ୍ ମା’ ପାଇଁ ଦିନ ଟିଏ । କୁହାଯାଏ ଦୁନିଆର ସବୁଠାରୁ ସୁନ୍ଦର ଶବ୍ଦ ହେଉଛି ମା’ । ଯାହାକୁ କେହି ବ୍ୟାଖ୍ୟା କରିପାରି ନାହାନ୍ତି କି କେହି କରି ପାରିବେନି ମଧ୍ୟ । ଦୁନିଆର ସବୁଠାରୁ ବଡ ଯୋଦ୍ଧା ହେଉଛି ମା’ । ନିଜେ କଷ୍ଟ ସହି ନିଜ ପିଲାମାନଙ୍କ ମୁହଁରେ ହସ ଟିକେ ଆଣିବା ପାଇଁ ସେ ସବୁ ବେଳେ ତତ୍ପର ଥାଏ । ନିଜେ ପଛେ ଭୋକରେ ରହିଯାଏ ହେଲେ ନିଜ ଛୁଆର ଉଦର ଭରିବାକୁ ସେ କେବେ ଭୁଲେନି । ମା’ ଶବ୍ଦଟା ହିଁ ନିଆରା । ଦୁନିଆ ଆରମ୍ଭ ସେଇ ମା’ ରୁ ଆଉ ଶେଷ ବି ସେଇ ମା’ରୁ ହିଁ ହୋଇଥାଏ । ତା ସ୍ନେହ ପରସା ଚାହାଣି ମନରେ ଅସରନ୍ତି ଖୁସି ଭରିଦିଏ । ତା କଣ୍ଠର ସେଇ କିଛି ପଦ କଥା ହୃଦୟର ଦୁଃଖକୁ ଲାଘବ କରିଦିଏ ।

ଯେତେ ଝଡ ଝଞ୍ଜା ଆସୁ କି ଶୀତ କାକର ସବୁ ବେଳେ ସେ ତା ଛୁଆକୁ ସବୁ ଅସୁବିଧାରୁ ଦୁରେଇ ରଖିବାକୁ ଗୋଟିଏ ଶକ୍ତ ବାଡ ହୋଇ ଠିଆ ହୁଏ । ଛୁଆଟି ଯେତେବେଳେ ଜନ୍ମ ହୋଇ ଆଖି ଖୋଲିଥାଏ ସେତେବେଳେ ଯେଉଁ ପ୍ରଥମ ମୁହଁ ସାମନାକୁ ଆସିଥାଏ ତାହା ହେଉଛି ସେହି କୋମଳମତି ମା’ର । ଲୁହ ଭରା ଆଖିରେ ଏକଲୟରେ ଚାହିଁ ରହିଥାଏ ସେ ତା ଛୁଆକୁ । ଆଉ ସେହି ମା’ ପାଟିରୁ ଦୁଇ ପଦ କଅଁଳ କଥା ଶୁଣି ହେଲେ ବନ୍ଦ ହୋଇଯାଏ ରାହା ଧରି କାନ୍ଦୁଥିବା ଛୁଆର କାନ୍ଦ । ଏ ଅବିବେକି ଦୁନିଆ ସାଥ୍ ଦେଉ କି ନ ଦେଉ ଯେତେ ଭୁଲ୍ କଲେ ବି ମା’ କେବେ ଛୁଆର ସାଥ୍ ଛାଡେନି । ମା’ ଭଲ ପାଇବା କେବେ ସରେନି । ତାହା ହେଉଛି ଅସରନ୍ତି ଭଣ୍ଡାର ।

ଏମିତି କହୁ କହୁ ବହି ସରିଯିବ ପଛେ ତାର ବର୍ଣ୍ଣନା ସରିବନି । ତେବେ ଆଜି ହେଉଛି ସେଇ ସ୍ନେହମୟୀ, କରୁଣାମୟୀ ମା’ ପାଇଁ ଖୁବ୍ ସୁନ୍ଦର ଦିନ ଟିଏ । ୧୦ ମାସ କାଳ ସେ କଷ୍ଟ ସହି ତା’ ଜୀବନ ଅର୍ଥାତ୍ ତା ଛୁଆକୁ ଏ ଦୁନିଆକୁ ଆଣିଥାଏ । ଛୁଆର ସବୁ ଅଳି ଅର୍ଦ୍ଦଳୀକୁ ସହି ଲାଳନ ପାଳନ କରିଥାଏ । ଛୁଆ ଯେତେ କଷ୍ଟ ଦେଲେ ବି ସେ କେବେ ଅଭିଯୋଗ କରେନି ବରଂ ସେ ଅଳିକୁ ପୁରା କରିବା ପ୍ରୟାସରେ ଲାଗି ଯାଏ । ଏଇ ଭବରଙ୍ଗ ଭୁଇଁରେ ତା ଋଣକୁ ସୁଝିବା ଅସମ୍ଭବ । ତେବେ ଖାଲି ଆଜି ନୁହେଁ, ଚାଲନ୍ତୁ ଶପଥ କରିବା ଯେ କେବେବି ସେହି ସ୍ନେହ ରଙ୍କୁଣୀ ମା’ ମନରେ ଦୁଃଖ ଦେବା ନାହିଁ । ସେ ଯେପରି ଛୁଆ ମୁହଁରେ ଦୁଃଖ ଦେଖି ସହି ପାରେନି ଠିକ୍ ସେହି ଭଳି ଆମେ ମା’ ମନରେ ଦୁଃଖ ଦେବା ନାହିଁ ।