fbpx

ରାଜପଥ କଡ଼ରୁ ମୃତଦେହ ଉଦ୍ଧାର ଘଟଣା: ରାସ୍ତାକଡ଼ରେ ଫିଙ୍ଗିଥିବା ଦୁଇ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ , ବୋଲେରୋ ଓ ବାଇକ୍ ଜବତ

ପିିପିଲି (ଭାସ୍କର ନ୍ୟୁଜ୍‌): ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ଦଇସିାଟଣା ଓ ଶିଉଳା ମଧ୍ୟବର୍ତ୍ତୀ ସ୍ଥାନର ରାଜପଥ କଡ଼ ଏକ ବରଗଛ ମୂଳରୁ ଗତ ୪ତାରିଖ ସନ୍ଧ୍ୟାରେ ପିିପିଲି ପୋଲିସ ଜଣେ ଯୁବକଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରି ପିିପିଲି ହସ୍ପିଟାଲକୁ ଆଣିଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ସ୍ତ୍ରୀ ହସ୍ପିଟାଲରେ ପହଞ୍ଚି ଶବ ଚିହ୍ନଟ କରିଥିଲେ। ମୃତକ ଡେଲାଙ୍ଗ ଜେନାପୁର ଗାଁର ରତ୍ନାକର ପ୍ରଧାନ(୩୨) ବୋଲି ଜଣାପଡ଼ିଥିଲା । ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରୁଥିବାବେଳେ ପୁରୁଣା ଭୁବନେଶ୍ୱର ମହାବୀର ନଗରରେ ଭଡା ଘରେ ସପରିବାର ରହୁଥିଲେ । ଉକ୍ତ ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ଏକ ବୋଲେରୋ ଗାଡ଼ି ଓ ମୃତକଙ୍କ ବାଇକ୍‌କୁ ଜବତ କରିଛି । ଅଭିଯୁକ୍ତଙ୍କ ଗାଡ଼ି ଧକ୍କା ଦେବା ପରେ ସେମାନେ ରାସ୍ତା କଡ଼ରେ ଗୁରୁତର ରତ୍ନାକରଙ୍କୁ ଫିଙ୍ଗି ଦେଇ ଘରକୁ ଚାଲିଯାଇଥିବା ତଦନ୍ତରୁ ଜଣାଯାଇଛି । ଦୁର୍ଘଟଣା ସ୍ଥଳରେ ଜନୈକ ଯୁବକଙ୍କ ଦୁର୍ଘଟଣା ସମ୍ପର୍କିତ ଭିଡ଼ିଓ ରେକର୍ଡ଼ିଂରୁ ପୋଲିସକୁ ଏହି ସଫଳତା ମିଳିଥିବା ଜଣାଯାଇଛି। ପୁରୀ ଜିଲ୍ଲା ଅତିରିକ୍ତ ଏସପି ପ୍ରଫୁଲ୍ଲ ଚନ୍ଦ୍ର ବଡ଼ଜେନା ପିିପିଲି ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ମୃତକଙ୍କ ଦାଦା ଶିବ ପ୍ରସାଦ ସ୍ୱାଇଁ ପିପିଲି ଥାନାରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ପୁତୁରା ରତ୍ନାକରଙ୍କୁ କେହି ଦୁର୍ବୃତ୍ତ ହତ୍ୟାକରିଛି । ମୃତ୍ୟୁର ରହସ୍ୟ ସହ ଦୋଷୀ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଉକ୍ତ ଏତଲାରେ ସେ ଉଲ୍ଲେଖ କରିଥିଲେ । ପୁରୀ ଏସ୍‌ପି ଡ଼. କନୱାର ବିଶାଲ ସିଂଙ୍କ ନିର୍ଦ୍ଦେଶରେ ପିପିଲି ଏସ୍‌ଡି ପିଓ ଦେବଦତ ବରାଳ ଓ ପିିପିଲି ଥାନା ଆଇଆଇସି ଅଭିମନ୍ୟୁ ନାୟକ ଏହି ଘଟଣାର ତଦନ୍ତ କରି କଣାସ ଥାନା ଜଳିଆପଡ଼ା ଗାଁର ପ୍ରଶାନ୍ତ ଦାଶ(୪୪) ଓ ତାଙ୍କ ଝିଆରୀ ଜ୍ୱାଇଁ ପୁରୀ କୁମ୍ଭାରପଡ଼ାର ଦେବଦତ୍ତ ମହାପାତ୍ର(୩୯)ଙ୍କୁ ଗିରଫ କରିବା ସହ ବ୍ୟବହୃତ ବୋଲେରୋକୁ ପୋଲିସ ଜବତ କରିଛି।

ସୂଚନା ଅନୁସାରେ ଗତ ୪ତାରିଖରେ ପ୍ରଶାନ୍ତ ଓ ଦେବଦତ ଉଭୟେ ଏକ ବୋଲେରୋରେ ଭୁବନେଶ୍ୱର ଯାଉଥିବାବେଳେ ପିିପିଲି କେନାଲ ବନ୍ଧ ରାସ୍ତା ଉପରେ ସମ୍ମୁଖରୁ ବାଇକରେ ଆସୁଥିବା ମୃତକ ରତ୍ନାକରଙ୍କ ସହ ଧକ୍କା ହୋଇଥିଲା । ଉଭୟେ ରତ୍ନାକରଙ୍କୁ ବୋଲେରୋରେ ହସ୍ପିଟାଲ ନେଉଛୁ କହି ଦୁର୍ଘଟଣା ସ୍ଥଳରେ ପକାଇ ପଳାଇ ଆସିଥିଲେ। ଗୁରୁତର ରତ୍ନାକର ଦୀର୍ଘ ସମୟ ପଡି ଚିକିତ୍ସା ନପାଇ ମୃତ୍ୟୁବରଣ କରିଥିଲେ । ପିପିଲି ଥାନା କେସ ନଂ.୩୫୧/୨୧ରେ ଆଇପିସିର ୨୭୯,୩୦୪,୨୦୧ ଓ ୩୪ ଦଫାରେ ପୋଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ପ୍ରଶାନ୍ତ ଓ ଦେବଦତ୍ତଙ୍କୁ ରବିବାର ପିପିଲି କୋର୍ଟକୁ ପଠାଇଥିଲେ । ସେଠାରେ ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ନିମାପଡ଼ା ଜେଲ୍‌କୁ ପଠାଇ ଦିଆଯାଇଛି ।

Get real time updates directly on you device, subscribe now.