fbpx

କରୋନାକୁ ନେଇ ୫ଟି ରାଜ୍ୟକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଚେତାବନୀ; କେରଳରୁ ଦିଲ୍ଲୀ ପର୍ଯ୍ୟନ୍ତ ବିଗିଡ଼ିପାରେ ପରିସ୍ଥିତି

ନୂଆଦିଲ୍ଲୀ: ଗତ ୨ ବର୍ଷ ଧରି ଦୁନିଆରେ କରୋନା ମହାମାରୀର ଆତଙ୍କ ଦେଖିବାକୁ ମିଳିଛି । ଅନେକ ଦେଶ ଧିରେ ଧିରେ ସାଧାରଣ ଜୀବନଶୈଳୀ ଆପଣାଇବାକୁ ଚେଷ୍ଟା କରୁଛନ୍ତି । ସେହି ଦେଶମାନଙ୍କ ମଧ୍ୟରେ ଆମ ଦେଶ ଭାରତ ବି ରହିଛି । କିନ୍ତୁ ଏହାରି ମଧ୍ୟରେ ଦେଶର ୫ଟି ରାଜ୍ୟରେ ପୁଣି ଥରେ କରୋନାର ଅଧିକ ମାମଲା ସାମ୍ନାକୁ ଆସିଛି । ଏହାକୁ ନେଇ ଦିଲ୍ଲୀ, ହରିୟାଣା, କେରଳ, ମହାରାଷ୍ଟ୍ର ଓ ମିଜୋରାମକୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ଏଥିରେ ବଢ଼ୁଥିବା କରୋନା ମାମଲାରେ ଅଙ୍କୁଶ ଲଗାଇବାକୁ ପରାମର୍ଶ ଦିଆଯାଇଛି ।

ଏହି ଚିଠିରେ ଦିଲ୍ଲୀ, ହରିୟାଣା, କେରଳ, ମହାରାଷ୍ଟ୍ର ଏବଂ ମିଜୋରାମର ପଜିଟିଭ ଦର ଉପରେ ଚିନ୍ତା ପ୍ରକଟ କରାଯାଇଛି । ଏହା ମଧ୍ୟ କୁହାଯାଇଛି ଯେ, ଗତ ସପ୍ତାହରେ କେରଳରେ ୨୩୨୧ ଟି ନୂଆ ମାମଲା ଦେଖିବାକୁ ମିଳିଛି । ଯାହାକି ସମଗ୍ର ଦେଶର କରୋନା ମାମଲାର ୩୧.୮ ପ୍ରତିଶତ । ଏହା ସହ ପଜିଟିଭ ହାର ୧୩.୪୫ ପ୍ରତିଶତରୁ ୧୫.୫୩ ପ୍ରତିଶତକୁ ବୃଦ୍ଧି ପାଇଛି ।

ସେହିପରି ମିଜୋରାମରେ ୮୧୪ ଟି ନୂଆ ମାମଲା ଦେଖିବାକୁ ମିଳିଛି, ଯାହା ଦେଶର ମୋଟ ମାମଲାର ୧୧.୧୬ ପ୍ରତିଶତ । ଏଠାରେ ମଧ୍ୟ ପଜିଟିଭ ହାର ୧୪.୩୮ ପ୍ରତିଶତରୁ ୧୬.୪୮ ପ୍ରତିଶତକୁ ବୃଦ୍ଧି ପାଇଛି ।

ମହାରାଷ୍ଟ୍ରରେ ୭୯୪ ଟି ନୂଆ କରୋନା ଭାଇରସ୍ ଦେଖିବାକୁ ମିଳିଛି, ଯାହା ଦେଶର ମୋଟ ରୋଗର ୧୦.୯ ପ୍ରତିଶତ । ଏଠାରେ ପଜିଟିଭ ହାର ୦.୩୯ ପ୍ରତିଶତରୁ ୦.୪୩ ପ୍ରତିଶତକୁ ବୃଦ୍ଧି ପାଇଛି । ଦିଲ୍ଲୀରେ ୮୨୬ ଟି ନୂଆ ମାମଲା ସାମ୍ନାକୁ ଆସିଛି ଯାହା ଦେଶର ୧୧.୩୩ ପ୍ରତିଶତ ମାମଲା । ଦିଲ୍ଲୀରେ ମଧ୍ୟ ପଜିଟିଭ ହାର ୦.୫୧ ପ୍ରତିଶତରୁ ୧.୨୫ ପ୍ରତିଶତକୁ ବୃଦ୍ଧି ପାଇଛି ।

ଏଥିସହିତ ହରିୟାଣାରେ ୪୧୬ ଟି ନୂଆ ମାମଲା ଦେଖିବାକୁ ମିଳିଛି । ଯାହା ଦେଶର ୫.୭୦ ପ୍ରତିଶତ ମାମଲା । ଏଠାରେ ମଧ୍ୟ ପଜିଟିଭ ହାର ୦.୫୧ ପ୍ରତିଶତରୁ ୧.୦୬ ପ୍ରତିଶତକୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ୫ଟି ରାଜ୍ୟକୁ ଚିଠି ଲେଖି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.