fbpx

ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସତର୍କ ସୂଚନା: ୧୮ରୁ ୨୦ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରବଳ ବର୍ଷାରେ ଆଜି ବେହୋଲ ହୋଇପଡ଼ିଛି ଦ୍ୱୈତ ନଗରୀ । ସନ୍ଧ୍ୟା ୬ଟାରୁ ପାଖାପାଖି ଏକ ଘଣ୍ଟା ସମୟ ଧରି ଭୁବନେଶ୍ୱର ଓ କଟକରେ ଘଡ଼ଘଡ଼ି ସାଙ୍ଗକୁ କଳାହାଣ୍ଡିଆ ମେଘ ମାଡ଼ି ଆସିଥିଲା । ଫଳରେ ମାତ୍ର ଅଳ୍ପ ସମୟ ମଧ୍ୟରେ ଟ୍ୱିନ୍ ସିଟିର ଗଳିକନ୍ଦିରେ ବର୍ଷାର ଲହରୀ ଦେଖିବାକୁ ମିଳିଥିଲା । ଅନେକ ସ୍ଥାନରେ ପାଣି ଜମିବା ସହିତ ଜନସାଧାରଣ ଯାତାୟତ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ତେବେ ଆଗକୁ ରାଜ୍ୟବାସୀ ପୁଣି ବର୍ଷାରେ କଲବଲ ହେବାକୁ ଯାଉଛନ୍ତି । ଆସନ୍ତା ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରାଜ୍ୟରେ ପ୍ରବଳ ବର୍ଷା ଅନୁଭୂତ ହେବ । ଉତ୍ତର-ପୂର୍ବ ତତସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାୟୁମଣ୍ଡଳର ୪.୫ରୁ ୭.୬ କିମି ଉଚ୍ଚତା ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବା ଜଣାପଡ଼ିଛି । ତା’ର ପ୍ରଭାବରେ ଉତ୍ତର ବଙ୍ଗୋପସାଗରରେ ୧୮ ତରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି ।

୧୮ ତାରିଖରେ ରାଜ୍ୟର ଖୋର୍ଦ୍ଧା, ନୟାଗଡ଼, ଅନୁଗୁଳ, ବୌଦ୍ଧ, କନ୍ଧମାଳ, ଗଞ୍ଜାମ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, କେନ୍ଦ୍ରାପଡ଼ା, କଟକ, ଅନୁଗୁଳ, ଯାଜପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, ଜଗତସିଂହପୁର, ମାଲକାନଗିରି, କୋରାପୁଟ, ଗଜପତି ଆଦି ଜିଲ୍ଲାର କିଛି ସ୍ଥାନରେ ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି । ତେଣୁ ଏହିସବୁ ଜିଲ୍ଲାକୁ ୟେଲେ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ୧୯ ତାରିଖରେ କୋରାପୁଟ, ମାଲକାନଗିରି, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, କନ୍ଧମାଳ, ନବରଙ୍ଗପୁରର କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ସହ ମୟୁରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, ପୁରୀ, ରାୟଗଡ଼ାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ତେଣୁ ଏହିସବୁ ଜିଲ୍ଲାକୁ ମଧ୍ୟ ବିଭାଗ ପକ୍ଷରୁ ୟେଲେ ୱାର୍ଣ୍ଣିଂ ଜାରି କରାଯାଇଛି । ୨୦ ତାରିଖରେ ମୟୁରଭଞ୍ଜ, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ଗଜପତି, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁରର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ସେହି ସବୁ ଜିଲ୍ଲାକୁ ୟେଲେ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାର କିଛି ସ୍ଥାନରେ ୭-୧୧ ସେମି ପର୍ଯ୍ୟନ୍ତ ବର୍ଷା ଅନୁଭୂତ ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.