fbpx

ବଦଳିଯିବ ମୌସମ: ଆଜିଠାରୁ ୫ଟି ରାଜ୍ୟରେ ଝଡ଼ ବର୍ଷା, ଜାଣନ୍ତୁ ଓଡ଼ିଶାକୁ ନେଇ କ’ଣ କହିଲା IMD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ଦେଶର ବିଭିନ୍ନ ପ୍ରାନ୍ତରେ ପ୍ରବଳ ଗରମ ଅନୁଭୂତ ହେବାରେ ଲାଗିଛି । ତେବେ ଅଧିକ ସମୟ ଧରି ତାତିରେ କଲବଲ ହୋଇ ଆସୁଥିବା ରାଜ୍ୟବାସୀ ଏଥିରୁ ଏବେ ନିସ୍ତାର ପାଇବେ । ପଞ୍ଜାବ, ରାଜସ୍ଥାନ, ଦିଲ୍ଲୀ ସହ କିଛି ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ପ୍ରବଳ ଝଡ଼ ବର୍ଷା ଆସିବା ପରେ ମୌସମୀ ପରିବର୍ତ୍ତନ ହୋଇଯିବ । ଫଳରେ ଆସନ୍ତା ତିନି ଦିନ ମଧ୍ୟରେ ୨-୪ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବ । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଏପରି ପୂର୍ବାନୁମାନ କରାଯାଇଛି ।

ଆଇଏମଡି ଅନୁଯାୟୀ, ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼, ପଞ୍ଜାବ ପରି କିଛି ରାଜ୍ୟରେ ମେ ୩ ଓ ୪ ତାରିଖରେ ଝଡ଼ ବର୍ଷା ସମ୍ଭାବନା ରହିଛି । ଉତ୍ତରପ୍ରଦେଶ ଓ ରାଜସ୍ଥାନର କିଛି ଅଂଶରେ ମଧ୍ୟ ମୌସୁମୀର ପ୍ରଭାବ ଦେଖିବାକୁ ମିଳିପାରେ । ଦକ୍ଷିଣ ଆଣ୍ଡାମାନ ସାଗରରେ ଆସନ୍ତା ୫ ତାରିଖରେ ଲୋ-ପ୍ରେସର କ୍ଷେତ୍ର ସୃଷ୍ଟି ହେବ । ଏହାର ପ୍ରଭାବରେ ଆସନ୍ତାକାଲି ଉତ୍ତର-ପୂର୍ବାଞ୍ଚଳର ବର୍ଷା ହୋଇପାରେ । ଅସମ, ମେଘାଳୟ, ନାଗାଲ୍ୟାଣ୍ଡ, ମଣିପୁର, ମିଜେରାମ ଓ ତ୍ରିପୁରାରେ ପ୍ରବଳ ବର୍ଷା ହୋଇପାରେ ।

ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ କାରଣରୁ ଆସନ୍ତା ୬ ଓ ୭ ତାରିଖରେ ଜମ୍ମୁ ଓ କଶ୍ମୀର, ଲଦ୍ଦାଖ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଜୁଳି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆସନ୍ତା ତିନି ଦିନରେ ତାପମାତ୍ରାରେ ୩ରୁ ୪ ଡିଗ୍ରୀ ହ୍ରାସ ଘଟିପାରେ । ପଞ୍ଜାବ, ହରିଆଣା, ଚଣ୍ଡିଗଡ଼ରେ ବର୍ଷା ସହ ୪୦-୫୦ କିମି ବେଗରେ ପବନ ବହିବ । ତେବେ ଓଡ଼ିଶା ପାଇଁ ଆଇଏମଡି ପକ୍ଷରୁ କୌଣସି ଆଲର୍ଟ ଜାରି କରାଯାଇ ନଥିଲେ ହେଁ ବର୍ଷା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ।

Get real time updates directly on you device, subscribe now.