fbpx

ଦିଲ୍ଲୀ ସମେତ ଅନେକ ରାଜ୍ୟରେ ବର୍ଷା: ହାଇଦ୍ରାବାଦରେ ନଦୀରେ ପରିଣତ ହେଲା ରାସ୍ତାଘାଟ

ନୂଆଦିଲ୍ଲୀ: ଦେଶରେ ଜାରି ରହିଥିବା ପ୍ରଚଣ୍ଡ ଖରା ଏବଂ ଗରମରୁ ମୁକ୍ତି ଦେଇଛି ବର୍ଷା । ଜମ୍ମୁ କାଶ୍ମୀର, ହିମାଚଳ, ପଞ୍ଜାବ, ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ସମେତ ଅନେକ ରାଜ୍ୟରେ ଜୋରଦାର ବର୍ଷା ସହିତ କୁଆପଥର ମଧ୍ୟ ବୃଷ୍ଟି ହୋଇଛି । ରାଜଧାନୀର ଅନେକ ଅଞ୍ଚଳରେ ଭାରୀ ବର୍ଷା ହୋଇଥିବା ବେଳେ ତେଲେଙ୍ଗାନାର ହାଇଦ୍ରାବାଦରେ ମଧ୍ୟ ବର୍ଷା ଖରାରୁ ଟିକିଏ ମୁକ୍ତି ଦେଇଛି । ଏତେ ପରିମାଣର ବର୍ଷାର ପ୍ରଭାବରେ ହାଇଦ୍ରାବାଦର ରାସ୍ତାଘାଟରେ ନଦୀର ସ୍ଥିତି ସୃଷ୍ଟି ହୋଇଛି ।

ତେବେ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଗାମୀ ୬ ଦିନରେ ସହରର ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢିବ । ରାଜଧାନୀ ଦିଲ୍ଲୀର କିଛି ଇଲାକାରେ ବୁଧବାର ବର୍ଷା ହେବା ସାଙ୍ଗକୁ କୁଆପଥର ବୃଷ୍ଟି ହୋଇଥିଲା । ରୋହିଣୀ, ପୀତମପୁରା ଏବଂ ପଶ୍ଚିମ ବିହାର ସମେତ ନୋଏଡା, ଗୁରୁଗ୍ରାମ, ଗଜିଆବାଦ, ଗ୍ରେଟର ନୋଏଡାର ଅନେକ ଅଞ୍ଚଳରେ ମଧ୍ୟ ବର୍ଷା ହୋଇଛି ।

ସେହିପରି ଜମ୍ମୁ କାଶ୍ମୀରରେ ଏବେ ମଧ୍ୟ ବର୍ଷା ଜାରି ରହିଛି । ଜମ୍ମୁରେ ସର୍ବାଧିକ ତାପମାତ୍ରା ୨୯.୫ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ତେବେ ଆସନ୍ତାକାଲି ମଧ୍ୟ ଏଠାରେ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ଉତ୍ତରାଖଣ୍ଡ, ହିମାଚଳ, ପଞ୍ଜାବ ଏବଂ ଉତ୍ତର ପ୍ରଦେଶର ବିଭିନ୍ନ ଅଞ୍ଚଳରେ ବର୍ଷା ଲୋକଙ୍କୁ ଅସହ୍ୟ ଗରମରୁ ମୁକ୍ତି ଦେଇଛି ।

Get real time updates directly on you device, subscribe now.