ହାଇଦ୍ରାବାଦ: ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲା କୃଷ୍ଣା ନଦୀର ନାଗାର୍ଜୁନସାଗର ଡ୍ୟାମ ନିକଟ ପେଡାଭୁରା ବ୍ଲକର ତୁଙ୍ଗତୁର୍ଥୀ ଗ୍ରାମରେ ଶନିବାର ବଡ ଧରଣର ହେଲିକପ୍ଟର କ୍ରାସ୍ ହୋଇଛି । ଏହି କ୍ରାସ୍ରେ ୨ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଟ୍ରେନି ପାଇଲଟ ଅଛନ୍ତି । ସୂଚନାଅନୁଯାୟୀ, ଶନିବାର ସକାଳେ ହେଲିକପ୍ଟରଟି କ୍ରାସ ହେବା ପରେ ପ୍ରବଳ ବିସ୍ଫୋରଣ ହୋଇଥିଲା । ସ୍ଥାନୀୟ ଲୋକଙ୍କଠୁ ଖବର ପାଇ ପୋଲିସ ଏବଂ ମେଡିକାଲ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା ।
ପ୍ରାଥମିକ ଅନୁସନ୍ଧାନ ପରେ ନାଲଗୋଣ୍ଡା ପୁଲିସ କହିଛି ଯେ, ପେଡାଭୁରା ମଣ୍ଡଳର ତୁଙ୍ଗାତୁର୍ଥୀ ଗ୍ରାମରେ ଚାଷ ଜମିରେ କାମ କରୁଥିବା କିଛି କୃଷକଙ୍କ ଠାରୁ ସେମାନେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରବଳ ଧୂଆଁ ବାହାରୁଥିବାର ସୂଚନା ପାଇଥିଲେ । ସୂଚନା ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଦୁର୍ଘଟଣାସ୍ଥଳରେ ଜଣେ ମହିଳା ପାଇଲଟଙ୍କର ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲା । ହେଲିକପ୍ଟରଟି ଫ୍ଲାଏଟେକ୍ ଆଭିଏସନ୍ର ସେସନା ୧୫୨ ମଡେଲ୍ ଥିଲା । ବିଦ୍ୟୁତ ତା’ର ସଂସ୍ପର୍ଶରେ ଆସି ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥାଇ ପାରେ ବୋଲି ପୁଲିସ ସନ୍ଦେହ କରୁଛି । ବିମାନଟି ହାଇଦ୍ରାବାଦର ଏକ ଘରୋଇ ବିମାନ ଚଳାଚଳ ଏକାଡେମୀ ଫ୍ଲାଏଟେକ୍ ଆଭିଏସନର ବୋଲି ପୋଲିସ କହିଛି ।