fbpx

ରାସ୍ତାରେ ଖାଲ ତ ବନ୍ଦ କରିପାରିବେ ନାହିଁ, କିନ୍ତୁ ଦୁର୍ଘଟଣାରେ ମୃତ୍ୟୁ ହେବନି ବୋଲି ସୁନିଶ୍ଚିତ କର: ହାଇକୋର୍ଟ

ନୂଆଦିଲ୍ଲୀ: ରାସ୍ତାରେ ଗାଢ଼ ବା ଖାଲକୁ ମରାମତି ନକରିବାକୁ ନେଇ ଥାନେ ନଗର ନିଗମ ସମେତ ମହାରାଷ୍ଟ୍ରର ସହରାଞ୍ଚଳ ସଂସ୍ଥାଗୁଡ଼ିକୁ କଟାକ୍ଷ କରିଛନ୍ତି ବମ୍ବେ ହାଇକୋର୍ଟ । ମହାରାଷ୍ଟ୍ରର ଥାନେରେ ମଙ୍ଗଳବାର ଦିନ ମୋହନିଶ ନାମକ ଜଣେ ଯୁବକଙ୍କ ଜୀବନ ରାସ୍ତାରେ ଥିବା ଖାଲ ଯୋଗୁଁ ଚାଲିଯାଇଛି । ଏହାକୁ ଦର୍ଶାଇ କୋର୍ଟ କହିଛନ୍ତି ଯେ, ଲୋକମାନେ ମରୁଛନ୍ତି ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଦାୟିତ୍ୱ ଥାନେ ମ୍ୟୁନିସିପାଲ କର୍ପୋରେସନ ଉପରେ ରହିଛି ।

ଜଷ୍ଟିସ ଏ.କେ ମେନନ ଏବଂ ଏମଏସ କର୍ନିକଙ୍କ ଏକ ଖଣ୍ଡପୀଠ ଆଡଭୋକେଟ ରୁଜୁ ଠାକୁରଙ୍କ ଦ୍ୱାରା ଦାଖଲ ହୋଇଥିବା ଅବମାନନା ଆବେଦନର ଶୁଣାଣି କରିଥିଲା । ଆବେଦନରେ କୁହାଯାଇଛି ଯେ, ନାଗରିକ କର୍ତ୍ତୃପକ୍ଷ ୨୦୧୮ ରେ ହାଇକୋର୍ଟଙ୍କ ଏକ ନିର୍ଦ୍ଦେଶ ଲାଗୁ କରିନାହାଁନ୍ତି । ଏହି ନିର୍ଦ୍ଦେଶରେ ସମସ୍ତ ମୁଖ୍ୟ ରାସ୍ତାରେ ଖାଲ ମରାମତି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ଖରାପ ରାସ୍ତା ଏବଂ ଖାଲ ସହ ଜଡିତ ନାଗରିକଙ୍କ ଅଭିଯୋଗର ସମାଧାନ ପାଇଁ ଏକ ସମାନ ଯନ୍ତ୍ରକ ତିଆରି କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି ।

ଗୁରୁବାର ଦିନ ଶୁଣାଣି ସମୟରେ ବେଞ୍ଚ କହିଛି କି, ରାସ୍ତାରେ ଖାଲଗୁଡ଼ିକୁ ତ ଆମେ ବନ୍ଦ କରିପାରିବୁ ନାହିଁ । କିନ୍ତୁ ଦୁର୍ଘଟଣାରେ କାହାର ଯେମିତି ମୃତ୍ୟୁ ନହୁଏ, ତାହା ସୁନିଶ୍ଚିତ କରିବାକୁ ପଡ଼ିବ । ଏହି ବେଞ୍ଚ ଥାନେର ଗଡବନ୍ଦର ରୋଡରେ ଘଟିଥିବା ଏକ ଦୁର୍ଘଟଣାକୁ ଦର୍ଶାଇଥିଲା, ଯେଉଁଠାରେ ଜଣେ ବ୍ୟକ୍ତିଙ୍କ ବାଇକ୍ ଏକ ଖାଲରେ ପଡ଼ିଯିବାରୁ ରାଜ୍ୟ ପରିବହନ ବସ୍ ତାଙ୍କ ଉପରେ ଚଢ଼ିଯାଇଥିଲା । କୋର୍ଟ ଥାନେ ମ୍ୟୁନିସିପାଲ କର୍ପୋରେସନକୁ ପ୍ରଶ୍ନ କରି କହିଛନ୍ତି ଯେ ଲୋକମାନେ ମରୁଛନ୍ତି ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିଗମର ଦାୟିତ୍ୱ ।

ତେବେ ୨୦୧୬ ରୁ ୨୦୨୦ ମଧ୍ୟରେ ଦେଶରେ ୨୯ ହଜାର ଦୁର୍ଘଟଣା କେବଳ ରାସ୍ତାରେ ଥିବା ଖାଲ ଯୋଗୁଁ ଘଟିଛି । ଅର୍ଥାତ୍ ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ହାରାହାରି ୧୬ ଟି ଦୁର୍ଘଟଣା ପ୍ରତିଦିନ ରାସ୍ତାରେ ଖାଲ ଯୋଗୁଁ ଘଟିଥାଏ । ୨୦୧୩ ରୁ ୨୦୧୭ ମଧ୍ୟରେ ଆମ ଦେଶର ରାସ୍ତାରେ ଥିବା ଖାଲ ଯୋଗୁଁ ୧୪ ହଜାର ୯୨୬ ଜଣଙ୍କର ମୃତ୍ୟୁ ଘଟିଛି । ଅର୍ଥାତ୍ ରାସ୍ତାରେ ଖାଲ ଯୋଗୁଁ ୫ ବର୍ଷ ଭିତରେ ପ୍ରତିଦିନ ୮ ଜଣ ନାଗରିକ ପ୍ରାଣ ହରାଉଛନ୍ତି ।

Get real time updates directly on you device, subscribe now.