ଏଣିକି ଦୁର୍ଗମ ଅଞ୍ଚଳରେ ବି ଚାଲିବ ହାଇସ୍ପିଡ ନେଟଓ୍ୱର୍କ, ବସିବ ୧୫ଶହ ମୋବାଇଲ ଟାଓ୍ୱାର

ଦୁର୍ଗମ ଅଞ୍ଚଳରେ BSNL ପକ୍ଷରୁ ବସାଯିବ ମୋବାଇଲ ଟାଓ୍ୱାର। ଦିଆଯିବ ୨୪ ଘଣ୍ଟିଆ 4G ସେବା। ଆସନ୍ତା ମାର୍ଚ୍ଚ ସୁଦ୍ଧା ଏହିସବୁ ଟାଓ୍ୱାର ଦୁର୍ଗମ ଅଞ୍ଚଳରେ ବସାଯିବା ନେଇ କେନ୍ଦ୍ର ସରକାର ଲକ୍ଷ ରଖିଛନ୍ତି।

ନୂଆଦିଲ୍ଲୀ: ଆଉ ରହିବନି ନେଟଓ୍ୱର୍କ ସମସ୍ୟା। ଏଣିକି ଦୁର୍ଗମ ଅଞ୍ଚଳରେ ବି ଚାଲିବ ହାଇସ୍ପିଡ ନେଟଓ୍ୱର୍କ। ମୋବାଇଲ ନେଟଓ୍ୱର୍କ ପାଇଁ ଆଉ ଚଢ଼ିବାକୁ ପଡ଼ିବନି ଗଛ କି ପାହାଡ଼। କାରଣ ଏବେ ଅପହଞ୍ଚ ଇଲାକାରେ ବସିବ ୧୫ଶହ ମୋବାଇଲ ଟାଓ୍ୱାର।

ଭାରତ ସରକାରଙ୍କ  ଡିଜିଟାଲ୍ ଭାରତ ନିଧି ଦ୍ୱାରା ଦୁର୍ଗମ ଅଞ୍ଚଳରେ BSNL ପକ୍ଷରୁ ବସାଯିବ ମୋବାଇଲ ଟାଓ୍ୱାର। ଆସନ୍ତା ମାର୍ଚ୍ଚ ସୁଦ୍ଧା ଏହିସବୁ ଟାଓ୍ୱାର ଦୁର୍ଗମ ଅଞ୍ଚଳରେ ବସାଯିବା ନେଇ କେନ୍ଦ୍ର ସରକାର ଲକ୍ଷ ରଖିଛନ୍ତି।

ନେଟଓ୍ୱର୍କ ସମସ୍ୟା: ଯଦି ଦେଖିବା ଅନେକ ସମୟରେ ନଜିର ରହିଛି କି ନେଟଓ୍ୱକ ସମସ୍ୟା ପାଇଁ ଦୁର୍ଗମ ଅଞ୍ଚଳର ପିଲା ପାଠ ପଢ଼ିବା ପାଇଁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ଯେତେବେଳେ ସାରା ବିଶ୍ୱରେ କରୋନା ମହାମାରୀ ନିଜର ଆତଙ୍କ ଖେଳାଇଥିଲା, ସେତେବେଳେ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଘରୁ  ନ ବାହାରିବାକୁ ସରକାର ଗାଇଡଲାଇନ ଜାରି କରିଥିଲେ।

ଆଉ ତାହାରି ଭିତରେ ପିଲାମାନଙ୍କର ପାଠ ପଢ଼ା ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ଏପରିକି ଅନଲାଇନରେ କ୍ଲାସ ହେଉଥିଲା। ଆଉ ଏ ସବୁଥିରେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଥିଲେ ଦୁର୍ଗମ ଅଞ୍ଚଳର ପିଲା।

ଯେହେତୁ ସେହି ସବୁ ଇଲାକାରେ ନେଟଓ୍ୱର୍କ ସମସ୍ୟା ଅଧିକ ରହିଥାଏ, ତେଣୁ ପାଠ ପଢ଼ିବା ପାଇଁ ପିଲା କେତେବେଳେ ପାହାଡ଼ ଉପରକୁ ତ ଆଉ କେତେବେଳେ ଗଛ ଉପରକୁ ଚଢିଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

ଆଉ ରହିବନି ସମସ୍ୟା: ହେଲେ ଏବେ ସେହି ଦୃଶ୍ୟ ଆଉ ଦେଖିବାକୁ ମିଳିବନି। ଏଣିକି ଘର ଭିତରେ ମୋବାଇଲକୁ ଆସିବ ଘାଇଁ ଘାଇଁ ନେଟଓ୍ୱର୍କ। କାରଣ କେନ୍ଦ୍ର ସରକାରଙ୍କ ଡିଜିଟାଲ ଭାରତ ନିଧି ଫଣ୍ଡ ମିଶନରେ BSNL ପକ୍ଷରୁ ଆସନ୍ତା ମାର୍ଚ୍ଚ ସୁଦ୍ଧା ବସିବ ୧୫ଶହ ମୋବାଇଲ୍ ଟାୱାର।

ନେଟୱର୍କ ଅପହଂଚ ଇଲାକାରେ ଯୋଗାଇ ଦିଆଯିବ ୨୪ ଘଣ୍ଟିଆ 4G ସେବା। ଫଳରେ ଦୁର୍ଗମ ଅଞ୍ଚଳରେ ଦୂର ହେବ ମୋବାଇଲ୍ ନେଟୱର୍କ ସମସ୍ୟା। କେବଳ ସେତିକି ନୁହେଁ ଦୁର୍ଗମ ଅଂଚଳରେ ଅହରହ ନେଟୱର୍କ ସହ କନକ୍ଟେଭିଟିର ସମସ୍ୟା ବି ଦୂର ହେବ।

ଲାଗୁ ହେବ ICRS ବା ଇଣ୍ଟ୍ରା ସର୍କଲ ରୋମିଂ ସିଷ୍ଟମ। ପୂର୍ବରୁ ଉପଭୋକ୍ତାମାନେ ନିଜ ମୋବାଇଲରୁ ନିର୍ଦ୍ଦିଷ୍ଟ ଟେଲିକମ୍ କମ୍ପାନୀର ସେବା ପାଉଥିଲେ। ଇଣ୍ଟ୍ରା ସର୍କଲ ରୋମିଂ ସେବା ଲାଗୁ ହେଲେ ଯେକୌଣସି ଟେଲିକମ୍ ନେଟୱର୍କ ମାଧ୍ୟମରେ ସେବା ପାଇହେବ।

ଉପଭୋକ୍ତା ଜିଓ, ଏୟାରଟେଲ୍ ଏବଂ BSNLର ଟାୱାର ଜରିଆରେ କଲ୍ କରିବା ସହ ପାଇପାରିବେ ନିରବଚ୍ଛିନ୍ନ 4G ସେବା। ଫଳରେ ଟେଲିକମ୍ କଂପାନିଗୁଡ଼ିକୁ ପ୍ରତ୍ୟେକ ଅଞ୍ଚଳରେ ସେମାନଙ୍କର ଆଉ ଟାୱାର ସ୍ଥାପନ କରିବାର ଆବଶ୍ୟକତା ପଡିବନି।