fbpx

ଏକାଠି ହେଲେ ଗାଁର ହିନ୍ଦୁ-ମୁସଲିମ, ୨ କୋଟି ସଂଗ୍ରହ କରି ୮୦୦ ବର୍ଷ ପୁରୁଣା ମନ୍ଦିରକୁ ଦେଲେ ନୂତନ ରୂପ

ନୂଆଦିଲ୍ଲୀ: କର୍ଣ୍ଣାଟକର ସର୍ଭେ ଗାଁରେ ଏକ ସ୍ଥାନୀୟ ମନ୍ଦିରର କାମ ଚର୍ଚ୍ଚାର ବିଷୟ ପାଲଟିଛି। ଏହାର ସବୁଠୁ ବଡ କାରଣ ଏଠାକାର ଲୋକେ ମାନବିକତା ଉର୍ଦ୍ଧ୍ଵରେ ରଖି ମନ୍ଦିର ନିର୍ମାଣ କରିଛନ୍ତି। ଧାର୍ମିକ କଟକଣାର ଶିକୁଳି ଭାଙ୍ଗି ଜାତି ଧର୍ମ ନିର୍ବିଶେଷରେ ସମସ୍ତ ଗାଁ ଲୋକେ ଏକଜୁଟ ହୋଇଛନ୍ତି। ହିନ୍ଦୁ ଏବଂ ମୁସଲମାନ ସଂପ୍ରଦାୟର ଲୋକେ ମିଶି ୮୦୦ ବର୍ଷ ପୁରୁଣା ମନ୍ଦିରକୁ ନୂତନ ରୂପ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ମେଙ୍ଗାଲୁରୁରୁ ପ୍ରାୟ ୬୫ କିଲୋମିଟର ଦୂର ସ୍ଥିତ ଏହି ଗାଁର କାହାଣୀ ସଭିଙ୍କ ପାଇଁ ପ୍ରେରଣା ପାଲଟିଛି।

ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁସାରେ, ପୁଟ୍ଟୁର ନିକଟ ଏହି ଗାଁରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ମନ୍ଦିରକୁ ନୂଆ ରୂପ ଦେବାକୁ ନିଷ୍ପତ୍ତି ହୋଇଥିଲା। ମାତ୍ର ସମସ୍ତ ଲୋକେ ଏକାଠି ଆସିବା ପରେ ହିଁ କାମ ଆରମ୍ଭ ହୋଇଛି। କମିଟିର କୋଷାଧ୍ୟକ୍ଷ ପ୍ରସନ୍ନା ରାୟ ଏସ କହିଛନ୍ତି, ଅନେକ ଥର ମୁସଲମାନ ଭାଇମାନେ ମନ୍ଦିର କାମ କରିବାକୁ ଅନୁରୋଧ କରିଥିଲେ। ଏଠାରେ ପ୍ରାୟ ୩୦ ପ୍ରତିଶତ ଜନସଂଖ୍ୟା ମୁସଲିମ ଏବଂ ୫୦ ପ୍ରତିଶତ ହିନ୍ଦୁ ରହୁଛନ୍ତି। ଅଧିକାଂଶ ଲୋକେ ମଧ୍ୟମ ବର୍ଗର। ୨୦୧୯ରେ ମନ୍ଦିର ଜୀର୍ଣ୍ଣଦ୍ଵାର କମିଟି ଗଠନ ହୋଇଥିଲା। ଏହା ପରଠୁ ମନ୍ଦିରର ପୁନରୁଦ୍ଧାର କାମ ଜାରି ରହିଛି।

ହ୍ଵାଟ୍ସଆପ୍ ଗ୍ରୁପ ସାଜିଲା ସହାୟକ

ରିପୋର୍ଟ ଅନୁଯାୟୀ, ମନ୍ଦିରର ନିର୍ମାଣ କାମ ପାଇଁ ଅନେକ ହ୍ଵାଟ୍ସଆପ୍ ଗ୍ରୁପ ତିଆରି କରାଯାଇଛି। ମନ୍ଦିର ନିର୍ମାଣ ବାବଦ ଖର୍ଚ୍ଚ ଅଲଗା ଅଲଗା ଭାଗରେ ବିଭକ୍ତ କରାଯାଇଛି। ଯଦ୍ଵାରା ଦାନଦାତାଙ୍କ ଉପରେ ଆର୍ଥିକ ବୋଝ ନପଡିବ। ପ୍ରସନ୍ନା କହିଛନ୍ତି, ଜିରୋ ବାଲାନ୍ସ ସହିତ ମନ୍ଦିରର କାମ ଆରମ୍ଭ ହେବାଠୁ ନେଇ ଆଜି ପର‌୍ୟ୍ୟନ୍ତ ଅଧିକାଂଶ ଟଙ୍କା ହ୍ଵାଟ୍ସଆପ ଗ୍ରୁପ ସାହାଯ୍ୟରେ ଯୋଗାଡ଼ କରିଛୁ। ଏହା ଜରିଆରେ ପ୍ରାୟ ୨ କୋଟି ଟଙ୍କା ଯୋଗାଡ ହୋଇ ପାରିଛି। ମନ୍ଦିରର ବ୍ରହ୍ମକଳସ ଉତ୍ସବ ରବିବାର ଅନୁଷ୍ଠିତ ହେବ।

ଏହା ବ୍ୟତୀତ ଶତାଧିକ ଲୋକ ମନ୍ଦିର ନିର୍ମାଣ କାମରେ ସାହାଯ୍ୟ କରିଛନ୍ତି। ରିପୋର୍ଟ ଅନୁଯାୟୀ, ସ୍ଥାନୀୟ ବାସିନ୍ଦା ଅବାସ ମଜଲୁଗଦେ, ତାଙ୍କ ଭାଇ ମଜଲୁଗଦେ ଅବୁବକର କୁଦୁରସ୍ତେ ଏବଂ ତାଙ୍କ ପୁତୁରା ପୁଟ୍ଟୁ ବେରି ଗତ ବର୍ଷ ଗୋଟିଏ ସିଜିନ ପାଇଁ ତିନି ଏକର ଜମିରେ ଚାଷ କରିବାକୁ ପ୍ରସ୍ତାବ ଦେଇଥିଲେ। ପ୍ରସନ୍ନା କହିଛନ୍ତି, ପୂରା ଗାଁ ସଦଭାବନା ଏବଂ ଭାଇଚାରା ସହିତ ରହିଛି। ମୁସଲମାନ ଭାଇମାନେ ମନ୍ଦିର ଏବଂ ହିନ୍ଦୁ ପର୍ବପର୍ବାଣୀରେ ସାମିଲ୍ ହୁଅନ୍ତି। ଆମେ ମଧ୍ୟ ତାଙ୍କ ଉତ୍ସବରେ ଯୋଗ ଦେଇଥାଉ। ଆମେ ଏହି ମନ୍ଦିରକୁ ସଂସ୍କୃତିର କେନ୍ଦ୍ର ଭାବେ ପ୍ରସ୍ତୁତ କରିବାକୁ ଯୋଜନା କରିଛୁ।

 

Get real time updates directly on you device, subscribe now.