ଟ୍ରମ୍ପଙ୍କୁ ଜିତାଇବା ପାଇଁ ଚାଲିଛି ପୂଜାର୍ଚ୍ଚନା, ହିନ୍ଦୁ ସଙ୍ଗଠନର ଦାବି, ଟ୍ରମ୍ପ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି

ନୂଆଦିଲ୍ଲୀ:  ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ରାତି ପାହିଲେ ରାଷ୍ଟ୍ରପତି ନିର୍ବାଚନ । ଚଳିତ ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିର ଡୋନାଲ୍ଡ ଟ୍ରମ୍ପ ଏବଂ ଡେମୋକ୍ରାଟିକ୍ସ ପାର୍ଟିର କମଲା ହାରିସ୍‌ଙ୍କ ମଧ୍ୟରେ କଡ୍ଡା ଟକ୍କର ହେବାକୁ ଯାଉଛି । ବିଶ୍ୱର ପ୍ରତ୍ୟେକ ରାଷ୍ଟ୍ରର ନଜର ଆମେରିକା ପ୍ରେସିଡେଣ୍ଟ ଇଲେକ୍ସନ୍ ଉପରେ । ଆମେରିକାରେ ନିର୍ବାଚନ ପ୍ରଚାର ଆଗେଇଚାଲିଥିବା ବେଳେ ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖାଯାଇଛିି । ଟ୍ରମ୍ପଙ୍କୁ ଜିତେଇବା ଲାଗି ଜାତୀୟ ରାଜଧାନୀ ଦିଲ୍ଲୀରେ ରବିବାର ଏକ ହିନ୍ଦୁ ପୂଜକ ସଙ୍ଗଠନ ପୂଜାର୍ଚ୍ଚନା କରୁଥିବା ନଜରକୁ ଆସିଛି ।

ଡୋନାଲ ଟ୍ରମ୍ପ ସାରା ବିଶ୍ୱରେ ମାତ୍ର ଜଣେ ନେତା ଯେ, ବିଶ୍ୱରେ ଶାନ୍ତି ଆଣିପାରିବେ ବୋଲି ଉକ୍ତ ପୂଜାର ଆୟୋଜକ ବେଦମୁରସ୍ତିନନ୍ଦ ସରସ୍ୱତୀ କହିଛନ୍ତି । ଏହାପୂର୍ବରୁ ଗତ ଜୁଲାଇରେ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ ବେଳେ ମଧ୍ୟ ପୂଜକ ସରସ୍ୱତୀ ଟ୍ରମ୍ପଙ୍କ ଦୀର୍ଘାୟୁ ନିମନ୍ତେ ପ୍ରାର୍ଥନା କରିଥିଲେ । ଆମେରିକାରେ ରହୁଥିବା ଭାରତୀୟ ଏବଂ ଅନ୍ୟରାଷ୍ଟ୍ରରେ ବସବାସ କରୁଥିବା ହିନ୍ଦୁଙ୍କ ରକ୍ଷା ପାଇଁ ଟ୍ରମ୍ପ ସଙ୍କଳ୍ପବଦ୍ଧ । ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ ଆମେରିକାର ୪୫ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଟ୍ରମ୍ପ ପୁଣିଥରେ ରାଷ୍ଟ୍ରପତି ଆସନ ଅଳଙ୍କୃତ କରିବେ ବୋଲି ପୂଜକ କହିଛନ୍ତି ।

ନଭେମ୍ବର ୫ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଭୋଟ ଗ୍ରହଣ କରାଯବ । ସେହିଦିନ ହିଁ ନୂଆ ରାଷ୍ଟ୍ରପତିଙ୍କ ନାମ ଘୋଷଣା କରାଯିବ । ଆମେରିକାର ୪୭ତମ ରାଷ୍ଟ୍ରପତି ହେବା ଲାଗି ଟ୍ରମ୍ପ ଏବଂ କମଲା ହାରିସ୍‌ଙ୍କ ବ୍ୟତୀତ ରାଜନେତା ତଥା ସମାଜସେବୀ ଚେଜ୍ ଓଲିଭର, ଡକ୍ଟର ଜିଲ୍ ଷ୍ଟେନ୍‌, ପଲିଟିସିଆନ୍ କରନେଲ୍ ୱେଷ୍ଟ ସ୍ୱାଧୀନଭାବେ ରାଷ୍ଟ୍ରପତି ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ଆସନ୍ତା କାଲି ପାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବା ସହ ଆମେରିକାକୁ ତା’ର ନୂଆ ରାଷ୍ଟ୍ରପତି ମିଳିବ ।