ଭୁବନେଶ୍ୱର ସାଲିଆ ସାହିର ୫୨୧ ଘର ମାଟିରେ ମିଶିବ, ପ୍ରଥମେ ସେମାନଙ୍କ ଥଇଥାନ ବ୍ୟବସ୍ଥା କରାଯିବ

ରାସ୍ତା ପାଇଁ ସାଲିଆ ସାହି ଭଙ୍ଗାଯିବ । ଟଙ୍କା ଦେବା ପରେ ଥଇଥାନ କରାଯିବ ।

ଭୁବନେଶ୍ୱର: ଜୟଦେବବିହାର-ନନ୍ଦନକାନନ ବାମପାର୍ଶ୍ବ ରାସ୍ତାକାମ ଆଉ ଚାଲିଛି । ଏହି ୨୦୦ ଫୁଟିଆ ରାସ୍ତା ନକ୍ସାରେ କୌଣସି ପରିବର୍ତ୍ତନ ହେବନାହିଁ । ସାଲିଆସାହି ଭିତର ଦେଇ ରାସ୍ତା ଯିବ।

ଏହା ଦ୍ୱାରା ପ୍ରଭାବିତ ହେବାକୁ ଥିବା ୨୭ ଘରୋଇ ଜମି ମାଲିକଙ୍କୁ କ୍ଷତିପୂରଣ ବାବଦରେ ଶହେ କୋଟିରୁ ଅଧିକ ଟଙ୍କା ଦିଆସରିଛି । ସେମାନେ ପୂର୍ତ୍ତ ବିଭାଗକୁ ଜମି ହସ୍ତାନ୍ତର କରିଥିବାରୁ ଆଉ ୧୦ରୁ ୧୫ ଦିନ ମଧ୍ୟରେ ୨୭ଟି ଯାକ ଘର ଭାଙ୍ଗିବାକୁ ରୂପ‌ରେଖ ପ୍ରସ୍ତୁତ ହୋଇଛି ।

ଅନ୍ୟପଟେ ସାଲିଆସାହିରେ ପ୍ରଭାବିତ ହେବାକୁ ଥିବା ବସ୍ତିବାସିନ୍ଦାଙ୍କୁ କ୍ଷତିପୂରଣ ସହ ଥଇଥାନ ଦିଗରେ ମଧ୍ୟ ପଦକ୍ଷେପ ନିଆଯାଇଛି । ବିଡିଏ, ବିଏମସି ଓ ପୂର୍ତ୍ତ ବିଭାଗ ମିଳିତ ଭାବେ ଆଜି ବସ୍ତିବାସିନ୍ଦା‌ଙ୍କ ସର୍ଭେ କରିଛନ୍ତି ।

ଏହି ୨୦୦ ଫୁଟିଆ ରାସ୍ତା ଦ୍ବାରା ୫୨୧ ପରିବାର ପ୍ରଭାବିତ ହେବେ । ତେଣୁ‌ ସେମାନଙ୍କୁ କିଭଳି ଥଇଥାନ କରାଯିବ ସେନେଇ ବ୍ୟବସ୍ଥା ହୋଇଛି । ପର୍ଯ୍ୟାୟକ୍ରମେ ବସ୍ତି ଲୋକଙ୍କୁ ବୁଦ୍ଧ ବିହାର ଆବାସରେ ନିର୍ମାଣ ସରିଥିବା ଘରଗୁଡ଼ିକ ଆବଣ୍ଟନ କରାଯିବ ।

ହାତିଆସୁଣୀ ପଡ଼ିଆ ନିକଟ ବସ୍ତିବାସିନ୍ଦାଙ୍କୁ ପ୍ରଥମେ ବୁଦ୍ଧବିହାରକୁ ଯିବେ । ରାସ୍ତା କାମ ଯେତେ ଆଗେଇବ ସେହି ଅନୁଯାୟୀ ଅନ୍ୟ ବସ୍ତିବାସିନ୍ଦାଙ୍କୁ ସ୍ଥାନାନ୍ତର କରାଯିବ । ଏବେ ବୁଦ୍ଧବିହାରରେ ପ୍ରାୟ ୮୦୦ ପରିବାର ରହିବାକୁ ଘରଗୁଡ଼ିକ ପ୍ରସ୍ତୁତ ହୋଇସାରିଛି ।

ବିଭିନ୍ନ ବ୍ଲକକୁ ରାସ୍ତା ନିର୍ମାଣ ସହ ଆପାର୍ଟମେଣ୍ଟକୁ ପାନୀୟ ଜଳ ଓ ବିଜୁଳି ସଂଯୋଗ ହୋଇଛି । ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଆସନ୍ତା ମାସକ ମଧ୍ୟରେ ଶେଷ କରି ରାସ୍ତା କାମ ଆଗେଇ ନେବାକୁ ଲକ୍ଷ୍ୟ ରଖାଯାଇଛି ।