ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଘର ମାଲିକ ଓ ଭଡ଼ାଟିଆଙ୍କୁ ନେଇ ରାଜ୍ୟ ହାଇକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି । ବିନା ନୋଟିସରେ କହାକୁ ଘର ବା ଜାଗା ଛାଡ଼ି ଚାଲିଯିବାକୁ କୁହାଯାଇ ପାରିବ ନାହିଁ । ଭଡ଼ାଟିଆଙ୍କୁ ଘର ଘର ଛାଡ଼ିବାକୁ କହିବା ପୂର୍ବରୁ ଘର ମାଲିକ ୧୫ ଦିନର ନୋଟିସ୍ ଦେବା ବାଧ୍ୟତାମୂଳକ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱରର ପ୍ରଥମ ଅପିଲେଟ୍ ଅଥରିଟି ଦେଇଥିବା ଆଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି । ବିଚାରପତି ଜଷ୍ଟିସ ଶଶିକାନ୍ତ ମିଶ୍ର ଏକ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ମୁତାବକ, ସନାତନ ବର୍ଦ୍ଧନଙ୍କ ପରିବାର ଶିଶିର ଚନ୍ଦ୍ର ସେନଙ୍କ ଘରେ ଭଡ଼ାରେ ରହୁଥିଲେ । ଏଥିପାଇଁ ଦୁଇପକ୍ଷଙ୍କ ମଧ୍ୟରେ ୧୯୮୭ରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ତେବେ ୧୯୮୮ରେ ଉକ୍ତ ଚୁକ୍ତି ସମାପ୍ତ ହୋଇଥିଲା । ପରବର୍ତ୍ତୀ ସମୟରେ ପୁନର୍ବାର ଚୁକ୍ତି ହୋଇନଥିଲେ ବି ସନାତନଙ୍କ ପରିବାର ନିର୍ଦ୍ଧାରିତ ଭଡ଼ା ଦେଇ ଉକ୍ତ ଘରେ ରହୁଥିଲେ । ଏହା ମଧ୍ୟରେ ୧୯୯୫ରେ ଘରର ପ୍ରକୃତ ମାଲିକଙ୍କ ପରଲୋକ ଘଟିଥିଲା । ପରବର୍ତ୍ତୀ ସମୟରେ ସନାତନଙ୍କ ପରିବାରଙ୍କୁ ଘର ଛାଡ଼ିବାକୁ କୁହାଯାଇଥିଲା, ମାତ୍ର ସେମାନେ ଘର ଛାଡ଼ିନଥିଲେ ।
ଏହାପରେ ଶିଶିରଙ୍କ ପରିବାର ପକ୍ଷରୁ ନିମ୍ନ ଅଦାଲତରେ ଏକ ସୁଟ୍ ରୁଜୁ ହୋଇଥିଲା । ଭଡ଼ାରେ ରହୁଥିବା ସନାତନଙ୍କ ପରିବାରଙ୍କୁ ଅଦାଲତ ଘର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଆଦେଶକୁ ଚ୍ୟାଲେଞ୍ଜ କରି ସନାତନଙ୍କ ପରିବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଘର ଛାଡ଼ିବାକୁ କହିବା ପୂର୍ବରୁ ୭ ଦିନର ନୋଟିସ୍ ଦିଆଯାଇଥିବା ବେଳେ ତାହା ଆଇନ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଥିଲା । ଏହାକୁ ହାଇକୋର୍ଟ ଗ୍ରହଣ କରିବା ସହ କୌଣସି ଭଡ଼ାଟିଆଙ୍କୁ ଘର ବା ଜାଗା ଛାଡ଼ିବାକୁ କହିବା ପୂର୍ବରୁ ଅନ୍ୟୁନ ୧୫ ଦିନର ସମୟ ଦେବା ବାଧ୍ୟତାମୂଳକ ବୋଲି ହାଇକୋର୍ଟ କହିଥିଲେ ।