fbpx

ବିଶ୍ୱର ୧୧ଟି ଦେଶରେ ମାଡ଼ି ସାରଲାଣି ମଙ୍କିପକ୍ସ: ଜାଣନ୍ତୁ କେତେ ଭୟଙ୍କର ଏହି ଭାଇରସ୍

ନୂଆଦିଲ୍ଲୀ: ମଙ୍କିପକ୍ସ ଭାଇରସକୁ ନେଇ ବର୍ତ୍ତମାନ ସମଗ୍ର ବିଶ୍ୱ ପୁଣି ଥରେ ସଙ୍କଟ ଆଡ଼କୁ ମୁହାଁଇଛି । ବର୍ଷ ବର୍ଷ ଧରି ଏହି ବୀମାରୀ ଆଫ୍ରିକୀୟଙ୍କ ମଧ୍ୟରେ ବ୍ୟାପି ଆସୁଥିବା ବେଳେ ବର୍ତ୍ତମାନ ତାହା ଅନ୍ୟ ଦେଶକୁ ମାଡ଼ି ଚାଲିଲାଣି । ବିଶେଷ କରି ଆମେରିକା, କାନାଡ଼ା ଓ କିଛି ୟୁରୋପୀୟ ରାଷ୍ଟ୍ରରେ ଏହି ମାମଲା ଚିହ୍ନଟ ହୋଇଛି । ୧୧ଟି ଦେଶରେ ମଙ୍କିପକ୍ସର ୮୦ଟି ମାମଲା ସାମ୍ନାକୁ ଆସିଥିବା ଜଣାପଡ଼ିଛି । ତେବେ ଏହି ଭାଇରାଇସର ପ୍ରକୋପ ସେତେ ଅଧିକ ହୋଇ ନଥିଲେ ହେଁ କିଛି ଦେଶରେ ନୂଆ ମାମଲା ଚିହ୍ନଟ ହେବା ପରେ ତାହା ଜନସାଧାରଣଙ୍କର ଚିନ୍ତା ବଢ଼ାଇ ଦେଇଛି ।

ସ୍ୱାସ୍ଥ୍ୟ ଅଧିକାରୀଙ୍କ ମତରେ, ପୁଣି ଥରେ ଭାଇରସ୍ ବ୍ୟାପିବାର ଅସଲ କାରଣ କ’ଣ ତାହା ଏବେ ସ୍ପଷ୍ଟ ହୋଇନାହିଁ । ତେଣୁ ଜନସାଧାରଣ ଏହାକୁ ନେଇ ଆଶଙ୍କା ଭିତରେ ରହିବା ଅନୁଚିତ । ମଙ୍କିପକ୍ସ ଲୋକଙ୍କ ମଧ୍ୟରେ ସହଜରେ ବ୍ୟାପୁ ନାହିଁ, ତେଣୁ ସାଧାରଣ ଜନତାଙ୍କ କ୍ଷେତ୍ରରେ ଏହାର ପ୍ରଭାବ କମ୍ ରହିବ ବୋଲି ବ୍ରିଟେନର ରାଷ୍ଟ୍ରୀୟ ସଂକ୍ରମଣ ସେବାର ଉପନିର୍ଦ୍ଦେଶକ ମତ ଦେଇଛନ୍ତି । ସେହିପରି ସାଉଥାମ୍ପଟନ ବିଶ୍ୱବିଦ୍ୟାଳୟର ଜଣେ ସିନିୟର ରିସର୍ଚ୍ଚର ମାଇକଲ ହେଡ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଭାଇରସର ସଂକ୍ରମଣ କାହିଁକି ବ୍ୟାପୁଛି, ସେ ନେଇ କମ୍ ସୂଚନା ମିଳିଛି । ଏହାକୁ ନେଇ ଜନସାଧାରଣ କରୋନା ଭାଇରସ୍ ପରି ଡରିବା ଅନୁଚିତ୍ । ଏହା କୋଭିଡ୍ ସଂକ୍ରମଣ ପରି ଭୟଙ୍କର ହେବ ନାହିଁ । ଯେତେବେଳେ କରୋନା ଭାଇରସ୍ ନୂଆ କରି ଆସିଥିଲା, ସେତେବେଳେ ତା’ ବିଷୟରେ ଅଧିକ ତଥ୍ୟ କାହାକୁ ଜଣା ନଥିଲା । ମାତ୍ର ମଙ୍କିପକ୍ସ ବୀମାରୀ ବିଷୟରେ ପୂର୍ବରୁ ବହୁତ କିଛି ତଥ୍ୟ ସମସ୍ତେ ଜାଣିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୧୯୫୮ ମସିହାରେ ପ୍ରଥମ ଥର ପାଇଁ ମଙ୍କିପକ୍ସ ଭାଇରସର ଚିହ୍ନଟ ମାଙ୍କଡ଼ଠାରୁ ଚିହ୍ନଟ ହୋଇଥିଲା । ତେବେ ମଙ୍କିପକ୍ସର ସଂକ୍ରମଣ ପାଇଁ ବର୍ତ୍ତମାନ କୌଣସି ବିଶେଷ ଉପଚାର ଉପଲବ୍ଧ ନାହିଁ, ମାତ୍ର ମେଡିସିନ ଦ୍ୱାରା ଏହାକୁ ବ୍ୟାପିବାରୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ୟୁନାଇଟେଡ୍ ଷ୍ଟେଟସ୍ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନର ୱେବସାଇଟରୁ ଜଣାପଡ଼ିଛି ।

Get real time updates directly on you device, subscribe now.