fbpx

(Video) ପିଣ୍ଟୁଙ୍କର ଲିଭର ଖରାପ କେମିତି ହେଲା: ଆପଣଙ୍କର ବି ଏପରି ଅବସ୍ଥା ହୋଇପାରେ, କେମିତି ସତର୍କ ରହିବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ନେଇ ଏବେ ସାରା ଓଡ଼ିଶାରେ ଖୁବ୍ ଚର୍ଚ୍ଚା । ସଭିଙ୍କ ମୁହଁରେ କେବଳ ଗୋଟିଏ କଥା କେମିତି ଅଛନ୍ତି ଆମର ପିଣ୍ଟୁ ଭାଇ? ଲିଭର ଜନିତ ସମସ୍ୟାରେ ପୀଡ଼ିତ ହୋଇ ପିଣ୍ଟୁ ଏବେ ଚିକିତ୍ସା ପାଇଁ ଦିଲ୍ଲୀ ଯାତ୍ରା କରିଛନ୍ତି । ପିଣ୍ଟୁଙ୍କର ୮୦ ପ୍ରତିଶତ ଲିଭର ନଷ୍ଟ ହୋଇଯାଇଥିବା ବେଳେ ସେଠାରେ ତାଙ୍କର ଲିଭର ପ୍ରତ୍ୟାରୋପଣ କରାଯିବ ।

ତେବେ ଏହି ବ୍ୟୟବହୁଳ ଚିକିତ୍ସା ପାଇଁ ପାଖାପାଖି ୬୦ ଲକ୍ଷ ଟଙ୍କା ଆବଶ୍ୟକ । ଏହା ମଧ୍ୟରେ ପିଣ୍ଟୁଙ୍କୁ ଭଲପାଉଥିବା କଳାକାର ଓ ପ୍ରଶଂସକମାନେ ସହାୟତାର ହାତ ବଢ଼ାଇଛନ୍ତି । ଖୁବଶୀଘ୍ର ପିଣ୍ଟୁ ସୁସ୍ଥ ହୋଇ କଳା ଜଗତକୁ ଫେରିବେ ବୋଲି ତାଙ୍କର ପରିବାର ଓ ରାଜ୍ୟବାସୀ ଆଶା ରଖିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ପିଣ୍ଟୁଙ୍କର ଲିଭର ଖରାପ ହେଲା କେମିତି? ଶାରୀରିକ ଭାବେ ପିଣ୍ଟୁ ଅତ୍ୟନ୍ତ ସୁସ୍ଥ ସୁବଳ । ମାତ୍ର ତାଙ୍କୁ କିପରି ଏହି ଭୟଙ୍କର ବୀମାରୀ ଆକ୍ରାନ୍ତ କଲା?

କୁହାଯାଉଛି ପିଣ୍ଟୁଙ୍କର ଶରୀର ଉପରକୁ ସୁସ୍ଥ ଦେଖାଯାଉଥିଲେ ହେଁ ଭିତରେ ଭିତରେ ତାଙ୍କର ଲିଭର ଖରାପ ହେବାରେ ଲାଗିଥିଲା । ତେବେ ଏକଥା ପିଣ୍ଟୁ କେମିତି ଜାଣି ପାରୁନଥିଲେ? ସେ ଦିନେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ଓ ଜାଣିବାକୁ ପାଇଥିଲେ ଯେ ସେ ଲିଭର ସିରୋସିସ୍ ରୋଗରେ ପୀଡ଼ିତ ଅଛନ୍ତି । ଏଠାରେ ପ୍ରଶ୍ନ ଉଠେ, ଲିଭର ଖରାପ ହେଲେ କ’ଣ କିଛି ଲକ୍ଷଣ ଦେଖାଦିଏନି?

ତେବେ ପିଣ୍ଟୁ ଅତ୍ୟଧିକ ମଦ୍ୟପାନ କରନ୍ତି ବୋଲି ଚାରିଆଡ଼େ ଚର୍ଚ୍ଚା ହେଉଛି । ମାତ୍ରାଧିକ ମଦ୍ୟ ସେବନ ହିଁ ଲିଭର ଖରାପ ହେବାର ପ୍ରମୁଖ କାରଣ । ମାତ୍ର ଏନେଇ କୌଣସି ମେଡିକାଲ କି ପିଣ୍ଟୁଙ୍କ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ । ତେବେ ଯଦି ଆପଣଙ୍କ ଶରୀରେ ହେପାଟାଇଟିସ-ବି କିମ୍ବା ସି ଥାଏ ତେବେ ଆପଣଙ୍କର ଲିଭର ମଧ୍ୟ ଧୀରେଧୀରେ ନଷ୍ଟ ହୋଇଯାଏ । ଏପରିକି ଏହା ଶେଷରେ ଲିଭର ସିରୋସିସରେ ମଧ୍ୟ ପହଞ୍ଚି ଯାଇଥାଏ, ଯାହାକୁ କି କ୍ୟାନସର ମଧ୍ୟ କୁହାଯାଇଥାଏ ।

ତେବେ ଯାହା ବି ହେଉ ପିଣ୍ଟୁ ସୁସ୍ଥ ହୋଇଯାଆନ୍ତୁ ଏହା ହିଁ ଆମର ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା । ଏଥିସହିତ ଆମେ ଓଡ଼ିଶାର ଭାଇଭଉଣୀମାନଙ୍କୁ ଅନୁରୋଧ କରିବୁ, ଯେଉଁମାନେ ମାତ୍ରାଧିକ ମଦ୍ୟପାନ କରୁଛନ୍ତି, ଦୟାକରି ଏହି କୁଅଭ୍ୟାସରୁ ଦୂରେଇ ରୁହନ୍ତୁ । ନଚେତ୍ ସମୟ ହୁଏତ ଏପରି ଆସିପାରେ ଆପଣ ଜୀବନ-ମରଣ ସହ ସଂଘର୍ଷ କରୁଥିବେ ଆଉ ବଞ୍ଚାଇବାକୁ ପାଖରେ କେହି ନଥିବେ । କେଇ ମୁହୂର୍ତ୍ତର ଖୁସି ପାଇଁ ଈଶ୍ୱରଙ୍କ ଦୁର୍ଲ୍ଲଭ ସୃଷ୍ଟି ଏଇ ଶରୀରକୁ ଆପଣମାନେ କାହିଁକି ନଷ୍ଟ କରୁଛନ୍ତି? ଆଜିଠାରୁ ନିଜର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ, ନିଜେ ସୁସ୍ଥ ରୁହନ୍ତୁ, ତତ ସଙ୍ଗେସଙ୍ଗେ ପରିବାର ଓ ସମାଜକୁ ସୁସ୍ଥ ରଖନ୍ତୁ ।

Get real time updates directly on you device, subscribe now.