fbpx

କମ୍ ଓଭରରେ ବଡ଼ ଟାର୍ଗେଟ୍…. ପଞ୍ଜାବର ନୂଆ କ୍ୟାପ୍ଟେନ କିପରି ସୁଧାରିବେ ଟିମର ରନରେଟ୍

ନୂଆଦିଲ୍ଲୀ: ବର୍ତ୍ତମାନ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି । ରାଜ୍ୟର ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୫ ମାସ ବାକି ଥିବାରୁ ଏହି କମ୍ ଓଭରେ ସେ କିପରି ବଡ଼ ଟାର୍ଗେଟ୍ ପୂରଣ କରିବେ ତାହା ସବୁଠାରେ ଆଲୋଚନା ହେଉଛି । ହାଇକମାଣ୍ଡ ଚନ୍ନିଙ୍କ ଉପରେ ଭରସା ରଖି ତାଙ୍କୁ ଦଳର କ୍ୟାପ୍ଟେନ ଭାବେ ନିଯୁକ୍ତି ଦେଇଛନ୍ତି । ତେବେ ଆଗାମୀ ଦିନରେ କ୍ୟାପ୍ଟେନ ଟିମର ରନରେଟ୍ ବଢ଼ାଇବାରେ କେତେଦୂର ସମର୍ଥ ହେଉଛନ୍ତି, ତାହା ଆଉ କିଛି ଓଭର ଖେଳ ହେବା ପରେ ଜଣା ପଡ଼ିବ ।

ତେବେ ସେ ଯାହା ବି ହେଉ, କ୍ୟାପ୍ଟେନ ନିଜ ଟିମର ପ୍ଲେୟାରମାନଙ୍କୁ ନେଇ ପଡ଼ିଆକୁ ଓହ୍ଲାଇ ବ୍ୟାଟିଂ ଆରମ୍ଭ କରିଦେଇଛନ୍ତି । ମାତ୍ର ଦୁଃଖର କଥା ହେଉଛି, ଟିମ୍ ବର୍ତ୍ତମାନ ଧୀମା ବ୍ୟାଟିଂ ଜାରି ରଖିଥିବାରୁ ତାହା କ୍ୟାପ୍ଟେନଙ୍କ ଚାପ ବଢ଼ାଇ ଦେଉଛି । ତେଣୁ କ୍ୟାପ୍ଟେନଙ୍କ ପାଇଁ ବର୍ତ୍ତମାନ ପ୍ରତ୍ୟେକ ଓଭର ହେଉଛି ସ୍ଲଗ୍ ଓଭର । କ୍ଷମତା ଗ୍ରହଣ କରିବା ସଙ୍ଗେ ସଙ୍ଗେ ଚନ୍ନି ହାଇକମାଣ୍ଡଙ୍କ ୧୮ ସୂତ୍ରୀୟ ଏଜେଣ୍ଡାକୁ କାର୍ଯ୍ୟକାରୀ କରିବାରେ ଲାଗି ପଡ଼ିଛନ୍ତି । ତେବେ ଏହି ଏଜେଣ୍ଡାକୁ ନେଇ ସେ କହିଛନ୍ତି ଯେ, ରାଜ୍ୟବାସୀଙ୍କ ସମସ୍ତ ସମସ୍ୟାର ସମାଧାନ ଦିଗରେ ସେ କାର୍ଯ୍ୟ କରିବେ । ଗରିବଙ୍କୁ ପାଣି ଓ ବିଜୁଳି ବିଲ୍ ଛାଡ଼ କରାଯିବ । ମାଫିଆ ଓ ଅବୈଧ ଖନନ ଉପରେ ଅଙ୍କୁଶ ଲଗାଯିବା ସହ ସମସ୍ତ ଅସୁବିଧାକୁ ଦୂର କରିବା ପାଇଁ କିଛିଦିନ ଅପେକ୍ଷା କରିବାକୁ ସେ କହିଥିଲେ ।

ଗତକାଲି ନୂଆ କ୍ୟାପ୍ଟେନଙ୍କ ଅଧ୍ୟକ୍ଷତାରେ ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ଚନ୍ନି ସରକାରୀ ଦପ୍ତରରେ ଅନୁଶାସନ ଆଣିବା ନେଇ ପ୍ରୟାସ କରିଛନ୍ତି । ଏହି ବୈଠକରେ ସେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ସେ ୩୨ ହଜାର ଘର ପ୍ରାଥମିକତା ଭିତ୍ତିରେ ନିର୍ମାଣ ପାଇଁ ଆବାସ ନିର୍ମାଣ ଓ ସହରୀ ବିକାଶ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏତଦବ୍ୟତୀତ ଅନୁସୂଚିତ ଜାତି ଓ ଗରିବ ଶ୍ରେଣୀର ଲୋକଙ୍କୁ ମାଗଣାରେ ୧୦୦ ୟୁନିଟ ଯୋଗାଇ ଦେବାକୁ ବିଚାର କରାଯାଇଛି । ସେ ସମସ୍ତ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କୁ ସକାଳ ୯ଟା ସୁଦ୍ଧା କାର୍ଯ୍ୟାଳୟରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ ଅଫିସଗୁଡ଼ିକରେ ଅନୁଶାସନ ଆଣିବା ଏହି ନିଷ୍ପତ୍ତିର ମୁଖ୍ୟ ଲକ୍ଷ୍ୟ । ଏହାଛଡ଼ା ସେ ଜନତାଙ୍କର ସମସ୍ୟାଗୁଡ଼ିକୁ ପ୍ରାଥମିକତା ଦେଇ ସମାଧାନ କରିବାକୁ କହିଛନ୍ତି ।

Get real time updates directly on you device, subscribe now.