ଶରୀରରେ ପ୍ଲେଟଲେଟ୍ସ କମି ଯାଇଥିଲେ କିପରି ଜାଣିବେ ? ପ୍ଲେଟଲେଟ୍ସ ସଂଖ୍ୟା ବୃଦ୍ଧି କରିବା ପାଇଁ ଡାଏଟରେ ସାମିଲ କରନ୍ତୁ ଏହି ଖାଦ୍ୟ
ଓଡ଼ିଶା ଭାସ୍କର: ସୁସ୍ଥ ଜୀବନଶୈଳୀ ପାଇଁ ସନ୍ତୁଳିତ ଆହାର ସହ ଯୋଗ, ବ୍ୟାୟାମ ଓ ସୁନିଦ୍ରା ଜରୁରୀ ଅଟେ । କିନ୍ତୁ ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ବ୍ୟକ୍ତି ଯେମିତି ନିଜର ଉପଯୁକ୍ତ ଯତ୍ନ ନେବାରେ ଅବହେଳା କରୁଛି । ବିଭିନ୍ନ ଫଳ, ପନିପରିବା, ମାଛ, ମାଂସ, କ୍ଷୀର ଇତ୍ୟାଦିରେ ଥିବା ଭିଟାମିନ୍, ମିନେରାଲ୍ସ, ପ୍ରୋଟିନ୍, ଜିଙ୍କ୍, ଲୌହ ଆସି ପୋଷକ ତତ୍ୱ ଏହା ଶରୀରକୁ ସୁସ୍ଥ ଓ ରୋଗମୁକ୍ତ ରଖିଥାଏ । ଆମେ ସେବନ କରୁଥିବା ଆହାର ରକ୍ତ ନିର୍ମାଣରେ ସହାୟକ ହୋଇଥାଏ । ଏହା ପ୍ଲେଟଲେଟ୍ସ ବୃଦ୍ଧି କରିବାରେ ମଧ୍ୟ ସହାୟକ ହୋଇଥାଏ ।
ସାଧାରଣତଃ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଶରୀରରେ ପ୍ଲେଟଲେଟ୍ କାଉଣ୍ଟ ବଢ଼ାଇବା ପାଇଁ ପରାମର୍ଶ ଦେଇଥାନ୍ତି । କୌଣସି ଆଘାତ ଯୋଗୁଁ ଶରୀରରେ ଦେଖାଦେଉଥିବା ରକ୍ତସ୍ରାବକୁ ହ୍ରାସ କରିବାରେ ପ୍ଲେଟଲେଟ୍ସ ଗୁରୁୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ । ବିଶେଷ କରି ଡେଙ୍ଗୁ ରୋଗୀଙ୍କୁ ଶରୀରରେ ପ୍ଲେଟଲେଟ୍ସ ବୃଦ୍ଧି କରିବା ପାଇଁ ଭଣ୍ଡା ପତ୍ର ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ । ଭଣ୍ଡା ପତ୍ରରେ ବାୟୋ ଆକ୍ଟିଭ୍ କମ୍ପାଉଣ୍ଡ ରହିଛି । ଶରୀରରେ ପ୍ଲେଟଲେଟ୍ ଅଭାବ ଦେଖାଗଲେ ଥକ୍କାପଣ, ମୁଣ୍ଡ ବୁଲାଇବା, ନାକରୁ ରକ୍ତ ବାହାରିବା, ତ୍ୱଚାରେ ଛୋଟ ଛୋଟ ନାଲି ଦାଗ, ଝାଡ଼ାରେ ରକ୍ତ ପଡ଼ିବା ଇତ୍ୟାଦି ଲକ୍ଷଣ ଦେଖାଯାଏ ।
ଶରୀରରେ ପ୍ଲେଟଲେଟ୍ସ କମ୍ ହେବାର କାରଣ
୧. ବୋନ୍ ମେରୋ ଶରୀରରେ ରକ୍ତବାହୀ(ବ୍ଲଡ୍ ଭେସେଲ୍ସ)ର ନିର୍ମାଣ କରିଥାଏ । ଏହା ଠିକ୍ ଭାବରେ କାର୍ଯ୍ୟ ନ କଳେ ଶରୀରରେ ପ୍ଲେଟଲେଟ୍ ସଂଖ୍ୟା ହ୍ରାସ ପାଇଥାଏ ।
୨. ଡେଙ୍ଗୁ, ଚିକେନଗୁନିଆ, ହେପାଟାଇଟିସ୍ ଭଳି ରୋଗ ପ୍ଲେଟଲେଟ୍ ସଂଖା ହ୍ରାସ କରିଥାଏ ।
୩. ଶରୀରରେ ଭିଟାମିନ୍ ବି୧୨, ଫଲିକ୍ ଏସିଡ୍ ଏବଂ ଲୌହ ଅଭାବ
୪. ଅଧିକ ମଦ୍ୟପାନ କରିବା
ପ୍ଲେଟଲେଟ୍ ସଂଖ୍ୟା ବୃଦ୍ଧି କରିବା ପାଇଁ ଡାଏଟ୍ ଚାର୍ଟରେ ନିମ୍ନଲିଖିତ ଆହାର ସାମିଲ କରିପାରିବେ ।
– ଦୈନିକ ସବୁଜ ପନିପରିବା ଯେପରି ପାଳଙ୍ଗ ଶାଗ, ମେଥି ଶାଗ, ସୋରିଷ ସାଗ, ବନ୍ଧାକୋବି, ବ୍ରୋକୋଲି ଇତ୍ୟାଦି ଖାଇବା ଉଚିତ । ପନିପରିବା ଭିଟାମିନର ଉତ୍ତମ ସ୍ରୋତ ଅଟେ ।
– ଡାଳିମ୍ବ, କିୱି, କମଳା, ଲେମ୍ବୁ ଭିଟାମିନ୍ ‘ସି’ର ଉତ୍ତମ ସ୍ରୋତ । ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ।
– ବାଦାମ, କାଜୁ, କିସମିସ୍, ଅଖରୋଟ୍, ଆପ୍ରିକଟ୍, ଖଜୁରୀ, ୱାଲନଟ୍ ଭଳି ଡ୍ରାଏଫ୍ରୁଟ୍ସ ଭିଟାମିନ୍ ‘ଇ’ ର ଉତ୍ତମ ସ୍ରୋତ । ଆଣ୍ଟିଅକ୍ସିଡାଣ୍ଟ ଗୁଣରେ ଭରପୁର ଡ୍ରାଏଫ୍ରୁଟ୍ସ ରକ୍ତବାହୀକୁ ନଷ୍ଟ ହେବାରୁ ରକ୍ଷା କରିଥାଏ ।
– ଚିଆ ସିଡ୍ସ, ଫ୍ଲାକ୍ସ ସିଡ୍ସ ଏବଂ କଖାରୁ ମଞ୍ଜିରେ ଓମେଗା-୩ ଫ୍ୟାଟି ଏସିଡ୍ ରହିଛି । ଏହା ଫୁଲାକୁ ହ୍ରାସ କରିବା ସହ ରକ୍ତବାହୀକୁ ସୁସ୍ଥ ରଖିଥାଏ ।
– ଭଣ୍ଡା ପତ୍ର ପ୍ଲେଟଲେଟ୍ ସଂଖ୍ୟା ବୃଦ୍ଧି କରିବାର ଏକ ଉତ୍ତମ ଉତ୍ସ । ଭଣ୍ଡା ପତ୍ରର ଫ୍ରେଶ୍ ଜୁସ୍ କିମ୍ବା ବଜାରରେ ଉପଲବ୍ଧ ହେଉଥିବା ବଟିକା ଖାଇବା ଫଳପ୍ରଦ ଅଟେ ।