fbpx

ମଦ୍ୟପ ସ୍ୱାମୀର ଉନ୍ମତକାଣ୍ଡ: ସ୍ତ୍ରୀ, ଶଳା ସହ ସଢୁକୁ ଭୁଜାଲି ଦେଲା ଚୋଟୋ, ଅଭିଯୁକ୍ତକୁ ଧରିଲା ପୋଲିସ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଗାଡ଼କଣରେ ଜଣେ ବ୍ୟକ୍ତି ଅତ୍ୟଧିକ ମଦ୍ୟପାନ କରି ଉନ୍ମତ୍ତକାଣ୍ଡ ଭିଆଇଛି । ସ୍ତ୍ରୀ, ସଢ଼ୁ ଓ ଶାଳକଙ୍କୁ ଅତର୍କିତ ଭୁଜାଲି ମାଡ଼ କରିଛି । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ଅଭିଯୁକ୍ତ ମଦ୍ୟପ ସଞ୍ଜୟ ବାରିକଙ୍କୁ ଥାନାରେ ଅଟକ ରଖିଛି ପୋଲିସ ।

ସଞ୍ଜୟ ଗାଡ଼କଣରେ ରାଜୀବ ଆବାସ ଯୋଜନାରେ ଘର କରିଥିଲେ । ୨ ଦିନ ତଳେ ତାଙ୍କ ଘର ପ୍ରତିଷ୍ଠା କରିଥିଲେ । ପ୍ରତିଷ୍ଠା ଉପଲକ୍ଷେ ଘରକୁ ସଢ଼ୁ ଆଶିଷ ବେହେରା ଓ ଆଶିଷଙ୍କ ଶାଳକ ଜଗନ୍ନାଥ ବେହେରା ଆସିଥିଲେ । ରାତିରେ ସଞ୍ଜୟ ମଦ୍ୟପାନ କରି ଘରେ ସ୍ତ୍ରୀ ମାମୁନିଙ୍କ ସହ ଝଗଡ଼ା କରିଥିଲେ । ଘରେ କୁଣିଆ ଭର୍ତ୍ତି ହୋଇଥିବାରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଘଟଣାର ଆପୋଷ ସମାଧାନ ହୋଇଥିଲା । ଗତ ବୁଧବାର ପୂର୍ବାହ୍ନରେ ସଞ୍ଜୟ ଘରେ ନଥିବା ବେଳେ ମାମୁନି ଆଶିଷ ଓ ଜଗନ୍ନାଥଙ୍କ ସହ ମାର୍କେଟିଂ କରିବାକୁ ଯାଇଥିଲେ । ସଞ୍ଜୟ ଘରକୁ ଫେରି କାହାରିକୁ ନ ପାଇ ଘର ଭିତରେ ଥିବା ଟିଭି, ଫ୍ୟାନ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଭଙ୍ଗାରୁଜା କରିଥିଲେ ।

ବଜାରରୁ ଫେରି ଘର ଭିତରେ ସବୁ ଭଙ୍ଗାରୁଜା ହୋଇଥିବା ଦେଖି ମାମୁନି ସଞ୍ଜୟଙ୍କୁ ପଚାରିବାରୁ ସେ ଗାଳିଗୁଲଜ କରି ପଳାଇଥିଲେ । ଗୁରୁବାର ସନ୍ଧ୍ୟାରେ ସଞ୍ଜୟ ମଦ୍ୟପାନ କରି ଘରକୁ ଆସିବା ପରେ ମାମୁନି ତାଙ୍କୁ କାହିଁକି ଘର ଜିନିଷପତ୍ର ଭଙ୍ଗାରୁଜା କଲ ବୋଲି ପଚାରିଥିଲେ । ଏଥିରେ ସଞ୍ଜୟଙ୍କ ମୁଣ୍ଡକୁ ପିତ୍ତ ଚଢି ଯାଇଥିଲା । ସେ ଘର ଭିତରୁ ଏକ ଭୁଜାଲି ଆଣି ମାମୁନିଙ୍କୁ ଆକ୍ରମଣ କରିଥିଲେ । ତାଙ୍କ ପିଠିକୁ ୩ ଥର ଓ ହାତକୁ ଏକ ଚୋଟୋ ଦେଇଥିଲେ । ମାମୁନିଙ୍କ ଚିତ୍କାର ଶୁଣି ଆଶିଷ ଆସି ପ୍ରତିବାଦ କରିବାରୁ ସଞ୍ଜୟ ତାଙ୍କୁ ମଧ୍ୟ ଭୁଜାଲି ମାଡ଼ କରିଥିଲେ । ଏହା ଦେଖି ଆଶିଷଙ୍କ ଶାଳକ ଜଗନ୍ନାଥ ଆସିଯିବାରୁ ତାଙ୍କୁ ମଧ୍ୟ ସଞ୍ଜୟ ହାଣି ପକାଇଥିଲେ । ପାଖ ପଡ଼ୋଶୀଙ୍କ ଠାରୁ ଖବରପାଇ ପିସିଆର ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା । ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ସଞ୍ଜୟଙ୍କୁ ଗିରଫ କରିଥିଲା

Get real time updates directly on you device, subscribe now.