fbpx

ଯଦି ୧୯୪୭ରେ ମୋଦୀଙ୍କ ପରି ପ୍ରଧାନମନ୍ତ୍ରୀ ମିଳିଥାନ୍ତା ତେବେ ଭାରତ ବିଶ୍ଵର ସବୁଠୁ ବଡ ଶକ୍ତି ହୋଇଥାନ୍ତା: ଯୋଗୀ

ଲକ୍ଷ୍ନୌ : ଯଦି ୧୯୪୭ ସମିହାରେ ଦେଶରେ ନରେନ୍ଦ୍ର ମୋଦୀଙ୍କ ପରି ପ୍ରଧାନମନ୍ତ୍ରୀ ଥାଆନ୍ତା ତେବେ ଭାରତ ଦୁନିଆର ଶକ୍ତିଶାଳୀ ରାଷ୍ଟ୍ର ହୋଇ ପାରିଥାନ୍ତା। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁଙ୍କ ଜୟନ୍ତୀ ଦିନ ଏହି କଥା କହିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ରବିବାର ଲକ୍ଷ୍ନୌରେ ବୈଶ୍ୟ ଏବଂ ବ୍ରାହ୍ମଣ ସମାଜକୁ ସମ୍ବୋଧିତ କରି ଯୋଗୀ ଏହା କହିଛନ୍ତୀ।
ଏହି ସମୟରେ ସମାଜବାଦ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ନିଶାଣ କରି ଯୋଗୀ କହିଛନ୍ତି, ସର୍ଦ୍ଦାର ପଟେଲଙ୍କୁ ଜିନ୍ନାଙ୍କ ସହ ତୂଳନା କରିବା ଭୋଟ୍ ବ୍ୟାଙ୍କର ସବୁଠୁ ନିକୃଷ୍ଠ ରାଜନୀତି ବ୍ୟତୀତ ଆଉ କିଛି ନୁହେଁ। ନେହେରୁଙ୍କ ଜୟନ୍ତୀରେ ଯୋଗୀ କହିଛନ୍ତି, ଯଦି ୧୯୪୭ରେ ମୋଦୀଙ୍କ ପରି ପ୍ରଧାନମନ୍ତ୍ରୀ ଦେଶକୁ ମିଳିଥାନ୍ତା ତେବେ ଭାରତ ଆଜି ବିଶ୍ଵର ସବୁଠୁ ଶକ୍ତିଶାଳୀ ଦେଶ ହୋଇଥାନ୍ତା।
ଲକ୍ଷ୍ନୌରେ ବ୍ରାହ୍ମଣ ପରିବାରର ୧୬ତମ ସ୍ଥାପନା ଦିବସରେ ଯୋଗୀ ଆଦିତ୍ୟନାଥ କହିଛନ୍ତି, ବ୍ରାହ୍ମଣର ଅର୍ଥ ସଂସ୍କାର, ସଂସ୍କୃତି ଓ ଧର୍ମ। ସେମାନେ ନିଜେ କଷ୍ଟ ଭୋଗନ୍ତି ମାତ୍ର ଧର୍ମ ଉପରେ ଆଞ୍ଚ ଆଣିବାକୁ ଦିଅନ୍ତି ନାହିଁ। ଗୋଟିଏ ପଟେ ରାଷ୍ଟ୍ର ନାୟକ ସର୍ଦ୍ଦାର ପଟେଲ୍ ତ ଅନ୍ୟପଟେ ଦେଶକୁ ବିଭାଜନ କରିଥିବା ଖଳନାୟକ ଜିନ୍ନା। ଯଦି କିଏ ସର୍ଦ୍ଦାର ପଟେଲଙ୍କ ତୂଳନା ଜିନ୍ନା ସହ କରିବେ ତେବେ ତାହା ଭୋଟ୍ ବ୍ୟାଙ୍କର ନିକୃଷ୍ଟ ରାଜନୀତି ହିଁ କୁହାଯିବ ବୋଲି ଯୋଗୀ କହିଛନ୍ତି।
ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜୟନ୍ତୀରେ ଯୋଗୀ କହିଛନ୍ତି, ଭାରତକୁ ଆଜି ଯେଉଁ ପରିଚୟ ଦେଶକୁ ମିଳିଛି ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣ ଯୋଗୁଁ ମିଳିଛି। ଦେଶକୁ ଆଜି ଦୁନିଆରେ ଭିନ୍ନ ପରିଚୟ ମିଳିଛି। ୧୯୪୭ରେ ଭାରତକୁ ଯଦି ଏମିତି ଯଶସ୍ଵୀ ପ୍ରଧାନମନ୍ତ୍ରୀ ମିଳିଥାନ୍ତା ତେବେ ଭାରତ ଆଜି ଦୁନିଆର ସବୁଠୁ ସମୃଦ୍ଧ, ବଡ ସାମରିକ ଶକ୍ତି ଏବଂ ଆର୍ଥିକ ଶକ୍ତିଶାଳୀ ଦେଶ ହୋଇଥାନ୍ତା।
ବୈଶ୍ୟ ସମାଜକୁ ସମ୍ବୋଧିତ କରି ଯୋଗୀ କହିଛନ୍ତି, ବିରୋଧୀଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ। ସେମାନେ ଏବେ ସର୍ଦ୍ଦାର ପଟେଲଙ୍କ ଅପମାନ କରିବାକୁ ଚାହୁଁଛନ୍ତି। ଇତିହାସ ଅଶୋକ କିମ୍ବା ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମହାନ ଦର୍ଶାଇ ନାହିଁ ବରଂ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କଠୁ ପରାଜିତ ହୋଇଥିବା ସିକନ୍ଦରକୁ ମହାନ କହିଛି। ଦେଶ ସହିତ କେତେ ଧୋକା ହୋଇଛି। ଇତିହାସକାର ଏହି ସବୁ ପ୍ରସଙ୍ଗରେ ନିରବ। ଯଦି ସତ୍ୟ ଭାରତୀୟଙ୍କ ମନରେ ଆସିଯାଏ ତେବେ ସମାଜ ଏବଂ ଦେଶ ଛିଡା ହୋଇଯିବ।

Get real time updates directly on you device, subscribe now.