ଦେଶ ସୁରକ୍ଷା ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ମିଲିଟାରୀ ଡିଫେନ୍ସ ସାଟେଲାଇଟର ଭୂମିକା କ’ଣ, ଏ କ୍ଷେତ୍ରରେ ଭାରତର ସ୍ଥିତି କିପରି ରହିଛି
ନୂଆଦିଲ୍ଲୀ: ଭାରତ ପ୍ରତିରକ୍ଷା ବାହିନୀ ପାଇଁ ଅଲଗା ଅଳଗା ସାଟେଲାଇଟ୍ ଲଞ୍ଚ କରିବ ବୋଲି ଦୁଇମାସ ପୂର୍ବରୁ କେନ୍ଦ୍ର ସରକାର ଘୋଷଣା କରିଥିଲେ । ସେଥିମଧ୍ୟରେ ଜିସାଟ-୭ବି ଓ ଜିସାଟ-୭ଆର ସାମିଲ ରହିଛନ୍ତି । ଅନ୍ୟ ମିଲିଟାରୀ ସାଟେଲାଇଟକୁ ମଞ୍ଜୁରୀ ମିଳିସାରିଥିଲେ ହେଁ ଏହା ପୂର୍ବରୁ କେତୋଟି ସାଟେଲାଇଟର ଉପଯୋଗ ଭାରତୀୟ ମିଲିଟାରୀ କରିଛି, ତାହାର ସୂଚନା ଦେବା ନେଇ ସରକାର, ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ବୈଜ୍ଞାନିକମାନେ ବିରତ ରହିଛନ୍ତି । ସାଧାରଣ ଭାବେ ଏହି ତଥ୍ୟଗୁଡ଼ିକ ସାର୍ବଜନିକ କରାଯାଏ ନାହିଁ ।
ସାଧାରଣ ଭାବେ ୟାର୍ଥ ଅବଜରଭେସନ ଧାରୀ ସାଟେଲାଇଟର ଉପଯୋଗ ମିଲିଟାରୀ କରିଥାଏ । ସର୍ଜିକାଲ, ଏୟାର ଷ୍ଟ୍ରାଇକ, ପଡ଼ୋଶୀ ବିବାଦ ସମୟରେ କାର୍ଟୋସୈଟ ଆଦି ସାଟେଲାଇଟକୁ ଶତ୍ରୁ ପକ୍ଷ ଉପରେ ନଜର ରଖିବା ଉଦ୍ଦେଶ୍ୟରେ ନିୟୋଜିତ କରାଯାଇଥାଏ । ଆଗାମୀ ଦୁଇ ବର୍ଷ ମଧ୍ୟରେ ଚୀନ ଓ ପାକିସ୍ତାନ ସୀମା ପୂର୍ବାପେକ୍ଷା ଅଧିକ ସୁରକ୍ଷିତ ହୋଇଯିବ । ପ୍ରତିରକ୍ଷା ବିଭାଗ ପକ୍ଷରୁ ମିଲିଟାରୀ ସାଟେଲାଇଟ ପାଇଁ ୮୩୫୭ କୋଟି ଖର୍ଚ୍ଚ ନେଇ ବ୍ୟୟବରାଦ ହୋଇଛି ।
ତେବେ ମହାକାଶରେ ପଡ଼ୋଶୀ ଦେଶଗୁଡ଼ିକର ହରକତ ଉପରେ ନଜର ରଖିବା ପାଇଁ ବ୍ୟବହାର ହେଉଥିବା ସୈନ୍ୟ ଉପଗ୍ରହ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଜିସାଟ ଇସ୍ରୋ ଦ୍ୱାରା ବିକଶିତ ମଲଟିବ୍ୟାଣ୍ଡ ସୈନ୍ୟ ସଞ୍ଚାର ଉପଗ୍ରହ ଅଟେ । ଏଥିରେ ୟୁଏଚଏଫ, ସି ବ୍ୟାଣ୍ଡ ଓ କୁ ବ୍ୟାର୍ଡର ଟ୍ରାନ୍ସପୋଣ୍ଡର୍ସ ଲାଗିଥାଏ, ଯାହାକି ଅଲଗା ଅଲଗା ବ୍ୟାଣ୍ଡସକୁ ରେଡିଓ ଫ୍ରିକ୍ୱେନ୍ସି ଭେଜିଥାଏ । ଫଳରେ ସହଜ ଓ ସୁରକ୍ଷିତ ଭାବେ ସଞ୍ଚାର ସ୍ଥାପିତ ହୋଇପାରିଥାଏ । ଏହାଫଳରେ ଯୁଦ୍ଧ ବିମାନ ଠିକ୍ ସମୟରେ ଟାର୍ଗେଟରେ ପହଞ୍ଚି ପାରିଥାଏ । ନୌସେନାରୁ ଯୁଦ୍ଧପୋତ ଓ ସବମରିନକୁ ରଣନୀତି ଅନୁଯାୟୀ ପଠାଇବା ସମ୍ଭବ ହୋଇଥାଏ । ସେନା ସୀମାରେ ଠିକ୍ ପୋଜିସନରେ ରହି ନଜର ରଖିବା ସହ ଜବାବ ଦେଇ ପାରିଥାଏ ।
ବର୍ତ୍ତମାନ ଅନ୍ତରୀକ୍ଷରେ ଭାରତର ୧୦ଟି ଜିସାଟ ଉପଗ୍ରହ ରହିଥିବା ଅନୁମାନ କରାଯାଉଛି । ସେଥିରେ ୧୬୮ଟି ଟ୍ରାନ୍ସପୋଣ୍ଡର୍ସ ଲାଗିଛି, ଯାହା ମାଧ୍ୟମରେ କି ତରଙ୍ଗ ପ୍ରେରିତ ହୋଇଥାଏ । ବିଭିନ୍ନ ପ୍ରକାର ଟ୍ରାନ୍ସପୋଣ୍ଡର୍ସ ମାଧ୍ୟମରେ ଟେଲିକମ୍ୟୁନିକେସନ, ଟେଲିଭିଜନ ବ୍ରଡକାଷ୍ଟିଂ, ପାଣିପାଗ ପୂର୍ବାନୁମାନ, ବିପଦ ସୂଚନା, ସନ୍ଧାନ ଓ ରିଲିଫ୍ କାର୍ଯ୍ୟ ସମ୍ଭବ ହୋଇଥାଏ ।
ତେବେ ମିଲିଟାରୀ ସାଟେଲାଇଟର ଅଧିକ ସୁବିଧା ବାୟୁସେନାକୁ ମିଳିଥାଏ । ଏହା ବାୟୁସେନାର ନେଟୱାର୍କିଂ କ୍ଷମତାକୁ ଦୁଇଗୁଣ ବଢ଼ାଇ ଦେଇଥାଏ । ଏହା ଫଳରେ ବାୟୁସେନା ଭାରତୀୟ ଆକାଶରେ ଦୃଷ୍ଟି ରଖିବାରେ ଅଧିକ ସକ୍ଷମ ହୋଇଥାଏ । ତେବେ ଚଳିତ ବର୍ଷ ଓ ଆସନ୍ତା ବର୍ଷ ଜିସାଟ-୭ଆର, ଜିସାଟ-୭ସି, ଜିସାଟ-୩୨କୁ ଲଞ୍ଚ କରାଯିବାର ସମ୍ଭାବନା ରହିଛି ।