fbpx

Ind vs Eng: କ’ଣ ଆଜି ଦ୍ୱିଶତକ ଲଗାଇବେ ଚେତେଶ୍ୱର ପୂଜାରା, ୯ ବର୍ଷର ପୁରୁଣା ଇତିହାସ କରୁଛି ଇସାରା

ନୂଆଦିଲ୍ଲୀ : ଗତ କିଛି ସମୟରୁ ଖରାପ ଫର୍ମ ଦେଇ ସଂଘର୍ଷ କରୁଥିବା ଭାରତୀୟ ବ୍ୟାଟସମ୍ୟାନ ଚେତେଶ୍ୱର ପୂଜାରା ଇଂଲଣ୍ଡ ବିପକ୍ଷ ଲିଡ୍ସରେ ଖେଳାଯାଉଥିବା ତୃତୀୟ ଟେଷ୍ଟରେ ଦ୍ୱିଶତକ ହାସଲ କରି ପାରନ୍ତି । ତାଙ୍କୁ ଶତକର ନିକଟତର ହେବା ପାଇଁ ୩୫ ଇନିଂସ ଲାଗି ଯାଇଥିଲେ ମଧ୍ୟ ତୃତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ସେ ଯେଉଁଭଳି ବ୍ୟାଟିଂ କରୁଛନ୍ତି,ତାକୁ ଦେଖିଲେ କୁହାଯାଇ ପାରିବ ଯେ, ସେ ୨୦୧୨ର ଇତିହାସକୁ ଦୋହରାଇବା ମୁଡରେ ଅଛନ୍ତି ।

ସୂଚନାଯୋଗ୍ୟ, ପୂଜାରା ନିଜର ଶେଷ ଟେଷ୍ଟ ଶତକ ୨୦୧୯ ଜାନୁଆରୀରେ ଅଷ୍ଟ୍ରେଲିଆ ବିପକ୍ଷରେ ଅର୍ଜନ କରିଥିଲେ । ଏହା ପରେ ୩୫ଟି ଇନିଂସରେ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ୮୧ ରହିଥିଲା । ହେଲେ ୨୦୧୯ର ଶତକ ପରେ ୩୬ତମ ଇନିଂସରେ ଯାଇ ପୂଜାରା ଶତକର ନିକଟତର ହୋଇଛନ୍ତି । ସେ ତୃତୀୟ ଟେଷ୍ଟର ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୯୧ ରନରେ ଅପରାଜିତ ଅଛନ୍ତି । ଏହି ସମୟରେ ସେ ୧୫ ଚୌକା ଲଗାଇଛନ୍ତି । ପୂଜାରା ଷ୍ଟମ୍ପ ଅପସାରଣ ସୁଦ୍ଧା ଅଧିନାୟକ ବିରାଟ କୋହଲିଙ୍କ ସହିତ କ୍ରିଜରେ ଅଛନ୍ତି । ନିଜ ଟେଷ୍ଟ କ୍ୟାରିୟରରେ ଦ୍ୱିତୀୟ ଥର ପୂଜାରା ଦିନର ଖେଳ ସମାପ୍ତ ହେବା ପର୍ଯ୍ୟନ୍ତ ନାଇଟିଜରେ ଅପରାଜିତ ଅଛନ୍ତି ।

ଦୋହରାଇବେ କି ରେକର୍ଡ

ଏହା ପୂର୍ବରୁ ୨୦୧୨ ନଭେମ୍ବବରରେ ଇଂଲଣ୍ଡ ବିପକ୍ଷରେ ଦିନର ଖେଳ ଶେଷ ସୁଦ୍ଧା ସେ ୯୮ ରନରେ ଅପରାଜିତ ଥିଲେ । ଏହାର ପରବର୍ତ୍ତୀ ଦିନ ସେ ଦ୍ୱିଶତକ ହାସଲ କରି ଅପରାଜିତ ୨୦୬ ରନ କରିଥିଲେ । ଭାରତ ଉକ୍ତ ମୁକାବିଲାକୁ ୯ ୱିକେଟରେ ଜିତି ନେଇଥିଲା ।

Get real time updates directly on you device, subscribe now.