ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୁନ ୯ରୁ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ। ଏଥିପାଇଁ ଦକ୍ଷିଣ ଆଫ୍ରିକା ଦଳ ଗୁରୁବାର ସକାଳେ ଦିଲ୍ଲୀ ପହଞ୍ଚିଛନ୍ତି। ଦୁଇ ଦେଶ ମଧ୍ୟରେ ସିରିଜର ପ୍ରଥମ ମୁକାବିଲା ଦିଲ୍ଲୀରେ ଖେଳାଯିବ। ଆଇପିଏଲରେ ଅଂଶଗ୍ରହଣ କରିଥିବା କ୍ଵିଣ୍ଟନ ଡିକକ୍, ଡେଭିଡ ମିଲର ଏବଂ କାଗିସୋ ରାବଡା ପ୍ରଥମରୁ ଭାରତରେ ଅଛନ୍ତି। ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଛି।
ଏହି ସିରିଜରେ ଦକ୍ଷିଣ ଆଫ୍ରିକାର ଲକ୍ଷ୍ୟ ଭାରତକୁ ବିଶ୍ଵ ରେକର୍ଡ କରିବାରୁ ବଞ୍ଚିତ କରିବା ଉପରେ ରହିବ। ଟିମ୍ ଇଣ୍ଡିଆ ଗତ ୧୨ଟି ଟି-୨୦ ମ୍ୟାଚ୍ ଜିତିଛି। ଯଦି ଭାରତ ପ୍ରଥମ ଟି-୨୦ରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ହରାଇ ଦିଏ ତେବେ ଲଗାତାର ସର୍ବାଧିକ ଟି-୨୦ ମୁକାବିଲା ଜିତିବାର ବିଶ୍ଵ ରେକର୍ଡ ଭାରତ ନାଁରେ ହୋଇଯିବ। ଭାରତ ଘରୋଇ ମାଟିରେ ଗତ ତିନୋଟି ଟି-୨୦ ସିରିଜ୍ କ୍ଲିନ୍ ସୁଇପ୍ କରିଛି। ଟି-୨୦ ବିଶ୍ଵ କପ୍ ପରେ ଭାରତ ନ୍ୟୁଜିଲାଣ୍ଡ, ଓ୍ଵେଷ୍ଟଇଣ୍ଡିଜ ଏବଂ ଶ୍ରୀଲଙ୍କାକୁ ତିନି ମ୍ୟାଚର ଟି-୨୦ ସିରିଜରେ କ୍ଲିନ୍ ସୁଇପ୍ କରିଥିଲା। ଭାରତ ବ୍ୟତୀତ ଆଫଗାନିସ୍ତାନ ଏବଂ ରୋମାନିଆ ଲଗାତାର ୧୨ଟି ଟି-୨୦ ମ୍ୟାଚ୍ ଜିତିଛନ୍ତି।
ଦକ୍ଷିଣ ଆଫ୍ରିକାର ଅଧିନାୟକ ତେମ୍ବା ବାଭୁମା କହିଛନ୍ତି, ଚଳିତ ବର୍ଷ ଟି-୨୦ ବିଶ୍ଵ କପ୍ ଖେଳାଯିବ। ଏମିତିରେ ଭାରତ ବିପକ୍ଷ ଟି-୨୦ ସିରିଜ୍ ବିଶ୍ଵ କପ୍ ପ୍ରସ୍ତୁତି ଦୃଷ୍ଟିରୁ ଗୁରୁତ୍ଵପୂର୍ଣ୍ଣ। ଆମେ ସିରିଜ୍ ଜିତିବାକୁ ଉଦ୍ୟମ କରିବୁ। ସବୁଠୁ ବଡ କଥା ଭାରତକୁ ଅଧିକ ଟି-୨୦ ମ୍ୟାଚ୍ ଜିତି ରେକର୍ଡ କରିବାକୁ ନଦେବା ପାଇଁ ଚେଷ୍ଟା କରିବୁ। ଭ୍ରମଣକାରୀ ଦଳ ପାଇଁ ଏହା ସକରାତ୍ମକ ଦିଗ ଯେ, ଦଳର ଅନେକ ଖେଳାଳି ଆଇପିଏଲ୍ ଖେଳିଛନ୍ତି ଏବଂ ଭଲ ପ୍ରଦର୍ଶନ କରିଛନ୍ତି। ଦଳ ଏଥିରୁ ଫାଇଦା ଉଠାଇବାକୁ ଚେଷ୍ଟା କରିବ।
ଦକ୍ଷିଣ ଆଫ୍ରିକା ଦଳ
ତେମ୍ବା ବାଭୁମା(ଅଧିନାୟକ), କ୍ଵିଣ୍ଟନ ଡିକକ୍, ରିଜା ହେଣ୍ଡ୍ରିକ୍ସ, ହେନରିକ କ୍ଲାସେନ, କେଶବ ମହାରାଜ, ଆଡେନ ମାରକ୍ରମ, ଡେଭିଡ୍ ମିଲର, ଲୁଙ୍ଗି ଏନଗିଡି, ଏନରିକ ନୋର୍ତ୍ତଜେ, ଓ୍ଵେନ ପାର୍ନେଲ, ଡ୍ଵେନ ପ୍ରିଟୋରିୟସ, କାଗିସୋ ରାବଡା, ତବରେଜ ସମ୍ସି, ଟ୍ରିଷ୍ଟିୟନ ଷ୍ଟବ୍ସ, ରସି ଭାନ ଡର ଡସେନ, ମାର୍କୋ ଜନସେନ।