ଦେଶ ପାଳୁଛି ସମ୍ବିଧାନ ଦିବସ, ଏଜି ଛକରୁ କ୍ୟାପିଟାଲ ହସ୍ପିଟାଲ ଛକ ଯାଏଁ ପଦଯାତ୍ରା

ଭୁବନେଶ୍ବର: ଆଜି ଦେଶ ପାଳୁଛି ଜାତୀୟ ସମ୍ବିଧାନ ଦିବସ । ଦେଶର ସମ୍ବିଧାନକୁ ଆଜି 75 ବର୍ଷ ପୂର୍ତ୍ତି ହୋଇଛି । ଏନେଇ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । 1949 ମସିହା ନଭେମ୍ବର 26 ତାରିଖରେ ଭାରତ ସମ୍ବିଧାନକୁ ଗ୍ରହଣ କରିଥିବା କାରଣରୁ ପ୍ରତିବର୍ଷ ନଭେମ୍ବର 26 ତାରିଖକୁ ସମ୍ବିଧାନ ଦିବସ ଭାବେ ପାଳନ କରାଯାଇଥାଏ । ସାମ୍ବିଧାନିକ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଦିବସ ପାଳନ କରାଯାଉଛି । ତେବେ ଓଡିଶା ସମେତ ଅନେକ ସ୍ଥାନରେ ଏନେଇ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

ଯଦି ଦିଲ୍ଲୀ କଥା ଦେଖିବା ତାହାଲେ ପୁରୁଣା ପାର୍ଲାମେଣ୍ଟ ଭବନରେ ସମ୍ବିଧାନ ଦିବସ ନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି । ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଏବଂ ବାଚସ୍ପତି ଓମ୍ ବିର୍ଲା ଯୋଗ ଦେଇ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଡାକଟିକେଟ ଏବଂ ସ୍ମାରକୀ ମୁଦ୍ରା ମଧ୍ୟ ଉନ୍ମୋଚନ ହୋଇପାରେ । ଯଦି ରାଜ୍ୟ କଥା ଦେଖିବା ତାହେଲେ ଜାତୀୟ ସମ୍ବିଧାନ ଦିବସ ଉପଲକ୍ଷେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଭୁବନେଶ୍ବର ଏଜି ଛକରୁ କ୍ୟାପିଟାଲ ଛକ ପର୍ଯ୍ୟନ୍ତ ପଦଯାତ୍ରାର ଆୟୋଜନ କରାଯାଇଛି । ତେବେ ଏହି ପଦଯାତ୍ରା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଯୋଗ ଦେଇଥିଲେ । ଏହାସହିତ ପଦଯାତ୍ରାରରେ ଅନେକ ସାଧାରଣ ଲୋକ ମଧ୍ୟ ସାମିଲ ହୋଇଥିଲେ ।