ଦୀପାବଳିରେ ଏକାଠି ଆସିବେ ଭାରତ-ଚୀନ ସୈନ୍ୟ, LAC ସୀମାରେ ପରସ୍ପରକୁ ଖୁଆଇବେ ମିଠା

ନୂଆଦିଲ୍ଲୀ: ଦୀର୍ଘ ଦିନରୁ ଭାରତ-ଚୀନ୍ ମଧ୍ୟରେ ଚାଲିଆସିଥିବା ସୀମା ବିବାଦ ସୁଧୁରିବାରେ ଲାଗିଛି । ଆଜି ଦୀପାବଳି ଅବସରରେ LAC ସୀମାରେ ଦେଖିବାକୁ ମିଳିବ ନିଆର ଦୃଶ୍ୟ । ଭାରତୀୟ ସେନା ସୂତ୍ରରୁ ପ୍ରକାଶ ଦୁଇ ଦେଶର ସୈନିକ ଆଜି ପରସ୍ପରକୁ ମିଠା ଖୁଆଇ ଦୀପାବଳି ପାଳନ କରିବେ । ନିକଟରେ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ପରେ ପୂର୍ବ ଲାଦାଖରେ LAC ରେ ଡେପସାଙ୍ଗ୍ ଏବଂ ଡେମଚୋକରେ ଭାରତ ଚୀନ ସେନା ପ୍ରତ୍ୟାହାର କାର୍ଯ୍ୟ ଶେଷ ହୋଇଛି । ଖୁବ ଶୀଘ୍ର ଏହି ସ୍ଥାନରେ ପାଟ୍ରୋଲିଂ ମଧ୍ୟ ଆରମ୍ଭ ହେବ ।

ଭାରତରେ ଥିବା ଚୀନ ରାଷ୍ଟ୍ରଦୂତ ଶୁ ଫେଇହୋଙ୍ଗ୍‌(Xu Feihong) କୋଲକାତାରେ ଏକ କାର୍ଯ୍ୟକ୍ରମ ସମୟରେ ସେନ୍ୟ ପ୍ରତ୍ୟାହାରକୁ ନେଇ କହିଥିଲେ, ‘ଭବିଷ୍ୟତରେ ଭାରତ- ଚୀନ ମଧ୍ୟରେ ସମ୍ପର୍କ ଆହୁରି ଦୃଢ଼ ହେବ ଏବଂ ଦୁଇ ପକ୍ଷର ମତଭେଦ କୌଣସି ବାଧା ଉତ୍ପନ୍ନ କରିବ ନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମତଭେଦ ସହ କିପରି ମୁକାବିଲା କରିବା ।’ ପୂର୍ବ ଲାଦାଖରେ ୪ ବର୍ଷ ପରେ LAC ସୀମାରେ ସେନ୍ୟ ପ୍ରତ୍ୟାହାର ଦୁଇ ଦେଶ ପାଇଁ ଏକ ବଡ଼ ସଫଳତା । କହିରଖୁଛୁ ୨୦୨୦ ପରେ ଗଲୱାନ୍ ଘାଟିରେ ହୋଇଥିବା ସଂଘର୍ଷ ପରେ ପୂର୍ବ ଲାଦାଖର LACରେ ଅବରୋଧ ଜାରି ରହିଥିଲା ଏବଂ ଭାରତ- ଚୀନ୍ ସମ୍ପର୍କରେ ତିକ୍ତତା ଦେଖାଦେଇଥିଲା । ତେବେ ସେନା ପ୍ରତ୍ୟାହାର ପରେ ଗୁରୁବାର ଦୁଇ ପକ୍ଷ ଦ୍ୱାରା ଏରିୟଲ ସର୍ଭେ ଶେଷ ହେବ ବୋଲି ଆଶା କରାଯାଉଛି ।