ଭାରତୀୟ ମହିଳା ଫୁଟବଲ ଦଳର ଐତିହାସିକ ବିଜୟ: ଥାଇଲାଣ୍ଡକୁ ହରାଇ AFC ମହିଳା ଏସୀୟ କପ୍‌ ୨୦୨୬ରେ ସ୍ଥାନ ପକ୍କା

ଅଷ୍ଟ୍ରେଲିଆ: ଭାରତୀୟ ମହିଳା ଫୁଟବଲ ଦଳ, ‘ବ୍ଲୁ ଟାଇଗ୍ରେସ’, ଶନିବାର ଏକ ନିର୍ଣ୍ଣାୟକ ବିଜୟ ହାସଲ କରି AFC ମହିଳା ଏସୀୟ କପ୍‌ ୨୦୨୬ରେ ନିଜର ସ୍ଥାନ ପକ୍କା କରିଛି। ଉଚ୍ଚ ରାଙ୍କିଙ୍ଗ ଥିବା ଥାଇଲାଣ୍ଡକୁ ୨-୧ ଗୋଲରେ ପରାସ୍ତ କରି ଭାରତ ଏହି ଐତିହାସିକ ସଫଳତା ହାସଲ କରିଛି। ମଧ୍ୟମଣ୍ଡଳୀୟ ଖେଳାଳି ସଙ୍ଗୀତା ବସଫୋରେ ଦୁଇଟି ଗୋଲ ଦେଇ ଦଳର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ମ୍ୟାଚ ପରେ ସଙ୍ଗୀତା କହିଛନ୍ତି, “ପ୍ରଥମେ ମୁଁ ମୋ ଦଳକୁ ଅଭିନନ୍ଦନ ଜଣାଇବାକୁ ଚାହେଁ। ତାଙ୍କ ସହଯୋଗ ଯୋଗୁଁ ମୁଁ ଏହି ଦୁଇଟି ଗୋଲ ସ୍କୋର କରିପାରିଛି। କୋଚିଂ ଷ୍ଟାଫଙ୍କୁ ମଧ୍ୟ ଧନ୍ୟବାଦ। ଆମର ଲକ୍ଷ୍ୟ ହେଉଛି ବିଶ୍ୱକପ୍‌, ଏବଂ ଆମେ ଆଗକୁ ଏହାକୁ ଧ୍ୟାନରେ ରଖି କାମ କରିବୁ।” ସେ ଆହୁରି କହିଛନ୍ତି, “ଆମ ପ୍ରଶଂସକ ଓ ପରିବାରଙ୍କୁ ମଧ୍ୟ ଧନ୍ୟବାଦ, ଯେଉଁମନେ ଆମକୁ ସବୁବେଳେ ସମର୍ଥନ କରିଛନ୍ତି।”

ଭାରତୀୟ ମହିଳା ଫୁଟବଲ ଦଳ ଏହା ପୂର୍ବରୁ ମୋଟ ୮ ଥର AFC ମହିଳା ଏସୀୟ କପ୍‌ରେ ଭାଗ ନେଇଛି, କିନ୍ତୁ ଏହା ପ୍ରଥମ ଥର ପାଇଁ କ୍ୱାଲିଫାୟାର ମାଧ୍ୟମରେ ଏହି ଟୁର୍ନାମେଣ୍ଟରେ ପ୍ରବେଶ କରିଛି। ୨୦୦୩ ମସିହାରେ ଭାରତ ଏହି ଟୁର୍ନାମେଣ୍ଟରେ ଖେଳିଥିଲା, କିନ୍ତୁ ସେତେବେଳେ କ୍ୱାଲିଫାୟାର ବ୍ୟବସ୍ଥା ନଥିଲା। ୨୦୨୨ରେ ଭାରତ ଆୟୋଜକ ଦେଶ ହିସାବରେ ଏହି ଟୁର୍ନାମେଣ୍ଟରେ ସ୍ଥାନ ପାଇଥିଲା।

AFC ମହିଳା ଏସୀୟ କପ୍‌ ୨୦୨୬ ମଧ୍ୟ FIFA ମହିଳା ବିଶ୍ୱକପ୍‌ ବ୍ରାଜିଲ ୨୦୨୭ ପାଇଁ ଏକ କ୍ୱାଲିଫାୟାର ଭାବେ କାର୍ଯ୍ୟ କରିବ। ଏହି ବିଜୟ ଭାରତୀୟ ମହିଳା ଫୁଟବଲ ଦଳ ପାଇଁ ଏକ ମାଇଲଖୁଣ୍ଟ ହିସାବରେ ଗଣାଯାଉଛି, ଯାହା ଦଳର ବିଶ୍ୱକପ୍‌ ସ୍ୱପ୍ନକୁ ଆହୁରି ନିକଟତର କରିଛି।ଏହି ସଫଳତା ଭାରତୀୟ ମହିଳା ଫୁଟବଲର ଉଜ୍ଜ୍ୱଳ ଭବିଷ୍ୟତକୁ ସୂଚାଇ ଦେଉଛି ଏବଂ ଦେଶରେ ମହିଳା ଖେଳାଳିମାନଙ୍କ ପାଇଁ ନୂଆ ଆଶା ସଞ୍ଚାର କରିଛି।