fbpx

ପଞ୍ଚମ ଟେଷ୍ଟ: ଦ୍ୱିତୀୟ ଇନିଂସରେ ଭାରତ ୨୪୫ରେ ଅଲ୍‌ଆଉଟ୍‌, ବିଜୟଠୁ ୧୯୯ ରନ୍‌ ଦୂରରେ ଇଂଲଣ୍ଡ

ଏଜବାଷ୍ଟନ: ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ କ୍ରିକେଟ ମ୍ୟାଚରେ ଇଂଲଣ୍ଡ ବିଜୟୀ ହେବା ପାଇଁ ଜୋରଦାର ପ୍ରୟାସ ଚଳାଇଛି । ଦୁଇ ଅଭିଜ୍ଞ ବ୍ୟାଟର ଜୋ ରୁଟ୍‌ ଓ ଜନ୍ନି ବେୟାରଷ୍ଟୋ ଭାରତୀୟ ବୋଲରଙ୍କୁ ସଠିକ ମୁକାବିଲା କରି ଦଳର ରନ ସଂଗ୍ରହ ଗତିକୁ ଦ୍ରୁତ ବେଗରେ ଆଗେଇ ନେଇ ଚାଲିଛନ୍ତି । ପ୍ରଥମ ଇନିଂସରେ ୧୩୨ ରନରେ ଆଗୁଆ ଥିବା ଭାରତୀୟ ଦଳ ଏହାର କୌଣସି ଫାଇଦା ଉଠାଇ ପାରିଲେ ନାହିଁ । ପ୍ରଥମ ଇନିଂସରେ ୪୧୬ ରନ କରିଥିବା ଭାରତ ଦ୍ୱିତୀୟ ଇନିଂସରେ କେବଳ ୨୪୫ ରନରେ ଅଲ ଆଉଟ ହୋଇ ଯିବା ପରେ ଇଂଲଣ୍ଡ ପାଇଁ ୩୭୮ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଦୁଇ ଓପନର ଆଲେକ୍ସ ଲିସ ୫୬ ଓ ଜ୍ୟାକ କ୍ରଲେ ୪୬ ରନ କରି ଇଂଲଣ୍ଡର ସ୍ଥିତିକୁ ପ୍ରାରମ୍ଭରୁ ଅଧିକ ମଜଭୂତ କରିଥିଲେ ।

ଦୁହେଁ ପ୍ରଥମ ୱିକେଟ ଯୋଡିରେ ୧୦୭ ରନ ଯୋଗ କରି ଭାରତୀୟ ବୋଲରଙ୍କୁ ନିରାଶ କରିଥିଲେ । ପରବର୍ତ୍ତୀ ସମୟରେ ଜୋ ରୁଟ ଅପରାଜିତ ୭୬ ଓ ଜନ୍ନି ବେଅରଷ୍ଟୋ ଅପରାଜିତ ୭୨ ରନ କରିବା ଫଳରେ ଇଂଲଣ୍ଡ ୫୭ ଓଭରରେ ୩ ୱିକେଟ ହରାଇ କରିଛି ୨୫୯ ରନ । ବିଜୟ ପାଇଁ ଆଉ ୧୧୯ ରନ ବାକି ଥିବା ବେଳେ ଇଂଲଣ୍ଡ ହାତରେ ୭ ୱିକେଟ ମହଜୁଦ ରହିଛି । ତେଣୁ ଆହୁରି ଗୋଟିଏ ଦିନ ଖେଳ ବାକି ଥିବାରୁ ଇଂଲଣ୍ଡ ଏହି ମ୍ୟାଚ ଜିତିବା ପାଇଁ କ୍ଷେତ୍ର ପ୍ରସ୍ତୁତ କରି ସାରିଛି । ସୂଚନା ଯୋଗ୍ୟ ଯେ ଭାରତର ପ୍ରଥମ ଇନିଂସ ସ୍କୋର ୪୧୬ ରନ ଜବାବରେ ଇଂଲଣ୍ଡ ୨୮୪ ରନରେ ଅଲଆଉଟ ହୋଇ ଯାଇଥିଲା।

ଭାରତ ୧୩୨ ରନରେ ଆଗୁଆ ରହି ଗତକାଲି ତୃତୀୟ ଦିନ ଦ୍ୱିତୀୟ ଇନିଂସ ଆରମ୍ଭ କରି ୩ ୱିକେଟ ବିନିମୟରେ ୧୨୫ ରନ କରି ୨୫୭ ରନରେ ଆଗୁଆ ହୋଇ ଥିଲା । ତେଣୁ ଭାରତ ଦ୍ୱିତୀୟ ପାଳିରେ ଏକ ବଡ ସ୍କୋର କରି ପାରିବ ବୋଲି ଆଶା କରା ଯାଉ ଥିଲେ ହେଁ ସଫଳ ହୋଇ ପାରିଲା ନାହିଁ । କେବଳ ପ୍ରଥମ ଇନିଂସର ଶତକ ହାସଲକାରୀ ରିଷଭ ପନ୍ତ ୫୭ ଓ ଚେତେଶ୍ୱର ପୂଜାରା ୬୬ ରନ କରିଥିବା ବେଳେ ଅନ୍ୟ ସମସ୍ତ ବ୍ୟାଟର ଫେଲ ମାରି ଥିଲେ । ଫଳରେ ଭାରତ ୨୪୫ ରନରେ ସୀମିତ ହୋଇ ଯାଇଥିଲା । ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ୪ ଓ ଷ୍ଟୁଆର୍ଟ ବ୍ରଡ ଏବଂ ମାଥ୍ୟୁ ପୋଟସ ୨ ଲେଖାଏଁ ୱିକେଟ ଅକ୍ତିଆର କରି ଭାରତ ପାଇଁ ବିପଦ ସୃଷ୍ଟି କରିଥିଲେ । ତେବେ ଭାରତ ଏହି ମ୍ୟାଚରେ ବିଜୟ ସୁଯୋଗ ସୃଷ୍ଟି କରି ଥିଲେ ହେଁ ସଫଳ ହେବା ସମ୍ଭାବନା କ୍ଷୀଣ ହୋଇ ଯାଇଛି ।

୩୭୮ ରନ୍‌ ଲକ୍ଷ୍ୟର ପିଛା କରି ଇଂଲଣ୍ଡ ଦୃଢ ଜବାବ ଦେଇଥିଲା । ଦୁଇ ଓପନର ଆଲେକ୍ସ ଲିସ୍‌ ଓ ଜ୍ୟାକ୍‌ କ୍ରଲି ଆକ୍ରମଣାତ୍ମକ ସଟ୍‌ମାନ ଖେଳି ୧୦୭ ରନ୍‌ ସଂଗ୍ରହ କରିଥିଲେ । କ୍ରଲି ୪୬ ରନ୍‌ କରିଥିବା ବେଳେ ବୁମରାଙ୍କ ବଲ୍‌ରେ ବୋଲ୍ଡ ହୋଇଥିଲେ । ଚା’ ପାନ ବିରତି ପରେ ପରେ ବୁମରା ଦ୍ୱିତୀୟ ୱିକେଟ୍‌ ଅକ୍ତିଆର କରିଥିଲେ । ଓଲି ପୋପ ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଥିଲେ । ପରେ ପରେ ଲିସ୍‌(୫୬)ରନ୍‌ ଆଉଟ୍‌ ହୋଇଥିଲେ । ୧୦୯ ରନ୍‌ରେ ଇଂଲଣ୍ଡ ୩ଟି ୱିକେଟ୍‌ ହରାଇଥିଲା । ଭାରତ ପଟକୁ ମ୍ୟାଚ୍‌ ଢଳିଥିଲା । କିନ୍ତୁ ରୁଟ୍‌ ଓ ବେୟାରଷ୍ଟୋ ଦୃଢ ବ୍ୟାଟିଂ କରି
ସ୍ଥିତି ସୁଧାରିଥିଲେ । ପରବର୍ତ୍ତୀ ୩୨.୫ ଓଭର ପର୍ଯ୍ୟନ୍ତ ଉଭୟ କ୍ରିଜ୍‌ରେ ଜମି ରହି ଦଳୀୟ ସ୍କୋରକୁ ୨୬୦ରେ ପହଞ୍ଚାଇଥିଲେ ।

Get real time updates directly on you device, subscribe now.