fbpx

ଆଜି ତୃତୀୟ ଟି-ଟ୍ୱେଣ୍ଟି: କ୍ଳିନ୍‌ ସୁଇପ୍‌ ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ, ସମ୍ମାନ ବଞ୍ଚାଇବାକୁ ପାଇଁ ସବୁ ଶକ୍ତି ଖଟାଇବ ନ୍ୟୁଜିଲାଣ୍ଡ

Advertisement

କୋଲକାତା: ଆଜି ତୃତୀୟ ଟି-ଟ୍ୱେଣ୍ଟି ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜର ପ୍ରଥମ ୨ଟି ମ୍ୟାଚ୍‌ ଜିତିବା ପରେ ରୋହିତ ବାହିନୀ କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ରହିଛି । ଅନ୍ୟ ପଟରେ କ୍ଳାନ୍ତ ନ୍ୟୁଜିଲାଣ୍ଡ ସମ୍ମାନ ବଞ୍ଚାଇବାକୁ ଯୋଜନା କରିଛି । ଚଳିତ ବର୍ଷ ଭାରତକୁ ଦୁଇଥର ପୃଥକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ପରାସ୍ତ କରିଥିବା ବେଳେ ଚଳିତ ଟି-୨୦ କ୍ରିକେଟ ସିରିଜ ଓ ଟେଷ୍ଟ ସିରିଜରେ ବଦଲା ନେବା ପାଇଁ ଭାରତ ପାଇଁ ସୁଯୋଗ ରହିଛି । ସଂପ୍ରତି ଚାଲିଥିବା ଟି-୨୦ ସିରିଜର ପ୍ରଥମ ଓ ଦ୍ୱିତୀୟ ମ୍ୟାଚରେ ଭାରତ ବିଜୟ ଲାଭ କରି ୨-୦ରେ ଅଗ୍ରଣୀ ଥିବା ବେଳେ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ରବିବାର ସନ୍ଧ୍ୟା ୭ଟାରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ତଥା ଅନ୍ତିମ ମ୍ୟାଚରେ ବିଜୟ ଲାଭ କରି ୩-୦ କ୍ଳିନ୍‌ ସୁଇପ ଲକ୍ଷ୍ୟରେ ରହିଛି । ତେଣୁ ଏହି ଯୋଜନା ସଫଳ ହେଲେ ଭାରତ ପୂର୍ବ ପରାଜୟର ପ୍ରତିଶୋଧ ନେବା ସହିତ ଆତ୍ମ ସନ୍ତୋଷ ଲାଭ କରି ପାରିବ । ସେହିପରି ଆସନ୍ତା ୨୫ ତାରିଖରୁ ଅନୁଷ୍ଠିତ ହେବାକୁ ଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ମଧ୍ୟ ବିଜୟୀ ହେବା ଲକ୍ଷ୍ୟ ରଖିଛି ଭାରତ । ଅନ୍ୟ ସମ୍ମାନ ବଞ୍ଚାଇବାକୁ ନ୍ୟୁଜିଲାଣ୍ଡ ସମସ୍ତ ଶକ୍ତି ଖଟାଇବା  ସହ ବିଜୟ ଧାରାକୁ ଫେରିବାକୁ ଯୋଜନା କରିଛି।

ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ ଜୁନ ମାସରେ ଅନୁଷ୍ଠିତ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନଶି ଫାଇନାଲରେ ଭାରତକୁ ୮ ୱିକେଟରେ ପରାସ୍ତ କରିଥିଲା ନ୍ୟୁଜିଲାଣ୍ଡ । ସେହିପରି ନିକଟରେ ଅନୁଷ୍ଠିତ ଟି-୨୦ ବିଶ୍ୱକପର ସୁପର ୧୨ ପର୍ଯ୍ୟାୟ ମ୍ୟାଚରେ ମଧ୍ୟ ଭାରତକୁ ହରାଇ ନ୍ୟୁଜିଲାଣ୍ଡ ହାସଲ କରିଥିଲା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ । ତେଣୁ ନ୍ୟୁଜିଲାଣ୍ଡ ବର୍ତ୍ତମାନ ଭାରତର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ପ୍ରତି କ୍ଷେତ୍ରରେ ଉଭା ହେଉଛି । ତେଣୁ ଚଳିତ ଟି- ୨୦ ଓ ଟେଷ୍ଟ ସିରିଜରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିବା ଭାରତର ଏକମାତ୍ର ଲକ୍ଷ୍ୟ । ସେହିପରି ଏହି ସଫଳତା ଦିଗରେ ଭାରତ ଆଗେଇ ପାରିଲେ ନୂଆ କୋଚ ରାହୁଲ ଦ୍ରାବିଡ ଓ ଟି-୨୦ ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ବଡ ସଫଳତା ସାବ୍ୟସ୍ତ ହେବ । ତେବେ ଭାରତ ଦୁଇ ଟି-୨୦ ମ୍ୟାଚରେ ସଫଳ ହୋଇ ଆଗୁଆ ସିରିଜ କବଜା କରି ନେଇଥିବା ବେଳେ ତୃତୀୟ ମ୍ୟାଚ ଜିତି ବିଜୟ ଧାରା ବଜାୟ ରଖିବାକୁ ଚାହେଁ ।

ଏହା ପରେ ଭାରତ ଆରମ୍ଭ କରିବ ଟେଷ୍ଟ ସିରିଜ ଅଭିଯାନ । ନ୍ୟୁଜିଲାଣ୍ଡ ଦଳ ଅଧିନାୟକ କେନ ୱିଲିୟମସନ ଟି-୨୦ ସିରିଜ ପାଇଁ ବିଶ୍ରାମ ନେଇ ଥିବା ବେଳେ ଟେଷ୍ଟ ସିରିଜରେ ଦଳର ନେତୃତ୍ୱ ନେବେ । ସେହିପରି ବିରାଟ କୋହଲି ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ଖେଳିବେ ନାହିଁ । ତେଣୁ ଉପ ଅଧିନାୟକ ଅଜିଙ୍କ୍ୟ ରାହାଣେ ଏହି ମ୍ୟାଚରେ ଅଧିନାୟକତ୍ୱ କରିବେ । ତେଣୁ ନ୍ୟୁଜିଲାଣ୍ଡକୁ ପ୍ରଥମ ଟେଷ୍ଟରେ ମୁକାବିଲା କରିବା ରାହାଣେଙ୍କ ପାଇଁ ବଡ ଚାଲେଞ୍ଜ । ପୁଣି ଥରେ ସୂଚାଇ ଦିଆଯାଇ ପାରେ ଯେ ଚଳିତ ବର୍ଷ ପ୍ରାରମ୍ଭରେ ଅଷ୍ଟ୍ରେଲିଆ ଗସ୍ତ କରିଥିବା ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି ନିଜର ପ୍ରଥମ ସନ୍ତାନ ଜନ୍ମ ପାଇଁ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ଖେଳି ସ୍ୱଦେଶ ଫେରି ଆସିବା ପରେ ରାହାଣେ ସମସ୍ତ ଗୁରୁ ଦାୟିତ୍ୱ ବହନ କରି ଅଷ୍ଟ୍ରେଲିଆ ମାଟିରେ ଭାରତକୁ ଏତିହାସିକ ବିଜୟ ଉପହାର ଦେଇଥିଲେ । ତେଣୁ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ରାହାଣେ ପୁଣି ଆଉ ଏକ ଚାଲେଞ୍ଜର ସମ୍ମୁଖୀନ ହେବେ ।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ମ୍ୟାଚରେ ଇଶାନ କିଶାନ ,ଓପନର ରୁତୁରାଜ ଗାଏକ୍ୱାଡ ଓ ଅଭେଶ ଖାନଙ୍କ ପରି ଯୁବ ଖେଳାଳିଙ୍କୁ ସୁଯୋଗ ଦିଆ ଯିବ । ଭୁବନେଶ୍ୱର କୁମାର କିମ୍ବା ଦୀପକ ଚେରଙ୍କ ସ୍ଥାନରେ ଅଭେଶ ଖାନ ଓ କେଏଲ ରାହୁଲଙ୍କ ସ୍ଥାନରେ ରୁତୁରାଜ ଖେଳିବା ସମ୍ଭାବନା ରହିଛି । କାରଣ କେଏଲ ରାହୁଲ ପୁଣି ଟେଷ୍ଟ ସିରିଜ ଖେଳିବା ପାଇଁ ଥିବାରୁ ତାଙ୍କୁ ତୃତୀୟ ଟି-୨୦ ପାଇଁ ବିଶ୍ରାମ ଦିଆଯିବ । ସେହିପରି ରିଷଭ ପନ୍ତଙ୍କୁ ବିଶ୍ରାମ ଦିଆ ଯାଇ ୱିକେଟ କିପର ଇଶାନ କିଶାନଙ୍କୁ ତୃତୀୟ ଟି- ୨୦ ମ୍ୟାଚରେ ଖେଳିବା ସୁଯୋଗ ଦିଆ ଯିବା ଯୋଜନା ରହିଛି ।

Get real time updates directly on you device, subscribe now.