fbpx

ଭାରତ ଏମିତି ଏକ ଦେଶ, ଯେଉଁଠି ଦୁଷ୍କର୍ମକାରୀ ମୁକୁଳିଯାଏ ସହଜରେ, ପୀଡିତା ଭୋଗେ ଅକଥନୀୟ ଯନ୍ତ୍ରଣା

ନୂଆଦିଲ୍ଲୀ: କୋଲକାତାର ଆରଜି କର ହସ୍ପିଟାଲ ରେପ- ମର୍ଡର ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ଏହା ସବୁଠାରୁ ବଡ ବର୍ବରକାଣ୍ଡ ବୋଲି ଲୋକେ କହୁଛନ୍ତି । ଡାକ୍ତରୀ ପେସା ପରି ଏକ ସମ୍ମାନଜନକ ପେସାଧାରୀଙ୍କ ସହ ଏମିତି ଘଟଣାକୁ ଜନତା ଗ୍ରହଣ କରି ପାରୁ ନାହାନ୍ତି । ହେଲେ ଡାକ୍ତରୀ ପେସାରେ ଏମିତି ଜଘଣ୍ୟକାଣ୍ଡର ପୂର୍ବରୁ ମଧ୍ୟ ରହିଛି ଇତିହାସ । ୫୧ ବର୍ଷ ଆଗରୁ ମୁମ୍ବାଇର କିଙ୍ଗ ଏଡବର୍ଡ ମେମୋରିଆଲ ହସ୍ପିଟାଲର ମଧ୍ୟ ଘଟିଯାଇଛି ଆରଜି କର ନୃଶଂସତାଠାରୁ ଭୟଙ୍କର କାଣ୍ଡ । କିଙ୍ଗ ଏଡବର୍ଡ ମେମୋରିଆଲ ହସ୍ପିଟାଲର ଜଣେ ନର୍ସ ଅରୁଣା ଶାନବାଗ ମଧ୍ୟ ଜଣେ ଯୌନ ପିପାସୁର ହୋଇଥିଲେ ଶିକାର । ତାଙ୍କ ସହ ହୋଇଥିବା ବର୍ବରକାଣ୍ଡ ମଧ୍ୟ ସେତେବେଳେ ସାରା ଦେଶକୁ ସ୍ଥବ୍ଧ ଦେଇଥିଲା ।

ମୁମ୍ବାଇର କିଙ୍ଗ ଏଡବର୍ଡ ମେମୋରିଆଲ ହସ୍ପିଟାଲର ନର୍ସ ଅରୁଣା ଶାନବାଗ ୧୯୬୬ରେ କର୍ଣ୍ଣାଟକରୁ ମୁମ୍ବାଇ ଆସିଥିଲେ ଚାକିରି ପାଇଁ । ଅରୁଣାଙ୍କ ବିବାହର ମାତ୍ର କିଛି ଦିନ ପୂର୍ବରୁ ୨୭ ନଭେମ୍ବର ୧୯୭୩ରେ ହସ୍ପିଟାଲରେ ତାଙ୍କ ସହ ଘଟିଗଲା ବର୍ବରକାଣ୍ଡ । ତାଙ୍କରି ହସ୍ପିଟାଲର ୱାର୍ଡ ବୟ ସୋହନ ଲାଲ ତାଙ୍କ ସହ ଦୁଷ୍କର୍ମ କରିବା ପରେ କୁକୁର ବନ୍ଧା ଚେନରେ ଅରୁଣାଙ୍କ ଗଳା ଦୀର୍ଘ ସମୟ ଚାପି ଧରିଥିଲା । ଯେତେବେଳେ ଯନ୍ତ୍ରଣାରେ ଛଟପଟ ହୋଇ ଅରୁଣା ନିସ୍ତେଜ ହୋଇ ପଡିଗଲେ, ସୋହନ ତାଙ୍କୁ ଛାଡି ସେଠାରୁ ପଳାଇ ଯାଇଥିଲା । କିନ୍ତୁ ଅରୁଣା କୋମାକୁ ଚାଲିଯାଇଥିଲେ । ଦୀର୍ଘ ୪୨ ବର୍ଷ କୋମାରେ ପଡିରହିଥିଲେ ଅରୁଣା । ମୃତ୍ୟୁ ସହ ଅରୁଣାଙ୍କ ଦୀର୍ଘ ସଂଘର୍ଷ ଦେଖି ବହୁ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ତାଙ୍କ ପାଇଁ ଇଛାମୃତ୍ୟୁ ଆବେଦନ କରାଯାଇଥିଲା । କିନ୍ତୁ କୋର୍ଟ ଏହି ଦାବିକୁ ସମ୍ପୂର୍ଣ୍ଣ ଖାରଜ କରିଦେଇଥିଲେ ।

୨୦୧୧ରେ ସୁପ୍ରିମ କୋର୍ଟ ଏକ ମେଡିକାଲ ବୋର୍ଡ ଦ୍ୱାରା ତାଙ୍କ ପରୀକ୍ଷାନିରୀକ୍ଷା ଓ ହସ୍ପିଟାଲର ଅନ୍ୟ ନର୍ସଙ୍କ ବୟାନ ରେକର୍ଡ କରି କୋର୍ଟଙ୍କୁ ରିପୋର୍ଟ ଦେଇଥିଲେ । ଏହା ପରେ କୋର୍ଟ ଇଛାମୃତ୍ୟୁ ଆବେଦନ ଖାରଜ କରିଦେଇଥିଲେ । ସେମିତି ମୃତ୍ୟୁ ସହ ଲଢେଇ କରି କରି ଶେଷରେ ୨୦୧୮ ମେ ୧୮ରେ ଅରୁଣା ସବୁଦିନ ପାଇଁ ଆଖି ବୁଜିଦେଇଥିଲେ ।

ଅନ୍ୟପଟେ ତାଙ୍କ ଜୀବନ ନଷ୍ଟ କରିଥିବା ଅଭିଯୁକ୍ତକୁ ହୋଇଥିଲା ୮ ବର୍ଷର କାରାବାସ । ସେ ୧୯୮୦ରେ ଜେଲରୁ ମୁକୁଳିଗଲା । କିନ୍ତୁ ମରଣ ଶେଜରେ ଜୀବନର ଶେଷ ସମୟ ଯାଏଁ ଦୀର୍ଘ ୪୫ ବର୍ଷ ଅରୁଣା ଜୀବନ୍ତ ଶବ ହୋଇ ପଡିଥିଲେ ହସ୍ପିଟାଲ ବେଡରେ ।

Get real time updates directly on you device, subscribe now.