ନୂଆଦିଲ୍ଲୀ: ଗୋଟିଏ ପଟେ ଭାରତ ସରକାର ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରୁଛନ୍ତି, ଏହାରି ମଧ୍ୟରେ ଭାରତୀୟ ଛାତ୍ର ଭାରତ ନଫେରି ସେନାରେ ଯୋଗଦେଇ ଋଷ ବିରୋଧରେ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଋଷ ୟୁକ୍ରେନ ମଧ୍ୟରେ ପ୍ରାୟ ଦୁଇ ସପ୍ତାହରୁ ଯୁଦ୍ଧ ଲାଗିରହିଛି । ଋଷ ସେନା ୟୁକ୍ରେନ ଉପରେ ଲଗାତାର ଆକ୍ରମଣ ଜାରି ରଖିଛି । ଏହି ଯୁଦ୍ଧ ଯୋଗୁଁ ଧ୍ୱଂସବିଧ୍ୱଂସ ହେବାରେ ଲାଗିଛି ୟୁକ୍ରେନ । ସେପଟେ ୟୁକ୍ରେନ ବି ସେନା ଏବଂ ନାଗରିକଙ୍କ ସହ ମିଶି ଋଷ ସେନାକୁ ବିରୋଧ କରୁଛି । ଏହାରି ମଧ୍ୟରେ ଏକ ଖବର ଆସିଛି ଯେ ୟୁକ୍ରେନରେ ସାଧାରଣ ନାଗରିକଙ୍କ ମଧ୍ୟରେ ଜଣେ ଭାରତୀୟ ଛାତ୍ର ମଧ୍ୟ ଯୁଦ୍ଧ ଲଢ଼ିବା ପାଇଁ ଯୋଗଦେଇଛନ୍ତି । ଭାରତରୁ ୟୁକ୍ରେନ ପଢ଼ିବାକୁ ଯାଇଥିବା ଜଣେ ଛାତ୍ର ୟୁକ୍ରେନ ସେନାରେ ଭର୍ତ୍ତି ହେବାକୁ ନିଷ୍ପତ୍ତି ନେଇଛନ୍ତି ଏବ ସେ ଋଷ ବିପକ୍ଷରେ ଯୁଦ୍ଧ ଲଢ଼ିବା ପାଇଁ ଯୋଗଦାନ ଦେଇଛନ୍ତି ।
ଏକ ରିପୋର୍ଟ ଅନୁଯାୟୀ ଏହି ଭାରତୀୟ ଛାତ୍ରଙ୍କ ନାମ ସୈନିକେଶ ରବିଚନ୍ଦ୍ରନ ତାଙ୍କୁ ୨୧ ବର୍ଷ । ରବିଚନ୍ଦ୍ରନ ତାମିଲନାଡୁର କୋଏମ୍ବାଟୁରର ବାସିନ୍ଦା । ରବିଚନ୍ଦ୍ରନଙ୍କୁ ପୂର୍ବରୁ ବି ସେନାରେ ଯୋଗଦେବାର ଇଚ୍ଛା ରହିଥିଲା । ସେ ପୂର୍ବରୁ ଭାରତୀୟ ସେନାରେ ମଧ୍ୟ ଆବେଦନ କରିଥିଲେ କିନ୍ତୁ କୌଣସି କାରଣରୁ ତାଙ୍କର ଚୟନ ହୋଇନଥିଲା । ଏହା ପରେ ସେ ୨୦୧୮ରେ ୟୁକ୍ରେନ ଯାଇଥିଲେ ଯେଉଁଠାରେ ସେ ନ୍ୟାସନାଲ ଏରୋସ୍ପେସ ୟୁନିଭର୍ସିଟିରେ ପାଠ ପଢ଼ୁଛନ୍ତି । ଏହି ୟୁନିଭର୍ସିଟି ଖାରକିଭରେ ରହିଛି । ଚଳିତ ବର୍ଷ ତାଙ୍କର ଜୁଲାଇ ମାସରେ ତାଙ୍କର ପାଠପଢ଼ା ଶେଷ ମଧ୍ୟ ହେବାକୁ ଥିଲା ।
ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯୁଦ୍ଧ ପରେ ସୈନିକେଶଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । କିନ୍ତୁ ଭାରତୀୟ ଦୂତାବାସର ସହଯୋଗରେ ପରେ ସେମାନେ ସୌନିକେଶଙ୍କ ସହ ଯୋଗାଯୋଗ କରିବାରେ ସକ୍ଷମ ହୋଇଥିଲେ । ଏହି ସମୟରେ ପରିବାର ଲୋକଙ୍କୁ କହିଥିଲେ ଯେ ଋଷ ବିରୋଧରେ ଲଢ଼େଇ ପାଇଁ ୟୁକ୍ରେନ ପାରାମିଲିଟାରୀ ଫୋର୍ସ ଯୋଗଦେଇଛନ୍ତି । ଆଉ ଏହି ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେପଟେ ସୈନିକେଶଙ୍କ ପରିବାର ଲୋକ କହିଛନ୍ତି ଆମେ କେବଳ ତାଙ୍କର ଫେରିବାକୁ ଅପେକ୍ଷା କରିଛନ୍ତି ।