fbpx

ଭାରତୀୟଙ୍କୁ ହୃଦରୋଗ ହେବାର ଆଶଙ୍କା ଅଧିକ: ଜାଣନ୍ତୁ କାହିଁକି ?

ଭାରତରେ ହୃଦରୋଗ ବଢ଼ିବାରେ ଲାଗିଛି । ଏପର୍ଯ୍ୟନ୍ତ ଧାରଣା ଥିଲା, ଧମନୀଗୁଡ଼ିକର ପରିଧି କମ୍ ହେବା ଯୋଗୁଁ ଲୋକେ କୋରୋନାର ଆର୍ଟରୀ ଡିଜିଜ୍ (ଏକ ହୃଦ୍ରୋଗ)ର ଶିକାର ହୁଅନ୍ତି । କିନ୍ତୁ ଏକ ସଦ୍ୟ ଅଧ୍ୟୟନ ଏହାକୁ ଖଣ୍ଡନ କରିଛି । ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲର କାର୍ଡିଓଲୋଜି ଓ ରେଡିଓଲୋଜି ଡିପାର୍ଟମେଣ୍ଟର ରିସର୍ଚ୍ଚ ଅନୁସାରେ, ବ୍ୟକ୍ତି ଶରୀରର ପୃଷ୍ଠ କ୍ଷେତ୍ରଫଳ କମ୍ ହେବା ଯୋଗୁ ଏହା ହୋଇଥାଏ ।

କୋରୋନାରୀ ଆର୍ଟରୀ ଡିଜିଜ୍ (ସିଏଡି) ଏଭଳି ଏକ ହୃଦରୋଗ, ଯେଉଁଥିରେ ହୃତ୍ପିଣ୍ଡର ଆବଶ୍ୟକ ଧମନୀ ଅଚଳ ହୋଇଯାଏ । ଏହାର ସାଧାରଣ କାରଣ ଧମନୀରେ ଚର୍ବି ଜମିବା । ଏହା ଦ୍ୱାରା ରକ୍ତ ପ୍ରବାହ ହ୍ରାସପାଏ, ଯାହା ଛାତିରେ ଯନ୍ତ୍ରଣାଠୁ ଆରମ୍ଭ କରି ହାର୍ଟ ଆଟାକର କାରଣ ହୋଇପାରେ ।

ଜର୍ନାଲ ଅଫ୍ ଇଣ୍ଡିଆନ୍ କଲେଜ ଅଫ୍ କାର୍ଡିଓଲୋଜିରେ ପ୍ରକାଶିତ ଏହି ଅଧ୍ୟୟନରେ ୨୫୦ ଜଣଙ୍କୁ ସାମିଲ କରାଯାଇଥିଲା । ହସ୍ପିଟାଲର କାର୍ଡିଓଲୋଜି ବିଭାଗର ଚେୟାରମ୍ୟାନ୍ ଡା. ଜେପିଏସ୍ ସାହନୀ କହିଛନ୍ତି, ଅଧ୍ୟୟନରେ ସାମିଲ ଲୋକଙ୍କ ମଧ୍ୟରୁ ୫୧ ପ୍ରତିଶତଙ୍କୁ ଉଚ୍ଚ ରକ୍ତଚାପ ଏବଂ ୧୮ ପ୍ରତିଶତଙ୍କୁ ମଧୁମେହ ଥିଲା । ୪ ପ୍ରତିଶତ ଧୂମପାନରେ ଅଭ୍ୟସ୍ତ ଥିଲେ, ୨୮ ପ୍ରତିଶତଙ୍କୁ ଉଚ୍ଚ କୋଲେଷ୍ଟ୍ରଲ ଓ ଚର୍ବି ସମସ୍ୟା ଥିଲା । ୨୬ ପ୍ରତିଶତଙ୍କ ପରିବାରରେ ହୃଦରୋଗର ଇତିହାସ ଥିଲା ।

ଗବେଷଣାରୁ ଜଣାପଡ଼ିଲା, ପୁରୁଷଙ୍କ ତୁଳନାରେ ମହିଳାଙ୍କ ରକ୍ତ ବାହିକାଗୁଡ଼ିକର ହାରାହାରି ପରିଧି ଖୁବ୍ କମ୍ ହୋଇଥାଏ । ତେବେ ବଡି ସର୍ଫେସ୍ ଏରିଆ (ବିଏସଏ) ବା ଶରୀର ପୃଷ୍ଠ କ୍ଷେତ୍ରଫଳ ଆଗରେ ଉଭୟଙ୍କ ଧମନୀଗୁଡ଼ିକର ପରିଧିର ମାନ ଗୁରୁତ୍ୱପୂର୍ଣ୍ଣ ହୋଇନଥାଏ । ସମଗ୍ର ବିଶ୍ୱର ବିଶେଷଜ୍ଞଙ୍କ କହିବା ଅନୁସାରେ, ଏସୀୟ ଲୋକ, ଖାସ୍କରି ଭାରତୀୟଙ୍କ ଧମନୀ ଗୁଡ଼ିକର ପରିଧି କମ୍ ହେବା ଯୋଗୁ ଏଥିରେ ଚର୍ବି ଜମିବା ଆଶଙ୍କା ଅଧିକ । କିନ୍ତୁ ସଦ୍ୟ ଅଧ୍ୟୟନ ପ୍ରମାଣ କରୁଛି ଯେ ଭାରତୀୟଙ୍କ ଧମନୀ ଛୋଟ ନୁହେଁ । ଶରୀର ପୃଷ୍ଠର କ୍ଷେତ୍ରଫଳ କମ୍ ହେବା ଯୋଗୁ ସେମାନଙ୍କୁ ସିଏଡି ଆଶାଙ୍କା ଥାଏ ।

Get real time updates directly on you device, subscribe now.