ନୂଆଦିଲ୍ଲୀ: ପୁଣି ହୋଇଥାନ୍ତା ଏକ ବଡ଼ ବିମାନ ଦୁର୍ଘଟଣା। ଦିଲ୍ଲୀ ଏୟାରପୋର୍ଟରୁ ଉଡ଼ାଣ ଭରିବା ପରେ ଇଣ୍ଡିଗୋ ବିମାନରେ ଦେଖାଦେଲା ତ୍ରୁଟି। ଆଗକୁ ନଯାଇ ପାଖାପାଖି ଏକ ଘଣ୍ଟା କାଳ ଆକାଶରେ ଚକ୍କର କାଟିଲା ବିମାନ।
ଆଉ ଶେଷରେ ଗନ୍ତବ୍ୟ ସ୍ଥଳକୁ ନଯାଇ ଦିଲ୍ଲୀ ବିମାନବନ୍ଦରକୁ ଫେରି ଆସିଲା। କୁହାଯାଇପାରେ ଏକ ପ୍ରକାର ପୁଣି ଏକ ବଡ଼ ବିମାନ ଦୁର୍ଘଟଣା ହେବାରୁ ବର୍ତ୍ତିଗଲା।
ଆକାଶରେ ଉଡ଼ିଲା ଏକ ଘଣ୍ଟା: ତେବେ ଇମ୍ପାଲ ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏକ ଘଣ୍ଟା ଧରି ଆକାଶରେ ଘୂରି ବୁଲିବା ପରେ ଦିଲ୍ଲୀ ଏୟାରପୋର୍ଟକୁ ଫେରି ଆସିଲା।
ଏନେଇ ଏୟାରଲାଇନ୍ସ କହିଛି ଗୁରୁବାର ଅର୍ଥାତ୍ ଜୁଲାଇ ୧୭ ତାରିଖ ଦିନ ଦିଲ୍ଲୀରୁ ଇମ୍ପାଲ ଅଭିମୁଖେ ଯାଉଥିବା ବିମାନ 6E-5118 ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ବିମାନରେ ତ୍ରୁଟି ଥିବା ଜାଣିବାକୁ ପାଇଥିଲା।
ପାଇଲଟମାନେ ସତର୍କତାମୂଳକ ପଦକ୍ଷେପ ନେଇ ବିମାନକୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଏହାକୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷିତ ଭାବରେ ଅବତରଣ କରିଥିଲେ।
ଉଡ଼ାଣ ଭରିବା ପରେ ତ୍ରୁଟି: ଉକ୍ତ ବିମାନଟି ସକାଳ ୧୦:୨୫ ରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବାର ଥିଲା, କିନ୍ତୁ ଏହା ନିର୍ଦ୍ଧାରିତ ସମୟଠାରୁ ୯ ମିନିଟ୍ ବିଳମ୍ବରେ ସକାଳ ୧୦:୩୪ ରେ ଉଡ଼ାଣ ଆରମ୍ଭ କରିଥିଲା।
ଉଡ଼ାଣ ଆରମ୍ଭ ହେବାର ୧ ଘଣ୍ଟା ପରେ, ପାଇଲଟ୍ ବିମାନରେ ଏକ ଯାନ୍ତ୍ରିକ ତ୍ରୁଟି ଚିହ୍ନଟ କରିଥିଲେ ଏବଂ ବିମାନକୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲେ।
ଯାନ୍ତ୍ରିକ ତ୍ରୁଟି ପ୍ରକାଶିତ ହୋଇନାହିଁ: ଇଣ୍ଡିଗୋ କହିଛି ଯେ ବାଧ୍ୟତାମୂଳକ ପ୍ରକ୍ରିୟା ଅନୁଯାୟୀ, ବିମାନର ଆବଶ୍ୟକୀୟ ଯାଞ୍ଚ କରାଯାଇଥିଲା ଏବଂ ଏହା କିଛି ସମୟ ପରେ ପୁଣି ଉଡ଼ାଣ ଆରମ୍ଭ କରିଥିଲା।
ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ପାଇଁ କମ୍ପାନୀ କ୍ଷମା ପ୍ରାର୍ଥନା କରିଛି। ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ Flightradar24.com ରେ ଉପଲବ୍ଧ ସୂଚନା ଅନୁଯାୟୀ, A-321 ବିମାନଟି ଦିଲ୍ଲୀ ଫେରିବା ପୂର୍ବରୁ ପ୍ରାୟ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ଆକାଶରେ ରହିଥିଲା।
ବିମାନ କମ୍ପାନୀ ବିମାନରେ କି ପ୍ରକାରର ଯାନ୍ତ୍ରିକ ତ୍ରୁଟି ଥିଲା ତାହା ପ୍ରକାଶ କରିନାହିଁ। ୧ ଘଣ୍ଟା ଧରି ଆକାଶରେ ରହିବା ପରେ ହଠାତ୍ ଦିଲ୍ଲୀ ଆଡକୁ ମୁହାଁଇଥିବା ଖବର ପରେ ଯାତ୍ରୀମାନେ ବହୁତ ଚିନ୍ତିତ ହୋଇ ପଡ଼ିଥିଲେ। କିନ୍ତୁ ବିମାନ ପୁଣି ଉଡ଼ାଣ ଭରିବା ପରେ ସ୍ଥିତି ଆୟତ୍ତକୁ ଆସିଥିଲା।