fbpx

ଶୀନା ବୋରା ହତ୍ୟାକାଣ୍ଡ: ୬ ବର୍ଷ ପରେ ଜେଲରୁ ମୁକୁଳିଲେ ଇନ୍ଦ୍ରାଣୀ

ନୂଆଦିଲ୍ଲୀ: ଶୀନା ବୋରା ହତ୍ୟାକାଣ୍ଡ ମାମଲାରେ ଇନ୍ଦ୍ରାଣୀ ମୁଖର୍ଜୀ ଜେଲରୁ ମୁକୁଳିଛନ୍ତି । ଗତ ବୁଧବାର ଦିନ ଇନ୍ଦ୍ରାଣୀଙ୍କୁ ଏହି ମାମଲାରେ ଜାମିନ୍ ମିଳିଥିଲା । ଇନ୍ଦ୍ରାଣୀଙ୍କୁ ରିସିଭ୍ କରିବା ପାଇଁ ତାଙ୍କ ଓକିଲ ଯାଇଥିଲେ । ତେବେ ଜେଲରୁ ବାହାରିବା ଅବସରରେ ଇନ୍ଦ୍ରାଣି କହିଥିଲେ, ମୁଁ ବହୁତ ଖୁସି ଅନୁଭବ କରୁଛି । ଆଗକୁ କ’ଣ କରିବି ସେନେଇ ମୁଁ କିଛି ଯୋଜନା କରିନାହିଁ । ଖୋଲା ଆକାଶ ଦେଖିବା ପରେ ମୋତେ ବହୁତ ଖୁସି ଲାଗୁଛି ।

ଗତ ବୁଧବାର ଦିନ ଇନ୍ଦ୍ରାଣୀଙ୍କୁ ସୁପ୍ରିମକୋର୍ଟରୁ ଜାମିନ୍ ମିଳିଥିଲା । ଶୀନା ବୋରା ହତ୍ୟାକାଣ୍ଡରେ ଇନ୍ଦ୍ରାଣୀ ଓ ତାଙ୍କର ପତି ପିଟରଙ୍କ ନାମ ସାମ୍ନାକୁ ଆସିଥିଲା । ଧୋକ୍କା, ମିଛରୁ ସୃଷ୍ଟି ହୋଇଥିବା ଅବୈଧ ସମ୍ପର୍କକୁ ଲୁଚାଇବା ପାଇଁ ଏହି ହତ୍ୟାକାଣ୍ଡ ରଚାଯାଇଥିଲା । ଏହି ଘଟଣାକୁ ମୁମ୍ବାଇର ହାଇ ସୋସାଇଟିର ପ୍ରଥମ ହରର କିଲିଂ ଭାବେ ବିବେଚନା କରାଯାଏ । ଏହି ଘଟଣାରେ ଜଣେ ମାଆ ନିଜର ଝିଅକୁ ହତ୍ୟା କରିଥିଲେ ।

ଇନ୍ଦ୍ରାଣୀ ମିଡ଼ିଆ ଜଗତର ଜଣେ ବଡ଼ ଜଣାଶୁଣା ନାମ । ତାଙ୍କ ନାମରେ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଥିଲା । ତାଙ୍କର ସ୍ୱାମୀ ପିଟର ଘରୋଇ ଟିଭି ଚାନେଲକୁ ସଫଳ କରାଇବାରେ ଧୁରନ୍ଧର ଥିଲେ । ପିଟରଙ୍କ ପ୍ରୟାସରେ ଷ୍ଟାର ଇଣ୍ଡିଆ ଭାରତବର୍ଷରେ ଷ୍ଟାର ପରି ଚମକି ଉଠିଥିଲା । ଇନ୍ଦ୍ରାଣୀ ପିଟରଙ୍କର ଦ୍ୱିତୀୟ ପତ୍ନୀ ହୋଇଥିବା ବେଳେ ଇନ୍ଦ୍ରାଣୀ ତୃତୀୟ ଥର ପାଇଁ ବିବାହ କରିଥିଲେ । ଗତ ୨୦୧୨ ମେ ୨୩ରେ ଶୀନାଙ୍କ ଶବକୁ ପୋଲିସ ଚିହ୍ନଟ କରିଥିଲା । ୨୦୧୫ ଅଗଷ୍ଟ ୨୫ରେ ଇନ୍ଦ୍ରାଣୀଙ୍କୁ ଗିରଫ କରାଯାଇଥିଲା ।

Get real time updates directly on you device, subscribe now.