CHARIDHAM

ମନ୍ତ୍ରୀଙ୍କ ଆଚରଣରେ ଖପ୍ପା ବାଚସ୍ପତି, କହିଲେ- ଗୃହରେ ଚଲାନ୍ତୁ ନାହିଁ ନିଜ କାର୍ଯ୍ୟାଳୟ

ନୂଆଦିଲ୍ଲୀ: ଗୃହରେ ମନ୍ତ୍ରୀମାନଙ୍କ ଅଶୋଭନୀୟ ଆଚରଣରେ ମର୍ମାହତ ବାଚସ୍ପତି ଓମ ବିର୍ଲା। ଏ ନେଇ ସେ ମନ୍ତ୍ରୀମାନଙ୍କୁ ଉପଦେଶ ଦେବା ସହ ଗୃହ ଭିତରେ ନିଜର ମନ୍ତ୍ରଣାଳୟ ନଚଳାଇବାକୁ କହିଛନ୍ତି। ମଙ୍ଗଳବାର ଲୋକସଭାରେ ବିଭିନ୍ନ ପ୍ରସଙ୍ଗରେ ମନ୍ତ୍ରୀମାନଙ୍କୁ ସାଂସଦଙ୍କ ସହିତ ଆଲୋଚନା କରୁଥିବା ଦେଖିବାକୁ ମିଳିଛି। ଏହା ଦେଖି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବାଚସ୍ପତି ଓମ ବିର୍ଲା।
ଓମ ବିର୍ଲା କହିଛନ୍ତି, ମନ୍ତ୍ରୀଗଣ ଦାୟକରି ଗୃହରେ ନିଜର ମନ୍ତ୍ରଣାଳୟ ଚଲାନ୍ତୁ ନାହିଁ। ମନ୍ତ୍ରୀମାନଙ୍କୁ ନିଜ କାର୍ଯ୍ୟାଳୟରେ ସାଂସଦଙ୍କୁ ଭେଟିବା ଉଚିତ୍। ସାଂସଦମାନଙ୍କୁ ଗୃହର ମର୍ଯ୍ୟାଦା ବଜାୟ ରଖିବାକୁ ଉପଦେଶ ଦେଇଛନ୍ତି ବାଚସ୍ପତି। ସୂଚନାଯୋଗ୍ୟ, କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହଙ୍କୁ ପ୍ରଶ୍ନକାଳ ସମୟରେ ଗୃହରେ ନିଜ ଆସନରୁ ଉଠି ଅନ୍ୟ ସାଂସଦଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଥିଲା।
ବିଭିନ୍ନ ରାଜନୈତିକ ଦଳର ସାଂସଦମାନେ ମନ୍ତ୍ରଣାଳୟ ସଂପର୍କିତ କିଛି ପ୍ରସଙ୍ଗକୁ ଉଠାଇବା ପାଇଁ ବିଭିନ୍ନ ମନ୍ତ୍ରୀଙ୍କ ଆସନ ନିକଟକୁ ଚାଲି ଆସିବା ସର୍ବଦା ଦେଖିବାକୁ ମିଳିଛି। ଗୃହ କାର୍ଯ୍ୟ ସମୟରେ ଏମିତି ଘଟଣା ଅନେକ ଥର ଦେଖିବାକୁ ମିଳିଛି।
ଓମ ବିର୍ଲା ପ୍ରଶ୍ନକାଳ ସମାପ୍ତ ଘୋଷଣା ପରେ ମଧ୍ୟ ପ୍ରଶ୍ନର ଉତ୍ତର ଜାରି ରଖିବାରୁ କେନ୍ଦ୍ର ମନ୍ତ୍ରୀଙ୍କୁ ତାଗିଦ୍ କରିଛନ୍ତି। ବାଚସ୍ପତି ଘୋଷଣା କରିବା ପରେ ଏବଂ ପ୍ରଶ୍ନକାଳ ସମାପ୍ତ ପରେ ବି ଆପଣ କହିବା ଜାରି ରଖିଛନ୍ତି ବୋଲି ମନ୍ତ୍ରୀଙ୍କୁ ତାଗିଦ୍ କରିଛନ୍ତି ବାଚସ୍ପତି ଓମ ବିର୍ଲା।