ଅମିତ ଶାହାଙ୍କ ଗସ୍ତ ସମୟରେ ଜାମ୍ମୁ କାଶ୍ମୀର ଜେଲ ଡିଜିଙ୍କୁ ହତ୍ୟା: ବେକ ଚାପି ବୋତଲରେ…

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋମବାରରୁ ୩ ଦିନିଆ କାଶ୍ମୀର ଗସ୍ତରେ ଯାଇଥିବା ବେଳେ ରାଜ୍ୟରେ ବଡ଼ ଅଘଟଣ ଘଟିଛି । ଜାମ୍ମୁ-କାଶ୍ମୀର ଡିଜି ହେମନ୍ତ ଲୋହିଆଙ୍କୁ ଗଳା କାଟି ହତ୍ୟା କରାଯାଇଛି । ସୋମବାର ବିଳମ୍ବିତ ସନ୍ଧ୍ୟାରେ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଘରୁ ଉଦ୍ଧାର କରାଯାଇଥିବା ବେଳେ ହେମନ୍ତଙ୍କର ମୃତ୍ୟୁ ହୋଇସାରିଥିଲା । ଗୃହମନ୍ତ୍ରୀଙ୍କ ଗସ୍ତ ସମୟରେ ଏବେ ବଡ଼ ପୋଲିସ ଅଧିକାରୀଙ୍କ ହତ୍ୟାକୁ ନେଇ ସୁରକ୍ଷା ଏଜେନ୍ସିରେ ହଇଚଇ ସୃଷ୍ଟି ହୋଇଛି । ହତ୍ୟା ପରେ ହେମନ୍ତଙ୍କ ଚାକର ନିଖୋଜ ହୋଇଛି । ଏଥିପାଇଁ ଏସବୁ କାଣ୍ଡ ଚାକର କରିଥିବା ସନ୍ଦେହ କରାଯାଉଛି । ପୋଲିସ ତାକୁ ଖୋଜିବାରେ ଲାଗିପଡ଼ିଛି ।

ରିପୋର୍ଟ ଅନୁସାରେ, ଜାମ୍ମୁ-କାଶ୍ମୀରର ଡିଜି ଭାବେ ୨ ମାସ ପୂର୍ବରୁ ହେମନ୍ଦଙ୍କୁ ନିଯୁକ୍ତ କରାଯାଇଥିଲା । ୧୯୯୨ ବ୍ୟାଚର ଆଇପିଏସ ଅଧିକାରୀ ହେମନ୍ତ ଆସାମର ବାସିନ୍ଦା ଥିଲେ । ଏହି ଦିନ ଜାମ୍ମୁରେ ତାଙ୍କର ଘରର ରିନୋଭେସନ ଚାଲିଥିଲା । ଏଥିପାଇଁ ସେ ନିଜ ପରିବାର ସହ ଜାମ୍ମୁରେ ରହୁଥିବା ନିଜ ସାଙ୍ଗ ରାଜୀବଙ୍କ ଘରେ ରହୁଥିଲେ । କିନ୍ତୁ ସୋମବାର ଦିନ ତାଙ୍କ ଘରୁ ହେମନ୍ତଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ବେକ ଓ ଅନ୍ୟ ସ୍ଥାନରେ ଆଘାତର ଚିହ୍ନ ରହିଛି । ଏହା ବିଷୟରେ ପୋଲିସ କିଛି ବୁଝିପାରୁନଥିବା ବେଳେ ଘରର ଚାକର ଏବେ ନିଖୋଜ ରହିଛି । ଏଥିପାଇଁ ଚାକର ଉପରେ ହତ୍ୟାର ସନ୍ଦେହ କରାଯାଉଛି ।

ଖବର ଅନୁସାରେ, ଅଭିଯୁକ୍ତ ହେମନ୍ତଙ୍କ ଗଳା ଦବାଇବା ସହ କାଟିବା ପାଇଁ ବୋତଲର ବ୍ୟବହାର କରିଥିଲା । ଏହା ସହ ତାଙ୍କ ଶରୀରରେ ଜଳିବାର ଚିହ୍ନ ମଧ୍ୟ ରହିଛି । ଏଥିରୁ ଜଣାପଡୁଛି କି ଅଭିଯୁକ୍ତ ହେମନ୍ତଙ୍କ ହତ୍ୟା କରିବା ପରେ ତାଙ୍କୁ ଜଳାଇବାକୁ ଚେଷ୍ଟା କରିଥିଲା । ପୋଲିସ ଏବିଷୟରେ ଅଧିକ ସୂଚନା ପାଇଁ ଛାନଭିନ୍ ଜାରି ରଖିଛି ।